ପୁରୀ: ରାଜସ୍ଥାନର କୋଟାଠାରେ ଗତ ୨୧ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ୧୫ ବର୍ଷରୁ କମ୍ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ଦଳକୁ ହଟାହଟା ହେବାକୁ ପଡିଛି। ରାଜ୍ୟ ବାହୁକୁସ୍ତି ସଂଘର ଦାୟିତ୍ବହୀନତା ଯୋଗୁ ରାଜ୍ୟ୧୫ ବର୍ଷରୁ କମ୍ ବାଳକ ଓ ବାଳିକା ଖେଳାଳିଙ୍କୁ ସେଠାରେ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ଏକ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରୁଥିବା ଏହି ଦଳକୁ ରାଜ୍ୟ ସଂଘ କିଭଳି ଅବହେଳା କରିଛି, ତା’ର ସଂପୂର୍ଣ୍ଣ ବିବରଣୀ ଖେଳାଳିମାନେ ମଙ୍ଗଳବାର ପୁରୀ ପହଞ୍ଚିବା ପରେ ବଖାଣିଛନ୍ତି। ସେମାନେ ସଂଘ ବିରୋଧରେ ଅନେକ ସଂଗିନ ଅଭିଯୋଗ ଆଣିଛନ୍ତି। ୧୫ ବର୍ଷରୁ କମ ପ୍ରତିଯୋଗୀଙ୍କୁ ସଂଘ ଏକୁଟିଆ ଟ୍ରେନ୍ରେ ଛାଡିଥିଲା। ନିଯୁକ୍ତ ପ୍ରବନ୍ଧକ ଦଳ ସହିତ ଯାଇନଥିବାରୁ ନାବାଳକ/ନାବାଳିକା ପ୍ରତିଯୋଗୀମାନେ ବିନା ଅଭିଭାବକରେ ଯାତ୍ରା କରିଥିଲେ। ଏକ ଜାତୀୟ ପ୍ରତିଯୋଗିତାରେ ଭାଗ ନେଉଥିଲେ ସୁଦ୍ଧା ଓଡ଼ିଶା ପ୍ରତିଯୋଗୀଙ୍କୁ ନା ମିଳିଥିଲା ପୋଷାକ ନା ଖାଇବା ଖର୍ଚ୍ଚ। ସବୁଠୁ କ୍ଷୋଭର ବିଷୟ ହେଉଛି, ଜଣେ ୨୦ ବର୍ଷର ଖେଳାଳି ଶିବାନୀ ଜେନା (୨୧)ଙ୍କୁ କୋଚ୍ ଦାୟିତ୍ବ ଦିଆଯାଇ ତାଙ୍କ ହେପାଜତରେ ଦଳକୁ ରାଜସ୍ଥାନ ପଠାଯାଇଥିଲା। ଏହି ଦଳରେ ବାଳକ ବର୍ଗରେ ୭ ଜଣ ଓ ବାଳିକା ବର୍ଗରେ ୫ ଜଣ ଖେଳାଳି ଯାଇଥିଲେ। ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ବାଳକ ଓ ସନ୍ତୋଷ ଦାସଙ୍କୁ ବାଳିକା ଦଳର ପ୍ରବନ୍ଧକ ଭାବେ ସଂଘ ଚୟନ କରିଥିଲା। ହେଲେ ଏ ଦୁହେଁ ଦଳ ସହିତ ଯାଇନଥିଲେ। ଫେରିଲା ବେଳେ ଦଳର ଟ୍ରେନ୍ ଟିକେଟ୍ ଭୁବନେଶ୍ବର ପର୍ଯ୍ୟନ୍ତ ହୋଇଥିଲା। ପୁରୀ ଆସୁଥିବା କିଛି ଖେଳାଳିଙ୍କୁ ଖୋର୍ଦ୍ଧା ନିକଟରେ ଟିଟି ଧରିଥିଲେ। ପାଖରେ ଟିକେଟ ନଥିବାରୁ ସେମାନଙ୍କୁ ଅପମାନ ସହିବାକୁ ପଡିଥିଲା। ଟିଟିଙ୍କୁ କୁହାବୋଲା କରି ପୁରୀ ଷ୍ଟେସନ୍ ପର୍ଯ୍ୟନ୍ତ ସେମାନେ ଆସିଥିଲେ। ସେଠାରେ ମଧ୍ୟ ଟିଟିଙ୍କ ହାବୁଡରେ ପଡି ଲଜ୍ଜିତ ହୋଇଥିଲେ। ଖେଳାଳିଙ୍କ ଏଭଳି ହଟହଟାକୁ ନେଇ କ୍ରୀଡା ସଂଗଠକ ସବ୍ୟସାଚୀ ରଥ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୧୫ ବର୍ଷରୁ କମ୍ ବାଳକ ଓ ବାଳିକା ବାହୁକୁସ୍ତି ଦଳକୁ ବିନା ଦଳୀୟ ପ୍ରବନ୍ଧକରେ କୋଟା ପଠାଯିବା ଶିଶୁ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ। ବାଳିକା ଖେଳାଳିଙ୍କୁ ଏକୁଟିଆ ଛଡ଼ାଯାଇଥିବାରୁ ଆଇନର ଆଶ୍ରୟ ନିଆଯିବ ବୋଲି ସେ କହିଛନ୍ତି।
ରାଜସ୍ଥାନରେ ଓଡ଼ିଶା ବାହୁକୁସ୍ତି ଦଳ ହଟହଟା
ବାଳିକା ଦଳକୁୁ ଏକୁଟିଆ ଛାଡିଦେଲା ସଂଘ ଗଲେନି ପ୍ରବନ୍ଧକ, ବାଟରେ ଧରିଲା ଟିଟି
/sambad/media/post_attachments/wp-content/uploads/2019/06/odisha-wrestling.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)