ରାଜସ୍ଥାନ ୭ ୱିକେଟରେ ବାଙ୍ଗାଲୋରକୁ ହରାଇଲା, ଗୁଜରାଟ- ରାଜସ୍ଥାନ ଫାଇନାଲ ମୁକାବିଲା

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ପ୍ରଥମେ ବ୍ୟାଟିଂ କରି ୧୫୭ ରନ କରିଥିଲା। ୧୫୮ ରନର ବିଜୟ ଲକ୍ଷ୍ୟକୁ ଟାର୍ଗେଟ କରି ରାଜସ୍ଥାନ ରୟାଲ୍ସ ୧୮.୧ ଓଭରରେ ୧୬୧ ରନ କରି ବିଜୟୀ ହୋଇଛି। ଫଳରେ ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ଫାଇନାଲ ମୁକାବିଲା ହେବା ନିଶ୍ଚିତ ହୋଇଛି।

୧୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସର ୟାସଭି ଜୟସ୍ବାଲ ଓ ଜସ ବଟଲର ଓପନିଂ କରିବାକୁ ଆସିଥିଲେ। ତେବେ ୫.୧ ଓଭର ବେଳକୁ ଦଳୀୟ ସ୍କୋର ୬୧ ଥିଲାବେଳେ ୟାସଭି ଜୟସ୍ବାଲ ହାଜଲଉଡଙ୍କ ବଲରେ କୋହଲିଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। ସେତେବେଳକୁ ତାଙ୍କ ବ୍ୟକ୍ତିଗତ ସ୍କୋର ଥିଲା ୨୧। କିନ୍ତୁ ଜସବଟଲର ନିର୍ଭୟରେ ବ୍ୟାଟିଂ ଜାରି ରଖିଥିଲେ। ସେ ୬ଟି ଛକା ଓ ୧୦ଟି ଚୌକା ମାରି ୧୦୬ ରନ କରି ଅପରାଜିତ ରହିଥିଲେ। ମ୍ୟାଚକୁ ଜିତାଇବାରେ ସେ ବଡ ଭୂମିକା ନେଇଥିଲେ। ଏଥି ସହିତ ଅଧିନାୟକ ସଞ୍ଜୁ ସାମସନ ୨୩ରନ ଓ ଦେବଦତ୍ତ ପଡିକାଲଙ୍କ ୯ରନ ସହାୟତାରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଫାଇନାଲକୁ ଯିବା ରାସ୍ତା ପକ୍କା କରିଥିଲା। ଆସନ୍ତା ରବିବାର ଗୁଜୁରାଟ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଫାଇନାଲ ମୁକାବିଲା ହେବ।

ମ୍ୟାଚ ଆରମ୍ଭରେ ପ୍ରଥମେ ରାଜସ୍ଥାନ ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଦଳର ମୁଖ୍ୟ ବ୍ୟାଟସମ୍ୟାନ ବିରାଟ କୋହଲି ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଫାଫ ଡୁପ୍ଲେସିସ ଓ ରଜତ ପଟିଦାର ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ୭୦ ରନର ପାର୍ଟନରସିପ ଥିଲା । ଗତ ମ୍ୟାଚରେ ଶତକ ଅର୍ଜନ କରିଥିବା ପଟିଦାର ଏହି ମ୍ୟାଚରେ ୫୮ ରନ କରିଥିଲେ । ଡୁପ୍ଲେସିସ ୨୫ ରନ କରିଥିବାବେଳେ ମାକ୍ସଓ୍ବେଲ ୨୪ ରନ କରିଥିଲେ । ତେବେ ପଟିଦାର ଆଉଟ ହେବା ପରେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିଲେ । ଫଳରେ ଦଳୀୟ ରନଗତି ଧୀମେଇ ଯାଇଥିଲା ଓ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ ରନରେ ସୀମିତ ରହିଥିଲା। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମାକଏ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର