କୋଲକାତା: ଆଇପିଏଲ୍ରେ ଓଡ଼ିଆ ପୁଅ ଖେଳୁନାହାନ୍ତି ବୋଲି ରାଜ୍ୟରେ ଅନେକ ଅବସୋସ। କିନ୍ତୁ ସୋମବାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ବନାମ ଗୁଜରାଟ ଟାଇଟନ୍ସ ମୁକାବିଲା ପୂର୍ବରୁ ଏକ ଓଡ଼ିଶା ସଂଯୋଗ ସାମାନ୍ୟ ଆଶ୍ବସ୍ତି ଆଣିଥିଲା। ଉଭୟ ବେଙ୍ଗଲ ଓ ଓଡ଼ିଶା ପାଇଁ ରଣଜୀ ଟ୍ରଫି ଖେଳିଥିବା ରାଜୀବ ସେଠ୍ ଏହି ମ୍ୟାଚ୍ର ମ୍ୟାଚ୍ ରେଫରି ଭୂମିକାରେ ରହିଥିଲେ। ବେଙ୍ଗଲ ପାଇଁ ରଣଜୀ ଟ୍ରଫି ଜିତିଥିବା ୫୭ ବର୍ଷୀୟ ରାଜୀବ ଏବେ ଭୁବନେଶ୍ବରରେ ଅବସ୍ଥାପିତ ଓଡ଼ିଶା ଟାଟା ନାଭାଲ ହକି ଏଚ୍ପିସିର ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି।
ଓଡ଼ିଶା କ୍ରିକେଟ୍ ଦୁନିଆରେ ଏକ ପରିଚିତ ଚେହେରା ରାଜୀବ ମଧ୍ୟ ଏବେ ଓଡ଼ିଶା ହକିର ବିକାଶରେ ବଡ଼ ଯୋଗଦାନ ରଖୁଛନ୍ତି। ଓଡ଼ିଶା ଟାଟା ନାଭାଲ ହକି ଏଚ୍ପିସି ପ୍ରତିଷ୍ଠା ପରଠାରୁ ରାଜ୍ୟରେ ତୃଣମୂଳ ସ୍ତରରେ ହକିର ବିକାଶ ଘଟିବା ସହ ଏକାଧିକ ଜୁନିୟର୍ ଖେଳାଳି ଏହି ବ୍ୟବସ୍ଥାରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛନ୍ତି। ହକି ପାଇଁ ସମର୍ପିତ ଭାବେ କାମ କରୁଥିଲେ ମଧ୍ୟ ରାଜୀବ ନିଜ ପ୍ରଥମ ପ୍ରେମ କ୍ରିକେଟ୍କୁ ଛାଡ଼ିପାରିନାହାନ୍ତି। ଘରୋଇ କ୍ରିକେଟ୍ର ସମସ୍ତ ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି, ବିଜୟ ହଜାରେ ଟ୍ରଫି, ସୟଦ ମୁସ୍ତାକ ଅଲୀ ଟ୍ରଫି ଆଦିରେ ସେ ବିସିସିଆଇ ମ୍ୟାଚ୍ ରେଫରି ଦାୟିତ୍ବ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖେଳାଳି ଜୀବନରେ ଏହି ବିଗତ ଦିନର ଦ୍ରୁତ ବୋଲର ୨୬ ରଜଣୀ ଟ୍ରଫି ଏବଂ ୧୫ ଲିଷ୍ଟ୍ ଏ ମ୍ୟାଚ୍ରୁ ଯଥାକ୍ରମେ ୪୬ ଓ ୧୭ ୱିକେଟ୍ ଅକ୍ତିଆର କରିଥିଲେ।