ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ଅମଳ ଜାରି ରହିଛି। ବୁଧବାର ଓଡ଼ିଶା ଖାତାରେ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ସହ ୫ ପଦକ ଯୋଡ଼ି ହୋଇଛି। ଫଳରେ ରାଜ୍ୟର ପଦକ ସଂଖ୍ୟା ୪୧ (୧୨ ସ୍ବର୍ଣ୍ଣ, ୧୪ ରୌପ୍ୟ, ୧୫ କାଂସ୍ୟ)ରେ ପହଞ୍ଚିଛି। ଆଜି ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଜିମ୍ନାଷ୍ଟିକ୍ସରୁ ମିଳିଥିଲା ବେଳେ ୩ (୧ ରୌପ୍ୟ, ୨ କାଂସ୍ୟ) ପଦକ କାନୋଇଂରୁ ଆସିଥିଲା। ଏହି ଏକ ମାତ୍ର ସ୍ବର୍ଣ୍ଣଟି ଜିମ୍ନାଷ୍ଟ ରାକେଶ ପାତ୍ର ଜିତିଛନ୍ତି। ପୁରୁଷ ଷ୍ଟିଲ୍‌ ରିଙ୍ଗ୍‌ରେ ରାକେଶ ୧୩.୧୩୩ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Advertisment

ସର୍ଭିସେସ୍‌ରୁ ଖେଳୁଥିବା ଓଡ଼ିଆ ପୁଅ ତପନ ମହାନ୍ତି (୧୨.୮୦୦) ଏହି ଇଭେଣ୍ଟ୍‌ରେ କାଂସ୍ୟ ପାଇଥିଲେ। ପୂର୍ବରୁ ଅଲ୍‌ରାଉଣ୍ଡରେ ସ୍ବର୍ଣ୍ଣ ଜିତିଥିବା ତପନ ଏହି କାଂସ୍ୟ ସହ ବୁଧବାର ଆଉ ଏକ ସ୍ବର୍ଣ୍ଣ ମଧ୍ୟ ନିଜ ଖାତାରେ ଯୋଡ଼ିଛନ୍ତି। ଫ୍ଲୋର୍‌ ଏକ୍ସରସାଇଜ୍‌ରେ ସେ ୧୩.୦୩୩ ପଏଣ୍ଟ୍‌ କରାୟତ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ନୌସେନାରେ ଚାକିରି କରୁଥିବା ତପନ ଓଡ଼ିଶାରୁ ଖେଳୁ ନଥିଲେ ମଧ୍ୟ ୫ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତକାଲି ଅଲ୍‌ରାଉଣ୍ଡରେ ସ୍ବର୍ଣ୍ଣ ଜିତିଥିବା ଅଲିମ୍ପିଆନ୍‌ ଜିମ୍ନାଷ୍ଟ ପ୍ରଣତି ନାୟକ ବୁଧବାର ନିଜ ବ୍ୟକ୍ତିଗତ ଖାତାରେ ରୌପ୍ୟ ପଦକ ଯୋଡ଼ିଛନ୍ତି। ‌ମହିଳା ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଟେବଲ୍‌ ଭଲ୍ଟରେ ସେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ପୂର୍ବରୁ ଦଳଗତରେ କାଂସ୍ୟ ଜିତିଥିବା ଓଡ଼ିଶା ଦଳର ସଦସ୍ୟ ଥିଲେ ପ୍ରଣତି। ଫଳରେ ତାଙ୍କ ପଦକ ସଂଖ୍ୟା ୩ (ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ)ରେ ପହଞ୍ଚିଛି। 

ସେହିଭଳି ଗତକାଲି ସି-୧ ମହିଳା ୨୦୦ ମିଟରରେ କାଂସ୍ୟ ଜିତିଥିବା‌ ରଶ୍ମିତା ସାହୁ ବୁଧବାର ‌ଆଚୋଇବାମ ଦେବୀଙ୍କ ସହ ସି୨ଡବ୍‌ଲ୍ୟୁ ୫୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଶାର ଏହି ଯୋଡ଼ି ୨ମିନିଟ୍‌ ୦୬.୪୬୬ ସେକେଣ୍ଡରେ ରେସ୍‌ ଶେ‌ଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ସର୍ଭିସେସ୍‌ର ଏଲ୍‌ ନେହା ଦେବୀ ଓ କାବେରୀ ଦିମାର (୨:୦୪.୨୩୩) ସ୍ବର୍ଣ୍ଣ ଏବଂ ଉତ୍ତରାଖଣ୍ଡର ମୀରା ଦାସ (୨:୦୮.୧୪୯) କାଂସ୍ୟ ପାଇଥିଲେ। କାଂସ୍ୟ ଦୁଇଟି ଓଇନାମ ଦେବୀ ଓ ଓଇନାମ ଚାନୁ ଏବଂ ସାଗର କୁମାର ଓ ସଲାମ ସିଂହ ଜିତିଛନ୍ତି। କେ୨ଡବ୍‌ଲ୍ୟୁ ୫୦୦ ମିଟରରେ ଓଇନା ଓଇନାମ ଦେବୀ ଓ ଓଇନାମ ଚାନୁ (୧:୫୯.୯୩୦) ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ସାଗର ଓ ସଲାମ କେ୨ଏମ୍‌ ୫୦୦ ମିଟର ରେସ୍‌କୁ ୧ମିନିଟ୍‌ ୩୮.୮୯୭ ସେକେଣ୍ଡ୍‌ରେ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ।