ଦିଲ୍ଲୀ: ପାଞ୍ଚଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ଦୟନୀୟ ପ୍ରଦର୍ଶନ ଜାରି ରହିଛି। ପ୍ଲେ ଅଫ୍ରୁ ବାଦ୍ ପଡ଼ିବା ପରେ ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଥିବା ଚେନ୍ନାଇ ମଙ୍ଗଳବାର ରାଜସ୍ଥାନ ରୟାଲ୍ସଠାରୁ ୬ ୱିକେଟ୍ରେ ହାରି ଲଜ୍ଜାଜନକ ଭାବେ ତ୍ରୟୋଦଶ ମ୍ୟାଚ୍ରୁ ଦଶମ ପରାଜୟ ବରଣ କରିଛି। ପ୍ଲେ ଅଫ୍ ଆଶା ହରାଇ ସାରିଥିବା ରାଜସ୍ଥାନ କିନ୍ତୁ ନିଜ ଶେଷ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇ କିଛିଟା ସମ୍ମାନ ସାଉଣ୍ଟିଛି। ଚର୍ତୁଦଶ ମ୍ୟାଚ୍ରୁ ରାଜସ୍ଥାନ ଆଜି ଚତୁର୍ଥ ବିଜୟ ପାଇଛି। ପୂରା ପ୍ରତିଯୋଗିତାରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇଥିବା ଚେନ୍ନାଇ ମଙ୍ଗଳବାର ୧୮୮ ରନ୍ର ଲକ୍ଷ୍ୟ ଦେଇଥିଲା। ରାଜସ୍ଥାନ ଏହାକୁ ନିଜ ୧୪ ବର୍ଷୀୟ ଓପନର୍ ବୈଭବ ସୂର୍ଯ୍ୟବଂଶୀଙ୍କ ଜଜ୍ଜ୍ବଲ୍ୟମାନ ଅର୍ଦ୍ଧଶତକ ବଳରେ ମାତ୍ର ୪ ୱିକେଟ୍ ବିନିମୟରେ ହାସଲ କରି ନେଇଥିଲା। ପୂର୍ବରୁ ରାଜସ୍ଥାନ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୧୨ ରନ୍ ଭିତରେ ଦୁଇଟି ଝଟ୍କା ଦେଇ ଏହି ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ ଏହାର ବୋଲର୍। ଯୁଦ୍ଧବୀର ସିଂହ (୩/୪୭) ଓ ଆକାଶ ମାଢ଼ୱାଲ (୩/୨୯) ଲଗାତାର ୱିକେଟ୍ ଝାଡ଼ି ୭୮ ରନ୍ରେ ଚେନ୍ନାଇର ଅଧାଦଳକୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଚେନ୍ନାଇର ୧୭ବର୍ଷୀୟ ଓପନର୍ ଆୟୁଷ ମହାତ୍ରେ ଲଢ଼ିଥିଲେ। ହେଲେ ଅର୍ଦ୍ଧଶତକର ୭ ରନ୍ ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ପରେ ଡିୱାଲ୍ଡ ବ୍ରେଭିସ୍ ଓ ଇମ୍ପାକ୍ଟ୍ ପ୍ଲେୟର ଶିବମ ଦୁବେଙ୍କ ମଧ୍ୟରେ ହୋଇଥିବା ୫୯ ରନ୍ର ଭାଗୀଦାରି ପାଇଁ ଚେନ୍ନାଇ ୮ ୱିକେଟ୍ ବିନିମୟରେ ୧୮୭ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର୍: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୮୭/୮ (ଆୟୁଷ ମହାତ୍ରେ ୪୩, ଡିୱାଲ୍ଡ ବ୍ରେଭିସ୍ ୪୨, ଶିବମ ଦୁବେ ୩୯, ଆକାଶ ମାଢ଼ୱାଲ ୩/୨୯, ଯୁଦ୍ଧବୀର ସିଂହ ୩/୪୭)। ରାଜସ୍ଥାନ ରୟାଲ୍ସ ୧୭.୧ ଓଭରରେ ୧୮୮/୪ (ବୈଭବ ସୂର୍ଯ୍ୟବଂଶୀ ୫୭, ସଞ୍ଜୁ ସାମସନ୍ ୪୧, ଯଶସ୍ବୀ ଜୟସ୍ବାଲ ୩୬, ଧ୍ରୁବ ଜୁରେଲ ୩୧*, ସିମରନ୍ ହେଟମାୟର-୧୨*, ଆର୍ ଅଶ୍ବିନ ୨/୪୧)।