ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ ୨୦୨୫)ର ୧୮ତମ ସିଜିନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଦଳର ଅଧିନାୟକଙ୍କ ନାମ ଘୋଷଣା କରିଛି। ମଧ୍ୟପ୍ରଦେଶର ରଜତ ପଟିଦାରଙ୍କୁ ଆରସିବିର ନୂତନ ଅଧିନାୟକ କରାଯାଇଛି। ଫ୍ରାଞ୍ଚାଇଜ୍ ଏକ ସୋସିଆଲ ମିଡିଆ ପୋଷ୍ଟ ଏବଂ ଏକ ଲାଇଭ୍ ସେସନ୍ ମାଧ୍ୟମରେ ଏହା ଘୋଷଣା କରିଛି।

Advertisment

ରଜତ ପଟିଦାର ଆରସିବିର ୮ମ ଅଧିନାୟକ ହୋଇଛନ୍ତି। ମେଗା ନିଲାମ ପୂର୍ବରୁ ଆରସିବି ଦଳର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କୁ ରିଟେନ୍ କରିନଥିଲା। ଏହା ପରେ ଷ୍ଟାର କ୍ରିକେଟର ବିରାଟ କୋହଲି ପୁଣି ଥ‌ରେ ଦଳର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଆରସିବି ପଟିଦାରଙ୍କୁ ଅଧିନାୟକ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପଟିଦାରଙ୍କୁ ଆରସିବିର ଅଧିନାୟକ କରାଯିବା ମାତ୍ରେ, ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସମ୍ପତ୍ତି ବିଷୟରେ ଜାଣିବାକୁ ଇଚ୍ଛ‌ା କରୁଥିବା ଦେଖାଯାଇଛି।

ରଜତ ପଟିଦାର ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା। ତାଙ୍କର ଜନ୍ମ ୧ ଜୁନ୍ ୧୯୯୩ରେ ଇନ୍ଦୋରରେ ହୋଇଥିଲା। ରଜତ ପିଲାଦିନୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ। ସେ ଜଣେ ଅଫ୍-ସ୍ପିନର ଭାବରେ ତାଙ୍କର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ଜଣେ ଭଲ ବ୍ୟାଟସମ୍ୟାନ୍ ହୋଇଗଲେ। ସେ ୨୦୧୫-୧୬ ସିଜିନରେ ମଧ୍ୟପ୍ରଦେଶ ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିବା ବେଳେ ୨୦୧୭-୧୮ ରଣଜୀ ସିଜିନରେ ୭୧୩ ରନ କରିଥିଲେ।

ରଜତ ୨୦୨୧ ମସିହାରେ ଆଇପିଏଲରେ ପ୍ରବେଶ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୨୦ଲକ୍ଷ ଟଙ୍କାରେ ନିଜ ସହ ଯୋଡିଥିଲା। ସେ ଆଇପିଏଲ ୨୦୨୨ରେ ଚର୍ଚ୍ଚାକୁ ଆସିଥିଲେ। ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷ ପ୍ଲେଅଫ୍‌ରେ ଏକ ଚମତ୍କାର ଶତକ ହାସଲ କରିବା ପରେ ସମସ୍ତଙ୍କ ନଜର ତାଙ୍କ ଉପରକୁ ଯାଇଥିଲା। ଏହି ଇନିଂସ ପରେ, ସେ ଆରସିବିର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଥିଲେ। ଲିଗରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଥିବାରୁ ରଜତ ପଟିଦାରଙ୍କୁ ୨୦୨୪ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା।

ରଜତଙ୍କ ସମ୍ପତ୍ତି କଥା କହିବାକୁ ଗଲେ ସେ ପ୍ରାୟ ୧.୬୨ କୋଟି ଟଙ୍କାର ମାଲିକ ହେବେ ବୋଲି ଆକଳନ କରାଯାଇଛି। ସେ ବିସିସିଆଇର ଗ୍ରେଡ୍ ସି ଚୁକ୍ତିନାମାର ଅଂଶ ଥିବାରୁ ବୋର୍ଡରୁ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି। କ୍ରିକେଟ ବ୍ୟତୀତ, ରଜତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି। ସେ ଭାରତର ଏକ ପ୍ରସିଦ୍ଧ କ୍ରୀଡା ଉପକରଣ ନିର୍ମାତା ସରିନ୍ ସ୍ପୋର୍ଟସ୍ ପାଇଁ ବିଜ୍ଞାପନ କରନ୍ତି। ବହୁତ ସରଳ ଜୀବନଯାପନ କରୁଥିବା ରଜତଙ୍କ ପାଖରେ ହ୍ୟୁଣ୍ଡାଇ ଆଇ୨୦ ଅଛି। ସେ ଇନ୍ଦୋରରେ ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି।