ତୀରନ୍ଦାଜିରେ ରାକେଶ-ଜ୍ୟୋତି କ୍ବାର୍ଟରରୁ ବିଦା

ଟୋକିଓ : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ରବିବାର ତୀରନ୍ଦାଜି କମ୍ପାଉଣ୍ଡ ମିଶ୍ରିତ ଏବ ମହିଳା ଓପନ୍‌ ବର୍ଗରୁ ଭାରତର ଅଭିଯାନ ଶେଷ ହୋଇଯାଇଛି। ମିଶ୍ରିତ ଯୋଡ଼ି ରାକେଶ କୁମାର ଓ ଜ୍ୟୋତି ବାଲିୟାନ୍‌ କ୍ବାର୍ଟର ଫାଇନାଲ୍‌ରେ ପରାଜୟ ବରଣ କରିବାରୁ ଭାରତର ପଦକ ଆଶା ମଉଳି ଯାଇଥିଲା। ଏହି ଷଷ୍ଠ ମାନ୍ୟତା ଭାରତୀୟ ଯୋଡ଼ି କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ତୁର୍କି ଯୋଡ଼ି ଓନ୍‌ଜୁର କ୍ୟୁରେ ଓ ବୁଲେଣ୍ଟ୍‌ କର୍କମାଜ୍‌ଙ୍କ ନିକଟରୁ ୧୫୧-୧୫୩ରେ ହାରିଗଲେ। ପୂର୍ବାହ୍ନରେ ରାକେଶ-ଜ୍ୟୋତି ଥାଇଲାଣ୍ଡ୍‌ ଯୋଡ଼ି ଅନୋନ୍‌ ଅଙ୍ଗାଫିନାନ୍‌-ପ୍ରଫା‌ପର୍ଣ୍ଣ ହୋମ୍‌ଜାନ୍ତ୍‌ଉକ୍‌ଙ୍କୁ ୧୪୭-୧୪୧ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ ମହିଳା କମ୍ପାଉଣ୍ଡ ଓପନ୍‌ ‌ବର୍ଗରେ ଏକମାତ୍ର ଭାରତୀୟ ଭାବେ ଅଂଶଗ୍ରହଣ କରିଥିବା ଜ୍ୟୋତି ମଧ୍ୟ ପ୍ରଥମ ରାଉଣ୍ଡରେ ଆୟର୍ଲାଣ୍ଡ୍‌ର କେରି ଲୁସି ଲିଓନାର୍ଡଙ୍କଠାରୁ ୧୩୭-୧୪୧ରେ ପରାସ୍ତ ହୋଇଥିଲେ। ତେବେ କମ୍ପାଉଣ୍ଡ ବର୍ଗରେ ଏବେ ଏକମାତ୍ର ଭାରତୀୟ ଭାବେ ରାକେଶ କୁମାର ଭାରତ ପାଇଁ ପଦକ ଆଶା ଉଜ୍ଜୀବୀତ ରଖିଛନ୍ତି। ପୁରୁଷ କମ୍ପାଉଣ୍ଡ ଓପନ୍‌ ବର୍ଗରେ ସେ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିସାରିଛନ୍ତି। ଏହି ରାଉଣ୍ଡରେ ସେ ମାରିଆନ୍‌ ମାରେକାକ୍‌ଙ୍କ ସହ ମୁକାବିଲା କରିବେ। ସେହିପରି ରିକର୍ଭ ପୁରୁଷ ଓପନ୍‌ରେ ଦୁଇ ଭାରତୀୟ ବିବେକ ଚିକାରା ଓ ହରବିନ୍ଦର ସିଂହ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇବେ।

ସମ୍ବନ୍ଧିତ ଖବର