ରାଜେଶ ପଦାର୍ପଣ ଶତକରୁୁ ବଞ୍ଚିତ: ବେଙ୍ଗଲଠାରୁ ଓଡ଼ିଶା ପରାସ୍ତ 

କଟକ,: ରାଞ୍ଚିରେ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ ସୟଦ ମୁସ୍ତାକ ଅଲ୍ଲୀ ଟେଣ୍ଟି-୨୦ କ୍ରିକେଟ୍‌ରେ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ବେଙ୍ଗଲ ସହ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି।
ଓଡ଼ିଶା ଆଜି ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପାଇଁ ରାଜେଶ ଧୂପର, ଦେବାଶିଷ ସାମନ୍ତରାୟ, ଦେବବ୍ରତ ପ୍ରଧାନ ଓ ପ୍ରୟାସ ସିଂହ ଠାକୁର ଟେ୍ଵଣ୍ଟି-୨୦ ପଦାର୍ପଣ କରିଥିଲେ। ରାଜେଶଙ୍କ ପଦାର୍ପଣ ଅର୍ଧଶତକ ସହାୟତାରେ ଓଡ଼ିଶା ନିର୍ଧାରିତ ଓଭରରେ ୫ ଓ୍ଵିକେଟ୍‌ ବିନିମୟରେ ୧୫୭ ରନ୍‌ ସଂଗ୍ରହ କରିଥିଲା। ପ୍ରଥମ ମ୍ୟାଚ୍‌ ଖେଳୁଥିବା ରାଜେଶ ଧୂପର ଓ ଅଧିନାୟକ ଅନୁରାଗ ଷଡଙ୍ଗୀ ପ୍ରଥମ ଓ୍ଵିକେଟ୍‌ରେ ଦ୍ରୁତ ୫୬ ରନ୍‌ ସଂଗ୍ରହ କରିଥିଲେ। ତେବେ ସପ୍ତମ ଓଭରର ପଞ୍ଚମ ବଲ୍‌ରେ ଅନୁରାଗ (୨୩) ଓ ଦୁଇ ଓଭର ବ୍ୟବଧାନରେ ତୃତୀୟ ସ୍ଥାନରେ ଆସିଥିବା ପରେଶ ପଟେଲ୍‌ (୧) ଙ୍କୁ ରିତିକ ଚାଟାର୍ଜୀ ଆଉଟ କରି ଓଡ଼ିଶାକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ରାଜେଶଙ୍କ ସହ ଦେବାଶିଷ ସାମନ୍ତରାୟ ମିଳିତ ଭାବେ ଓଡ଼ିଶାକୁ ୧୦୦ ରନ୍‌ ପାର୍‌ କରାଇଥିଲେ। ଏଥିସହ ରାଜେଶ ମଧ୍ୟ ତାଙ୍କର ପ୍ରଥମ ଟେ୍ଵଣ୍ଟି-୨୦ ଅର୍ଧଶତକ ଅର୍ଜନ କରିଥିଲେ।

ଉଭୟ ତୃତୀୟ ଓ୍ଵିକେଟ୍‌ରେ ୫୮ ରନ୍‌ ଯୋଡ଼ିବା ପରେ ଦେବାଶିଷଙ୍କୁ (୧୯) ମନୋଜ ତିଓ୍ଵାରୀ ଆଉଟ୍‌ କରିଦେଇଥିଲେ। ପରବର୍ତ୍ତୀ ବଲ୍‌ରେ ଶୁଭ୍ରାଂଶୁ ସେନାପତି ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିଅନ୍‌ ଫେରିଥିଲେ। ଅନ୍ୟତମ ପଦାର୍ପଣ ଖେଳାଳି ପ୍ରୟାସ ସିଂହ ଦ୍ରୁତ ଖେଳିବା ସହ ରାଜେଶଙ୍କ ସହ ମିଶି ଓଡ଼ିଶା ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ତେବେ ଶତକ ଆଡକୁ ଅଗ୍ରସର ହେଉଥିବା ରାଜେଶ(୯୦) ପାଳିର ଶେଷ ବଲ୍‌ରେ ରନ୍‌ଆଉଟ୍‌ ହୋଇଥିଲେ।
୧୫୮ରନ୍‌ର ଲକ୍ଷ୍ୟକୁ ବେଙ୍ଗଲ ୮ବଲ୍‌ ପୂର୍ବରୁ ୩ ଓ୍ଵିକେଟ୍‌ ବିନିମୟରେ ହାସଲ କରିନେଇଥିଲା। ଶ୍ରୀବତ୍ସ ଗୋସ୍ୱାମୀ ଓ ବିବେକ ସିଂହ ପ୍ରଥମ ଓ୍ଵିକେଟରେ ଦୃଢ ମୂଳଦୁଆ ପକାଇଥିଲେ। ଉଭୟ ୧୪ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବା ସହ ନିଜ ନିଜର ଅର୍ଧଶତକ ମଧ୍ୟ ଅର୍ଜନ କରିଥିଲେ। ଦଳୀୟ ସ୍କୋର ୧୩୪ ରନ୍‌ ହୋଇଥିଲାବେଳେ ବିବେକ ସିଂହ (୬୪)ଙ୍କୁ ଶୁଭ୍ରାଂଶୁ ରନ୍‌ ଆଉଟ କରିଥିଲେ। ତାଙ୍କ ପଛକୁ ମନୋଜ ତିଓ୍ଵାରୀ (୩) ଙ୍କୁ ଓଡ଼ିଶା ପାଇଁ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଆଇପିଏଲ୍‌ ଖେଳାଳି ଅଭିଷେକ ରାଉତ ଆଉଟ୍‌ କରି ଦ୍ୱିତୀୟ ସଫଳତା ଦେଇଥିଲେ। ତେବେ ବେଙ୍ଗଲକୁ ବିଜୟ ଦ୍ୱାରରେ ପହଞ୍ଚାଇବା ପରେ ଶ୍ରୀବତ୍ସ ମଧ୍ୟ ୭୯ ରନ୍‌ରେ ଆଉଟ ହୋଇଥିଲେ। ସୁଦୀପ ଚାଟାର୍ଜୀ ୬* ଓ ଅନୁସ୍ତୁପ ମଜୁମ୍‌ଦାର ୧* ରନ୍‌ କରି ଦଳକୁ ଜିତାଇଥିଲେ।

ସମ୍ବନ୍ଧିତ ଖବର