ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ରାଜସ୍ଥାନ ରୟାଲସ ପରାସ୍ତ କରିଛି। ପଞ୍ଜାବ କିଙ୍ଗସର ୧୮୮ ରନର ଟାର୍ଗେଟକୁ ୧୯.୪ ଓଭରରେ ୬ ୱିକେଟ ହରାଇ ରାଜସ୍ଥାନ ରୟାଲ୍ସ ସଂଗ୍ରହ କରିନେଇଛି।
ଦ୍ବିତୀୟ ପାଳିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସ ବଟଲର ଓ ୟାସଭି ଜୟସ୍ବାଲ ଓପନିଂ କରିଥିଲେ। ହେଲେ ଦ୍ବିତୀୟ ଓଭରରେ ବଟଲର କୌଣସି ରନ ନକରି ଆଉଟ ହୋଇଯାଇଥିଲେ। ତୃତୀୟ ୱିକେଟ ଭାବେ ଦେବଦତ୍ତ ପଡିକଲ ଆସିଥିଲେ। ଉଭୟ ଦେବଦତ୍ତ ଓ ଜୟସ୍ବାଲ ଖେଳକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଥିଲେ। ଦେବଦତ୍ତ ୫୧ ରନ କରିଥିବାବେଳେ ଅର୍ସଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ। ସଂଜୁ ସାମସନ ଆସିଥିଲେ ବି ସେ ୨ ରନ କରି ଆଉଟ ହୋଇଯାଇଥିଲେ। ପରେ ପରେ ଜୟସ୍ବାଲ ୫୦ ରନ କରିଥିବାବେଳେ ନାଥାନ ଏଲିସଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳ ଲଗାତର ୩ୱିକେଟ ହରାଇ ବିପର୍ଯ୍ୟୟ ଆଡକୁ ଗତି କରିଥିଲା। ପଞ୍ଚମ ୱିକେଟ ଭାବେ ସିମରନ ହ୍ବାଟମେୟରଙ୍କ ୪୬ ରନ ଓ ରିୟାନ ପରାଗଙ୍କ ୨୦ ରନ ବଳରେ ଦଳର ଜିତିବା ଆଶା ଉଜ୍ଜ୍ବଳ ହୋଇଥିଲା। ଉଭୟେ ଆଉଟ ହେବା ପରେ ଧ୍ରୁବ ଜୁରେଲ ଓ ଟ୍ରେଣ୍ଟବୋଲ୍ଡ ଅପରାଜିତ ରହି ଖେଳର ବିଜୟ ମୁଣ୍ଡି ମାରିଥିଲେ।
ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳ ମାତ୍ର ୫୦ ରନରେ ୪ଟି ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ଏହି ସମୟରେ ସାମ କୁରାନ ଓ ଜିତେସ ଶର୍ମା ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଏକ ଭଲ ସ୍କୋର ଛିଡ଼ା କରିବାରେ ସହାୟତା କରିଥିଲେ । ସାମ କୁରାନ ୪୯ରନ ଓ ଜିତେଶ ୪୪ ରନ କରିଥିଲେ । ଜିତେଶ ଆଉଟ ହେବା ପରେ ଆସିଥିବା ଶାହରୁଖ ଖାଁ ୨୩ଟି ବଲରୁ ୪୧ରନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୭ କରିଥିଲା ।
ରାଜସ୍ଥାନ ପକ୍ଷରୁ ନବଦୀପ ସାଇନି ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଚଳିତ ଆଇପିଏଲରେ ଉଭୟ ରାଜସ୍ଥାନ ଓ ପଂଜାବ ପାଇଁ ପ୍ଲେଅପ ରାସ୍ତା ଏକରକମ ବନ୍ଦ ହୋଇଯାଇଛି । ଉଭୟ ଦଳ ୧୩ଟି ଲେଖାଏଁ ମ୍ୟାଚ ଖେଳି ୬ ବିଜୟ ସହ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି ।