ଆଇପିଏଲ୍ ୧୩ : କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୭ ଉଇକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଚଳିତ ଆଇପିଏଲର ୫୦ତମ ମ୍ୟାଚରେ  ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ପରାଜିତ କରିଛି।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନକୁ ୧୮୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା ପଂଜାବ । ଏହାପରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇ ଥିଲା ରାଜସ୍ଥାନ ରୟାଲ୍ସ। ରାଜସ୍ଥାନ ପକ୍ଷରୁ ରବିନ୍ ଉତ୍ଥପା ଓ ବେନ୍ ଷ୍ଟୋକସ୍ ଭଲ ଆରମ୍ଭ ଦେଇଥିଲେ। ତେବେ ଷ୍ଟୋକସ୍ ୫୦ କରି ବିଦାୟ ନେଇଥିବା ବେଳେ ଉତ୍ଥପା ୩୦ ରନ କରି ପାଭଲିଆନକୁ ଫେରିଥିଲେ। ଏହାପରେ ସଞ୍ଜୁ ସାମସନ୍ ଓ ଷ୍ଟିଭସ ସ୍ମିଥ୍ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ସଞ୍ଜୁ ୪୮ କରିଥିବା ବେଳେ ରନ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ଜସ୍ ବଟଲର୍ ସ୍ମିଥଙ୍କ ସହ ଯୋଗ ଦେଇଥିଲେ। ସ୍ମିଥ୍ ଓ ବଟଲର୍ ଦଳକୁ ବିଜୟୀ କରାଇଥିଲେ। ସ୍ମିଥଙ୍କ ଅପରାଜିତ ୩୧ ଏବଂ ବଟଲରଙ୍କ ଅପରାଜିତ ୨୨ ବଳରେ ରାଜସ୍ଥାନ ୧୭.୩ ଓଭରରେ ୧୮୬ ରନ କରି ୭ ଉଇକେଟରେ ବିଜୟୀ ହୋଇଥିଲା।

ପଞ୍ଜାବ ଦଳ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୫ ରନ କରିଥିଲା । ଦଳ ପକ୍ଷରୁ କ୍ରିସ ଗେଲ ବିସ୍ଫୋରକ ଇନିଂସ ଖେଳି ୬୩ ବଲରୁ ୯୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୬ ଟି ଚୌକା ମାରିଥିଲେ । ମାତ୍ର ଜୋଫ୍ରା ଆର୍ଚରଙ୍କ ବଲରେ ବୋଲ୍ଡ ହୋଇ ସେ ମାତ୍ର ୧ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ଦଳର ଅଧିନାୟକ ତଥା ଓପନର କେ.ଏଲ.ରାହୁଲ ୪୬ ରନ କରିଥିଲେ ।

ପ୍ଲେ ଅଫରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଦଳ ଏହା ପୂର୍ବରୁ ୧୨ ଟି ମ୍ୟାଚ ଖେଳି ୬ ବିଜୟ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ ହେଉଥିବାରୁ ସେଥିଲାଗି ପଂଜାବକୁ ନିଜର ଅବଶିଷ୍ଟ ୨ଟି ମ୍ୟାଚ ଜିତିବାକୁ ଥିଲା। ମାତ୍ର ଆଜି ଗୋଟିଏ ମ୍ୟାଚ ହାତଛଡ଼ା ହୋଇଗଲା । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଏହା ପୂର୍ବରୁ ୧୨ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି । ଏହି ଦଳ ୧୦ ପଏଣ୍ଟ ସହ ପ୍ଲେ ଅଫ୍ ଦୌଡ଼ରୁ ଏକରକମ ବାଦ ପଡ଼ିଥିଲା ବେଳେ ଆଜିର ବିଜୟ ଦଳର ପ୍ଲେ-ଅପ୍ ଆଶାକୁ ଉଜ୍ଜୀବିତ କରିଛି।

ସମ୍ବନ୍ଧିତ ଖବର