ରମଣଙ୍କ ନିଯୁକ୍ତିର ସମୀକ୍ଷା ହେବ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଡବ୍ଲୁଭି ରମଣଙ୍କ ନିଯୁକ୍ତିକୁ ନେଇ ସମୀକ୍ଷା କରିବାକୁ ପ୍ରଶାସନିକ ସମିତି (ସିଓଏ) ଶେଷରେ ବିସିସିଆଇ ଲୋକପାଳ ଏବଂ ନୈତିକ ଅଧିକାରୀ ଡିକେ ଜୈନ୍‌କୁ କହିଛନ୍ତି। ରମଣଙ୍କ ନିଯୁକ୍ତିକୁ ନେଇ ସିଓଏ ଏପ୍ରିଲ ମାସରେ ସମୀକ୍ଷା କରିବାର ଥିଲା। କିନ୍ତୁ ଏବେ ଏହି ମାମଲା ଉଚ୍ଚତମ ନ୍ୟାୟାଳୟର ପୂବର୍ତନ ବିଚାରପତି ଜୈନ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରମଣଙ୍କୁ କପିଳ ଦେବ, ଅଂଶୁମାନ ଗାଏକ୍ବାଡ୍‌ ଏବଂ ଶନଥ ରଙ୍ଗାସ୍ବାମୀଙ୍କୁ ନେଇ ଗଠିତ ଆଡ୍‌ହକ୍‌ ସମିତି ନିଯୁକ୍ତି କରିଥିଲା। ଏହାପରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସିଓଏର ଦୁଇ ସଦସ୍ୟ ବିନୋଦ ରାଏ ଓ ଡାଇନା ଏଡୁଲଜୀ ଦୁଇ ଭାଗ ହୋଇଯାଇଥିଲେ। ସେହି ସମୟରେ ଇଡୁଲଜୀ କହିଥିଲେ, ପୁରା ପ୍ରଶିକ୍ଷଣ ନିଯୁକ୍ତି ଅସାମ୍ବିଧାନିକ ଭାବେ କରାଯାଇଛି। କେବଳ ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ କ୍ରିକେଟ୍‌ ପରାମର୍ଶଦାତା ସମିତି (ସିଏସି)ଙ୍କ ଉପରେ ହିଁ ପ୍ରଶିକ୍ଷଣ ନିଯୁକ୍ତି ଦାୟିତ୍ବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର