ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌ରେ ରାଜସ୍ଥାନ, ତେଲେଙ୍ଗାନା ବିଜେତା: ଓଡ଼ିଶା ବାଳିକାଙ୍କୁ ବେସ୍‌ବଲ୍‌ ଟ୍ରଫି

କଟକ: ବାଲିଯାତ୍ରା ଉପର ପଡ଼ିଆରେ ଅନୁଷ୍ଠିତ ୫-ଏ’ ସାଇଡ୍‌ ବେସ୍‌ବଲ୍‌ର ବାଳିକା ବିଭାଗରେ ମହାରାଷ୍ଟ୍ରକୁ ହରାଇ ଓଡ଼ିଶା ବିଜେତା ହୋଇଛି। ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିଲା। ବାଳକ ବିଭାଗରେ ମହାରାଷ୍ଟ୍ର ବିଜେତା ହୋଇଥିଲା ବେଳେ କର୍ଣ୍ଣାଟକ ଉପ ବିଜେତା ଓ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିଲା।
ଅନ୍ୟପକ୍ଷରେ ସତ୍ୟବ୍ରତ ଷ୍ଟାଡିୟମରେ ୩୩ତମ ଜାତୀୟ ଉପକନିଷ୍ଠ ସଫ୍‌ଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ଖେଳାଯାଇଥିବା ଫାଇନାଲ୍‌ର ବାଳକ ବିଭାଗରେ ରାଜସ୍ଥାନ ୭-୩ ରନ୍‌ରେ ଛତିଶଗଡ଼କୁ ଓ ବାଳିକାରେ ତେଲେଙ୍ଗାନା ୬-୪ ରନ୍‌ରେ ମଧ୍ୟପ୍ରଦେଶକୁ ହରାଇ ବିଜେତା ହୋଇଛନ୍ତି। ବାଳକରେ ଉତ୍ତରାଖଣ୍ତ ଓ ବାଳିକାରେ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛନ୍ତି।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଭାରତୀୟ ସଫ୍‌ଟବଲ ସ˚ଘର ସାଧାରଣ ସମ୍ପାଦକ ଏଲ୍‌.ଆର‌୍‌. ମୌର୍ଯ୍ୟ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ଥରୋଟ, ଓଡ଼ିଶା ସଫ୍‌ଟବଲ ସ˚ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଶକ୍ତିର˚ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅମୀୟ ଚନ୍ଦ୍ର ଓ ସୁନୀତା ବର୍ମା ଉଦ୍‌ଯାପନୀ ସମାରୋହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର