ଭୁବନେଶ୍ୱର: ଗତ ୨୦୧୭-୧୮ ଘରୋଇ କ୍ରିକେଟ୍ ଋତୁରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଓ୍ଵିକେଟ୍ରକ୍ଷକ ବ୍ୟାଟସମ୍ୟାନ୍ ରାଜେଶ ଧୂପର ଏବଂ ମହିଳା ଅଲ୍ରାଉଣ୍ଡର୍ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କୁ ରାଜ୍ୟର ସର୍ବପୁରାତନ କ୍ରିକେଟ୍ ସମ୍ମାନ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟଙ୍କୁ ବିଶେଷ ଟ୍ରଫି ଓ ବ୍ଲେଜର୍ ସହିତ ଯଥାକ୍ରମେ ୩୧ ଓ ୨୧ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ସହିଦ ସ୍ପୋର୍ଟିଂ କ୍ଲବ୍ର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ବିଧାୟକ ବିଜୟ ମହାନ୍ତି, ମାରୁତି ଇଷ୍ଟେଟ୍ର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କର୍ପୋରେଟର୍ ଶାଶ୍ୱତୀ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ଆସନ୍ତା ବର୍ଷରୁ ଏହି ପୁରସ୍କାରର ଉଭୟ ପୁରୁଷ ଓ ମହିଳା ବର୍ଗର ରାଶିକୁ ସମାନ ୩୧,୦୦୦ ଟଙ୍କା ଲେଖାଏଁ କରିଦିଆଯିବ ବୋଲି ମାରୁତି ଇଷ୍ଟେଟ୍ର ପରିଚାଳନା ନିର୍ଦେଶକ ଘୋଷଣା କରିଥିଲେ। ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅ କ୍ରୀଡ଼ାବିତ୍ଙ୍କ ସଫଳତା ବଢ଼ିଛି ବୋଲି କହିଥିଲେ ଦିଲୀପ ତିର୍କି। ୧୯୯୮ ମସିହାରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତି ଫେରିବା ପରେ ପ୍ରଥମେ ଆମକୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍ ପକ୍ଷରୁ ଜମି ପ୍ରଦାନ କରାଯାଇଥିଲା। ଏହା ପରେ ଅନ୍ୟମାନେ ଏହି ଧାରାକୁ ଅନୁସରଣ କରିଥିଲେ ବୋଲି ଦିଲୀପ ପ୍ରକାଶ କରିଥିଲେ। ୧୯୯୨-୯୩ ଋତୁରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ସର୍ବାଧିକ ୫ ଥର ଜିତିଥିବା ବେଳେ ସାଥୀ ଦ୍ରୁତ ବୋଲର ବସନ୍ତ ମହାନ୍ତି ଓ ବ୍ୟାଟସମ୍ୟାନ୍ ପ୍ରଭଞ୍ଜନ ମଲ୍ଲିକ ୩ ଥର ଲେଖାଏଁ ପାଇଛନ୍ତି। ରଂଜୀବ ବିଶ୍ୱାଳ, ପିନାଟି ଜୟଚନ୍ଦ୍ର, ରଶ୍ମିରଂଜନ ପରିଡ଼ା, ଶିବସୁନ୍ଦର ଦାସ, ସଂଜୟ ଶତପଥୀ, ବିବିସିସି ମହାପାତ୍ର, ଦୀପକ ମଙ୍ଗରାଜ, ଧୀରାଜ ସିଂହ, ବିପ୍ଳବ ସାମନ୍ତରାୟ, ନଟରାଜ ବେହେରା, ଦୀପକ ବେହେରା, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି ଥରେ ଲେଖାଏଁ ଏହି ଗୌରବ ହାତେଇଛନ୍ତି। ସେହିଭଳି ୨୦୧୩-୧୪ ମସିହାରୁ ପ୍ରଚଳିତ ମହିଳା କ୍ରିକେଟର୍ ସମ୍ମାନକୁ ପୂର୍ବରୁ ମାଧୁରୀ ମେହେଟା, ସ୍ୱାଗତିକା ରଥ, ମଧୁସ୍ମିତା ବେହେରା ଏବଂ କାଦମ୍ବିନୀ ମହାକୁଡ଼ ପାଇଥିଲେ।
ରାଜେଶ ଓ ସୁଶ୍ର୍ରୀ ଶ୍ରେଷ୍ଠ କ୍ରିକେଟର୍
ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍ ପୁରସ୍କାର
/sambad/media/post_attachments/wp-content/uploads/2018/07/13-Shaheed-sporting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)