ରାକେଶ ଆଇଏମ୍‌, ତାପସ ଆଇଏ

କଟକ: ତୁର୍କିର ଆନ୍ତଲ୍ୟାଠାରେ ଚଳିତ ମାସ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ୮୮ତମ ଫିଡେ କଂଗ୍ରେସ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଚେସ୍‌ ସଂଘ (ଫିଡେ)ର ଅନୁମୋଦନକ୍ରମେ ଯାଜପୁରର ରାକେଶ କୁମାର ଜେନାଙ୍କୁ ଆନ୍ତର୍ଜାତିକ ମାଷ୍ଟର (ଆଇଏମ୍‌) ଓ କଟକର ତାପସ କୁମାର ମହାନ୍ତିଙ୍କୁ ଆନ୍ତର୍ଜାତିକ ଆର୍ବିଟର (ଆଇଏ) ମାନ୍ୟତା ମିିଳିଛି। ଭାରତର ୩ ଜଣଙ୍କୁ ଗ୍ରାଣ୍ଡ ମାଷ୍ଟର, ୪ ଜଣଙ୍କୁ ଆନ୍ତର୍ଜାତିକ ମାଷ୍ଟର, ଜଣଙ୍କୁ ମହିଳା ଆନ୍ତର୍ଜାତିକ ମାଷ୍ଟର, ୪ ଜଣଙ୍କୁ ଆନ୍ତର୍ଜାତିକ ଆର୍ବିଟର ଏବଂ ୧୩ ଜଣଙ୍କୁ ଫିଡେ ଆର୍ବିଟର ମାନ୍ୟତା ଦିଆଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ରଙ୍କୁ ଫିଡେ ଆର୍ବିଟର ମାନ୍ୟତା ମିଳିଛି। ଭାରତର ୫୦ତମ ଗ୍ରାଣ୍ଡମାଷ୍ଟର ଭାବେ ଏମ୍‌ଏସ୍‌ ତେଜକୁମାର ଏହି ମାନ୍ୟତା ପାଇଛନ୍ତି। ପୂର୍ବରୁ ତାପସ ମହାନ୍ତି ୨୦୧୦ରେ ଜାତୀୟ ବରିଷ୍ଠ ଆର୍ବିଟର ଚେସ୍‌ ପରୀକ୍ଷା ଓ ୨୦୧୨ ଫିଡେ ଆର୍ବିଟର ଚେସ୍‌ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିବା ସହ ଅନେକ ପ୍ରତିଯୋଗିତା ପରିଚାଳନା କରିଆସୁଛନ୍ତି। ତାପସଙ୍କ ଏହି ସଫଳତା ପାଇଁ କଟକ ଜିଲ୍ଲା ଚେସ୍‌ ସଂଘ, ଜାଗ୍ରତ ଓଡ଼ିଶା ଆଇନ୍‌ଜୀବୀ ପରିଷଦ ଓ ସିଡିଏ ବାସିନ୍ଦାଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର