ଅହମଦାବାଦ: ଦୀର୍ଘ ୬୪ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଘମାଘୋଟ ଲଢ଼େଇ ଏବଂ ୭୩ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)-୨୦୨୨ର ବହୁ ପ୍ରତୀକ୍ଷିତ ମେଗାଫାଇନାଲ୍ ମ୍ୟାଚ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସ ବୋଲିଂ କରୁଛି। ବିଶ୍ବର ସବୁଠାରୁ ଚର୍ଚ୍ଚିତ ତଥା ଧନୀ ‌ଟ୍ବେଣ୍ଟି-୨୦ ମହାକୁମ୍ଭର ମହାମୁକାବିଲାରେ ପଦାର୍ପଣକାରୀ ଗୁଜରାଟ ଟାଇଟନ୍ସକୁ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଭେଟିଛି। ପାଖାପାଖି ୧ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଏହି ଟ୍ରଫି ଟକ୍କର ଅନୁଷ୍ଠିତ ହେଉଛି।

Advertisment

ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳୁଥିବା ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ବାଲିଫାୟରକୁ ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ରାଜସ୍ଥାନ ଦ୍ବିତୀୟ କ୍ବାଲିଫାୟରରେ ଏଲିମିନେଟର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଅତିସହଜରେ ୭ ୱିକେଟ୍‌ରେ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଥିଲା।

publive-image

ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଗୋଟିଏ ମ୍ୟାଚ୍ ଖେଳି ସାରିଥିବାରୁ ଗୁଜରାଟ ଅପେକ୍ଷା ରାଜସ୍ଥାନର ପଲା ରବିବାର ଫାଇନାଲ୍‌ରେ ଭାରୀ ରହିବ ବୋଲି ଦୁଇ ପୂର୍ବତନ ଆଇପିଏଲ୍ ତାରକା ଗ୍ରେମ୍ ସ୍ମିଥ୍ ଏବଂ ସୁରେଶ ରାଇନା ଆକଳନ କରିଛନ୍ତି। ହେଲେ ଫାଇନାଲ୍‌ର ହାଇଭୋଲଟେଜ୍ ମୁକାବିଲାରେ ପୂର୍ବ ପ୍ରଦର୍ଶନ ସେତେଟା ମହତ୍ବ ରଖିନପାରେ ବୋଲି ମଧ୍ୟ ଉଭୟ ସ୍ବୀକାର କରିଛନ୍ତି।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହ, ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ ଖାନ୍, ରବି ସାଇକିଶୋର, ଆଲେଜେରି ଯୋଶେଫ୍, ୟଶ୍ ଦୟାଲ, ମହମ୍ମଦ ସାମି।

ରାଜସ୍ଥାନ ରୟାଲ୍ସ: ଜସସ୍ବୀ ଜୟସ୍ବାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ସିମରନ୍ ‌ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା, ଓବେଦ ମ୍ୟାକୟ।