ଭୁବନେଶ୍ବର: ଡ୍ରିମ୍ସରେ ଗୁରୁବାରଠୁ ଆରମ୍ଭ ହୋଇଥିବା ସର୍ଭିସେସ୍‌ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଘରୋଇ ଦଳ ଓଡ଼ିଶାର ସମ୍ମାନ ରଖିଛନ୍ତି ଟେଲ୍‌ଏଣ୍ଡର୍‌। ଗତ ଦୁଇ ମ୍ୟାଚ୍‌ରେ ବିଜୟ ଲାଭ କରି ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଶେଷ ଭାଗରେ ରାଜେଶ ମହାନ୍ତିଙ୍କ ପ୍ରଥମ ଅର୍ଦ୍ଧଶତକ ଏବଂ ସୁନିଲ ରାଉଳ ଓ ସୁମିତ ଶର୍ମା ଉପଯୋଗୀ ପାଳି ବଳରେ ୧୮୦ ରନ୍‌ କରିଛି। ଜବାବରେ ସର୍ଭିସେସ୍‌ ପ୍ରଥମ ଦିନର ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ବିନିମୟରେ ୮୫ ରନ୍‌ କରିଛି।

Advertisment

ଏଲିଟ୍‌ ଗ୍ରୁପ୍‌-ଏ’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଘରୋଇ ପଡ଼ିଆରେ ଓଡ଼ିଶା ୧୯ ରନ୍‌ରେ ଦୁଇଟି ୱିକେଟ୍‌ ସ୍ବସ୍ତିକ ସାମଲ (୯) ଓ ଅଧିନାୟକ ସନ୍ଦୀପ ପଟ୍ଟନାୟକ (୦)ଙ୍କୁ ହରାଇଥିଲା। ଆଶୀର୍ବାଦ ବେହେରା (୨୮ ରନ୍‌) ଗୋଟିଏ ପଟେ ଲଢ଼ିଥିଲା ବେଳେ ଗୋବିନ୍ଦ ପୋଦ୍ଦାର (୭), ରାଜେଶ ଧୂପର (୧୬), କାର୍ତ୍ତିକ ବିଶ୍ବାଳ (୦) ଶସ୍ତାରେ ଆଉଟ୍‌ ହୋଇଥିଲେ। ଫଳରେ ଦଳ ୩୨.୪ ଓଭରରେ ୬ ୱିକେଟ୍‌ ହରାଇ ମାତ୍ର ୬୯ ରନ୍‌ କରିଥିଲା। ପଦାର୍ପଣକାରୀ ଅନିଲ ପଣ୍ଡାଙ୍କ ସହ ଯୁବ ତାରକା ରାଜେଶ ସପ୍ତମ ୱିକେଟ୍‌ରେ ୨୩ ରନ୍‌ ଯୋଡ଼ି ପାଳି ଆଗକୁ ନେଇଥିଲେ। ଅନିଲ (୮) ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରିଥିଲେ।

ଓଡ଼ିଶା ୧୮୦, ସର୍ଭିସେସ୍‌ ୮୫/୨
ଅନିଲ ପରିଡ଼ାଙ୍କ ରଣଜୀ ଜୀବନ ଆରମ୍ଭ

ରାଜେଶ ଏହାପରେ ସୁନିଲ (୧୯)ଙ୍କ ସହ ୫୩ ରନ୍‌ର ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌ ଦେଢ଼ଶହର ନିକଟବର୍ତ୍ତୀ କରାଇଥିଲେ। ୧୫୫ ରନ୍‌ରେ ରାଜେଶ (୬୦) ଆଉଟ୍‌ ହୋଇଥିଲେ। ରାଜେଶଙ୍କ ୬୧ ବଲ୍‌ ୬୦ ରନ୍‌ର ଆକ୍ରମଣାତ୍ମକ ପାଳିରେ ୮ ଚୌକା ଓ ୪ ଛକା ସାମିଲ ଥିଲା। ସୁମିତ (୧୬*) ଶେ‌ଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌ ୧୮୦ରେ ପହଞ୍ଚାଇଥିଲେ। ସର୍ଭିସେସ୍ ପକ୍ଷରୁ ଦୁଇ ଦ୍ରୁତ ବୋଲର ପୁନମ ପୁନିଆ ୪ ଓ ଜୟନ୍ତ ଗୋୟାତ ୩ ୱିକେଟ୍‌ ନେଇଛନ୍ତି। ଓଡ଼ିଶା ପାଇଁ ଏହି ସିଜନ୍ ଶେଷ ମ୍ୟାଚ୍‌ରେ ପଦାର୍ପଣ କରିଥିବା ଅନିଲ ପରିଡ଼ାଙ୍କ ରଣଜୀ ଜୀବନ ଆରମ୍ଭ ହୋଇଛି। ପୂର୍ବରୁ ସେ ଓଡ଼ିଶା ବରିଷ୍ଠ ଦଳ ପାଇଁ କୌଣସି ଫର୍ମାଟରେ ଖେଳି ନଥିଲେ। ମ୍ୟାଚ୍‌ ପୂର୍ବରୁ ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ସୁରେନ୍ଦ୍ର ଭାବେ ତାଙ୍କୁ ଓଡ଼ିଶା କ୍ୟାପ୍‌ ପ୍ରଦାନ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଓଡ଼ିଶା ପ୍ରଥମ ପାଳି: ୬୨.୨ ଓଭରରେ ୧୮୦ (ରାଜେଶ ମହାନ୍ତି-୬୦, ଆଶୀର୍ବାଦ ସ୍ବାଇଁ-୨୮, ସୁନିଲ ରାଉଳ-୧୯, ସୁମିତ ଶର୍ମା-୧୬*, ପୁନମ ପୁନିଆ-୪/୩୩, ଜୟନ୍ତ ଗୋୟାତ-୩/୩୩)। ସର୍ଭିସେସ୍‌ ପ୍ରଥମ ପାଳି: ୨୩ ଓଭରରେ ୮୫/୨ (ରବି ଚୌହାନ ୪୦, ସୂରଜ ‌ବଶିଷ୍ଟ ୨୪, ସୁନିଲ ରାଉଳ ୧/୨୦, ତାପସ ଦାସ ୧/୨୬)।