ରାଜ୍ୟଗୋ‌ଷ୍ଠୀ ଜୁଡ଼ୋ:ଭାରତୀୟ ଦଳରେ ନିତ୍ୟା

ଭୁବନେଶ୍ବର: ଭାରତୀୟ ରାଜ୍ୟଗୋଷ୍ଠୀ ପ୍ରି-କ୍ୟାଡେଟ୍‌ ଜୁଡ଼ୋ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ନିତ୍ୟା ମାଝୀ। ଚଳିତ ବର୍ଷ ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କିସ୍‌ରେ ଅଧ୍ୟୟନରତ ନିତ୍ୟା ୪୬ କେଜି ବାଳକ ବର୍ଗରେ ଭାଗନେବେ। ଗତ ୭ ତ‌ାରିଖରେ ଭାରତୀୟ ଜୁଡ଼ୋ ମହାସଂଘ ଆନୁକୂଲ୍ୟରେ ନୂଆଦିଲ୍ଲୀ କୋଟ୍‌ଲାସ୍ଥିତ ଜାତୀୟ ବାଲ୍‌ ଭବନଠାରେ ଆୟୋଜିତ ପ୍ରଶିକ୍ଷଣ ଓ ଚୟନ ଶିବିରରେ ନିତ୍ୟା ହରିଆଣା, ମହାରାଷ୍ଟ୍ର ଓ ଦିଲ୍ଲୀର ଜୁଡ଼ୋକାମାନଙ୍କୁ ହରାଇ ନିଜ ପାଇଁ ରାଜ୍ୟଗୋଷ୍ଠୀ ସ୍ଥାନ ପକ୍କା କରିଥିଲେ। ଏହା ପୂର୍ବରୁ ସେ ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲା ବେଳେ ଜାତୀୟସ୍ତରର ‌ଜୁଡ଼ୋ ପ୍ରତିଯୋଗିତାରେ ଖେଳିଛନ୍ତି। ୨୦୧୩ ମସିହାରୁ ସେ କିସ୍‌ର ଜୁଡ଼ୋ ପ୍ରଶିକ୍ଷକ କନ୍ଦନ ମୁର୍ମୁଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ମୁରୁଡ଼ିମାହା ଗ୍ରାମର ଏକ ଗରିବ ଜନଜାତି ପରିବାରରେ ଜନ୍ମ ଗ୍ରହଣ କରିଥିବା ନିତ୍ୟା ୨୦୧୦ରେ କିସ୍‌ରେ ନାମ ଲେଖାଇଥିଲା ‌ବେଳେ ସଂପ୍ରତି ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ବାପା ଇବ୍ରାହମ ମାଝୀ ଜଣେ କୃଷି ଶ୍ରମିକ। ତାଙ୍କର ଏହି ସଫଳତା ଲାଗି କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ଓଡ଼ିଶା ଜୁଡ଼ୋ ସଂଘ ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ସମ୍ପାଦକ ପି କେ ମିଶ୍ର, ସିଇଓ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ନିତ୍ୟାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ‌

ସମ୍ବନ୍ଧିତ ଖବର