ଭୁବନେଶ୍ବର: ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା କାମନା କରାଯାଇଛି। ରାକେଶ ହେଉଛନ୍ତି ଓଡିଶାର ଜଣେ ପ୍ରଖ୍ୟାତ ଜିମ୍ନାଷ୍ଟ ଯିଏକି କ୍ରମାଗତ ଭାବରେ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ନିଯୁକ୍ତି କେବଳ ଜିମ୍ନାଷ୍ଟିକ୍ କ୍ଷେତ୍ରରେ ତାଙ୍କର ଉତ୍ସର୍ଗୀକୃତ ଏବଂ ଅବଦାନକୁ ଆଲୋକିତ କରେ ନାହିଁ ବରଂ ଓଡିଶା ପାଇଁ ଏକ ମହତ୍ବପୂର୍ଣ୍ଣ ଘଟଣା ହୋଇପାରିଛି।
ଏହି ସମ୍ମାନଜନକ ଇଭେଣ୍ଟରେ ପୃଥିବୀର ବିଭିନ୍ନ ସ୍ଥାନରୁ ଆଥଲେଟ୍ମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଏହା ଆମ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ଓଡ଼ିଶା ଜମ୍ନାଷ୍ଟିକ୍ସ ସଂଘ ସମ୍ପାଦକ ଅଶୋକ ସାହୁ କହିଛନ୍ତି। ସମ୍ପାଦକଙ୍କ ବ୍ୟତୀତ ରାଜ୍ୟ ସଂଘ ସଭାପତି ସମୀର ଦେ, ଓଡ଼ିଶା ଫୁଟ୍ବଲ୍ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ରାକେଶ ବର୍ତ୍ତମାନ ଭାରତୀୟ ନୌସେନାରେ ଚିଫ୍ ପେଟି ଅଫିସର ଭାବେ କାର୍ଯ୍ୟରତ।