ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ: କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା, ରିଲେ ଦଳରେ ସାମିଲ ହେଲେ ଆନସ୍

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗୁରୁବାର ରାତିରେ ରଙ୍ଗାରଙ୍ଗ ପରିବେଶ ଭିତରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ୭୨ଟି ଦେଶର କ୍ରୀଡ଼ାବିତ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ସ୍ବାସ୍ଥ୍ୟଗତ କାରଣ ପାଇଁ ଇଂଲଣ୍ଡ ରାଣୀ ଏଲିଜାବେଥ ଏଥିରେ ଅଂଶଗ୍ରହଣ କରିନଥିଲେ। ତେବେ ଯୁବରାଜ ଚାର୍ଲସ ଉପସ୍ଥିତ ରହି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ଡୁରାନ ଡୁରାନ, ବ୍ଲାକ୍‌ ସାବତ ଭଳି ବ୍ୟାଣ୍ଡ ଏବଂ ଗିଟାରିଷ୍ଟ ଟମି ଲୁମି ସଙ୍ଗୀତ ପରିବେଷଣ କରିଥିଲେ। ଏହି ୧୧ ଦିନିଆ ପ୍ରତିଯୋଗିତାରେ ୫୦୦୦ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି। ମହାନ ସାକ୍ସୋଫୋନ୍ ବାଦକ ସୋୱିତୋ କିଞ୍ଚ୍‌ଙ୍କ ‘ହିୟର ମାଇଁ ଭଏସ୍’ ସ୍ବରରେ ୭୦୦ରୁ ଅଧିକ କଳାକାରଙ୍କ ନୃତ୍ୟ ପରି‌ବେଷଣ ଉପସ୍ଥିତ ଖେଳାଳି, ପ୍ରଶିକ୍ଷକ, ଅଧିକାରୀ ଓ ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅବ୍ୟବହିତ ପୂର୍ବରୁ ଗୁରୁବାର ବର୍ମିଂହାମ କ୍ରୀଡ଼ାଗ୍ରାମରେ ଭାରତୀୟ ଜାତୀୟ ପତାକା ଆନୁଷ୍ଠାନିକ ଭାବେ ଉତ୍ତୋଳନ କରାଯାଇଛି। ଏହି ଉତ୍ସବରେ ଭାରତୀୟ ଅଲିମ୍ପିକ୍ସ ସଂଘର କାର୍ଯ୍ୟକାରୀ ସଭାପତି ଅନିଲ ଖାନ୍ନା, କୋଷାଧ୍ୟକ୍ଷ ଆନନ୍ଦେଶ୍ବର ପାଣ୍ଡେ, ଉପ ଚିଫ୍ ଡି’ ମିଶନ ଅନିଲ ଧୂପରଙ୍କ ସହ ବହୁ ଖେଳାଳି ଓ ପ୍ରଶିକ୍ଷକ ଉପସ୍ଥିତ ଥିଲେ। ପାରମ୍ପରିକ ଗୀତ, ସଂଗୀତ ଓ ନୃତ୍ୟର ତାଳେତାଳେ ଭାରତୀୟ ଦଳର ଚିଫ୍ ଡି’ ମିଶନ ରାଜେଶ ଭଣ୍ଡାରି ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ରିଲେ ଦଳରେ ସାମିଲ ହେଲେ ଆନସ୍
ଜାତୀୟ କୀର୍ତ୍ତିମାନଧାରୀ ମହମ୍ମଦ ଆନସ୍ ଭାରତୀୟ ୪ ଗୁଣା ୪୦୦ ମିଟର ରିଲେ ଦଳରେ ସାମିଲ ହୋଇଛନ୍ତି। ଆହତ ଧାବକ ରାଜେଶ ରମେଶଙ୍କ ସ୍ଥାନ ନେଇଛନ୍ତି ସେ। ଆନସ୍ ପୂର୍ବରୁ ଭାରତୀୟ ୪ ଗୁଣା ୪୦୦ ମିଟର ରିଲେ ଦଳର ସଦସ୍ୟ ଥିଲେ। ହେଲେ ତାଙ୍କ ଉପସ୍ଥିତି ସତ୍ତ୍ବେ ଭାରତୀୟ ଦଳ ଆମେରିକାର ୟୁଜିନଠାରେ ଆୟୋଜିତ ବିଶ୍ବ ଦୌଡ଼କୁଦର ଫାଇନାଲ୍‌ ପର୍ଯ୍ୟାୟକୁ ଯାଇପାରିନଥିଲା। ସେପଟେ ଆହତ ଜାଭଲିନ୍ ତାରକା ନୀରଜ ଚୋପ୍ରା ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରି ଯାଇଛନ୍ତି। ପୁଣି ଏସୀୟ କୀର୍ତ୍ତିମାନଧାରୀ ସଟ୍‌ପୁଟର୍ ତେଜିନ୍ଦର ପାଲ ସିଂହ ମଧ୍ୟ ଏଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଖିବାକୁ ମିଳିବେ ନାହିଁ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ରାଜୀବ ଆରୋକିଆଙ୍କ ସ୍ଥାନରେ ଜାତୀୟ କୀର୍ତ୍ତିମାନଧାରୀ ଉଚ୍ଚଡିଆଁ ତାରକା ତେଜସ୍ବିନ ଶଙ୍କର ଭାରତୀୟ ଦଳକୁ ଫେରିଛନ୍ତି। ଏହିସବୁ ଅଦଳ ବଦଳ ପରେ ମୂଳରୁ ଭାରତୀୟ ଦୌଡ଼କୁଦ ଦଳ ୩୭ ଜଣିଆ ଥିଲା ବେଳେ ଏବେ ୩୨ ଜଣକୁ କମି ଆସିଛି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ୨୬ ଜଣିଆ ଦୌଡ଼କୁଦ ଦଳ ପଠାଇ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିଲା।

୧୦୦ ମିଟରରେ ଦୌଡ଼ିବେ ଦୂତି
ଭାରତୀୟ ଦୌଡ଼କୁଦ ଦଳ‌ରେ ଥିବା ଧନଲକ୍ଷ୍ମୀ ସେକର ଏବଂ ତାଙ୍କ ବଦଳ ଖେଳାଳି ଘୋଷିତ ‌ହୋଇଥିବା ଏମ୍‌ଭି ଜିଲନା ଡୋପ୍ ଟେଷ୍ଟ୍‌ରେ ବିଫଳ ହେବା ପରେ ଓଡ଼ିଆ ତାରକା ଦୂତି ଚାନ୍ଦ ଲାଭବାନ ହୋଇଛନ୍ତି। ପୂର୍ବରୁ କେବଳ ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ଥିବା ଦୂତି ଏବେ ୧୦୦ ମିଟର ବର୍ଗରେ ମଧ୍ୟ ଦୌଡ଼ିବାର ସୁଯୋଗ ପାଇଛନ୍ତି। ମହିଳା ୧୦୦ ମିଟର ବ୍ୟତୀତ ଅନ୍ୟତମ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦଙ୍କ ସହ ଦୂତି ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳରେ ମଧ୍ୟ ଦୌଡ଼ିବାର ବି ଯଥେଷ୍ଟ ସମ୍ଭାବନା ରହିଛି। ଆସାମ ଧାବିକା ହିମା ଦାସ ମହିଳା ୨୦୦ ମିଟର ପାଇଁ ମନୋନୀତ ହୋଇଛନ୍ତି। ଗତମାସରେ ଅନୁଷ୍ଠିତ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତିଙ୍କୁ ହରାଇ ହିମା ୧୦୦ ମିଟରରେ ସ୍ବର୍ଣ୍ଣ ଏବଂ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ। ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିସାରିଥିବା ଦୂତି ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବାକୁ ଯାଉଛନ୍ତି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଠିକ୍ ପୂର୍ବରୁ ଶରୀରରେ ପୁରୁଷ ହର୍ମୋନ ମାତ୍ରା ଅଧିକ ଦର୍ଶାଇ ତାଙ୍କୁ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଥିଲା। ଅନ୍ୟପକ୍ଷରେ ଆହତ ହୋଇ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିନଥିଲେ ଦୂତି। ଦୌଡ଼କୁଦରେ ଶନିବାର ନିତେନ୍ଦର ରାୱତ ପୁରୁଷ ମାରାଥନରେ ଅଂଶଗ୍ରହଣ କରି ଭାରତର ଅଭିଯାନ ଆରମ୍ଭ କରିବେ।

ଜୁଡ଼ୋକା ଜସ୍‌ଲିନଙ୍କୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ସବୁଜ ସଙ୍କେତ
ଜୁଡ଼ୋକା ଜସ୍‌ଲିନ ସିଂହଙ୍କୁ ସମସ୍ତ ପ୍ରକାର ଅଶୋଭନୀୟ ଆଚରଣ ଅଭିଯୋଗରୁ ଦିଲ୍ଲୀ ଉଚ୍ଚନ୍ୟାଳୟ ମୁକ୍ତ କରିଛନ୍ତି। ଫଳରେ ସେ ବର୍ମିଂହାମ ରାଜ୍ୟ‌ଗୋଷ୍ଠୀ କ୍ରୀଡ଼ା ଖେଳିବାର ବାଟ ଫିଟିଯାଇଛି। ଜସ୍‌ଲିନଙ୍କୁ ଉଚ୍ଚନ୍ୟାୟାଳୟଙ୍କ ସବୁଜ ସଙ୍କେତ ଭାରତୀୟ ଜୁଡ଼ୋ ଦଳ ପାଇଁ ବହୁତ ବଡ଼ ଖୁସି ଖବର ହୋଇଛି। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ ଜୁଡ଼ୋ ଚାମ୍ପିଅନସିପ୍‌ରେ ଜସ୍‌ଲିନ୍ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ସ୍ପେନର ବେନିଡ୍ରମଠାରେ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ଅବସରରେ ଜସ୍‌ଲିନ୍ ଓ ତାଙ୍କ ରୁମ୍‌ମେଟ୍ କିଛି ସ୍ପେନୀୟ ମହିଳାଙ୍କ ସହ ଗଣ୍ଡଗୋଳ କରି ବିବାଦୀୟ ହୋଇଥିଲେ। ପରଦିନ ଅବଶ୍ୟ ସେହି ମହିଳାମାନେ ଜସ୍‌ଲିନ ଓ ତାଙ୍କ ବାନ୍ଧବୀଙ୍କୁ ସମର୍ଥନ କରିବା ସହ ଏଥିନେଇ ‌କୌଣସି ମାମଲା ଦାୟର କରିନଥିଲେ। ଏପରିକି ସଂପୃକ୍ତ ସ୍ପେନୀୟ ମହିଳାଙ୍କ ସହ ଅନ୍ୟକେହି ଗଣ୍ଡଗୋଳ କରିଥିବା ଜଣାପଡ଼ିଥିଲା। ତଥାପି ଏହି କାରଣରୁ ଜସ୍‌ଲିନଙ୍କୁ ରାଜ୍ୟଗୋଷ୍ଠୀ ଦଳରୁ ବାଦ୍‌ ଦିଆଯାଇଥିଲା। ଜସଲିନ ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଭାରତୀୟ ଜୁଡ଼ୋ ଦଳ ଅଗଷ୍ଟ ୧ ଓ ୨ ତାରିଖରେ ଲଢ଼େଇକୁ ଅବତୀର୍ଣ୍ଣ ହେବ।

ନିଖତ ଓ ଲଭ୍‌ଲିନାଙ୍କୁ ସହଜ ଡ୍ର’
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ମୁଷ୍ଟିଯୁଦ୍ଧରେ ଭାରତର ନିଖତ ଜରିନ ଏବଂ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଲଭ୍‌ଲିନା ବର୍ଗୋହାଁ ସହଜ ଡ୍ର’ ପାଇଛନ୍ତି। ନିଖତ ୪୮ରୁ ୫୦ କିଲୋଗ୍ରାମ ବର୍ଗରେ ମୋଜାମ୍ବିକର ହେଲେନା ଇସମାଇଲ ବଗାଓଙ୍କୁ ଭେଟିବେ। ଏହି ପର୍ଯ୍ୟାୟକୁ ଜିତିଲେ ନିଖତ କ୍ବାର୍ଟର ଫାଇନାଲ୍‌ରେ ୱେଲ୍ସର ହେଲେନ ଜୋନ୍ସଙ୍କୁ ଭେଟିବେ। ସେହିଭଳି ଲଭ୍‌ଲିନା ଅପେକ୍ଷାକୃତ ଅନାମଧେୟ ମୁଷ୍ଟିଯୋଦ୍ଧା ନ୍ୟୁଜିଲାଣ୍ଡର ଆରିନ ନିକୋଲାସଙ୍କ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବେ। ଲଭ୍‌ଲିନା ୬୬ରୁ ୭୦ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ରାଉଣ୍ଡ ଜିତିଲେ ଲଭ୍‌ଲିନା କ୍ବାର୍ଟରରେ ୱେଲ୍ସର ରୋଜି ଏକେଲ୍ସଙ୍କ ମୁକାବିଲା କରିବେ। ୨୦୧୬ ଓ ୨୦୧୯ ୟୁରୋପୀୟ ଚାମ୍ପିଅନସିପ୍‌ରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଏକେଲ୍ସ ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି। ୫୭ରୁ ୬୦ କିଲୋଗ୍ରାମରେ ଜସ୍ମିନ କ୍ବାର୍ଟର ଫାଇନାଲ୍‌ରେ ସିଧାସଳଖ ନ୍ୟୁଜିଲାଣ୍ଡର ଟ୍ରୟ ଗାର୍ଟନଙ୍କୁ ଭେଟିବେ। ୪୫ରୁ ୪୮ କିଲୋଗ୍ରାମରେ ନିତୁ କେବଳ ଗୋଟିଏ ଲଢ଼େଇ ଜିତିଲେ ପଦକ ଦାବିଦାର ହେବେ। କାରଣ ଏହି ବର୍ଗରେ ମାତ୍ର ୮ ଜଣ ମୁଷ୍ଟିଯୋଦ୍ଧା ଅଂଶଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର