ମୁମ୍ବାଇ: ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ ଡବ୍ଲୁଭି ରମଣ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଆବେଦକମାନଙ୍କ ସାକ୍ଷାତକାର ଶେଷରେ ଭାରତୀୟ ପୁରୁଷ ଦଳର ପୂବର୍ତନ ମୁଖ୍ୟ ପ୍ରଶିକ୍ଷକ କ୍ୟାରି କର୍ଷ୍ଟେନ୍ ଏବଂ ରମଣଙ୍କ ନାମ ତିନି ଜଣିଆ ଅସ୍ଥାୟୀ ସମିତି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ନିକଟକୁ ସୁପାରିସ କରିଥିଲା। ଏଥିରେ କର୍ଷ୍ଟେନ୍ ହିଁ ପ୍ରଥମ ପସନ୍ଦ ରହିଥିଲେ। କର୍ଷ୍ଟେନ୍ ପୂର୍ବରୁ ତିନି ବର୍ଷ (୨୦୦୮ରୁ ୨୦୧୧) ପାଇଁ ଭାରତୀୟ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ତାଙ୍କ ଅଧୀନରେ ଭାରତ ମଧ୍ୟ ୨୦୧୧ ବିଶ୍ବକପ୍ ବିଜେତା ହୋଇଥିଲା। ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ କର୍ଷ୍ଟେନ୍ ଦକ୍ଷିଣ ଆଫ୍ରିକା ଦଳର ପ୍ରଶିକ୍ଷକ ଦାୟିତ୍ବ ନେଇଥିଲେ। କିନ୍ତୁ ଏବେ ସେ ଆଇପିଏଲ୍ ଦଳ ସହ ରହିଛନ୍ତି। ମହିଳା ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବାକୁ ହେଲେ ତାଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଶିକ୍ଷକ ପଦ ଛାଡ଼ିବାକୁ ବିସିସିଆଇ ପ୍ରସ୍ତାବ ଦେଇଥିଲା। ହେଲେ କର୍ଷ୍ଟେନ୍ଙ୍କୁ ସେହି ପଦ ଛାଡ଼ିବାକୁ ରାଜି ନହେବାରୁ ଦ୍ବିତୀୟ ପସନ୍ଦ ଭଭାବେ ରହିଥିବା ରମଣଙ୍କୁ ବିସିସିଆଇ ନିଯୁକ୍ତ କରିଛି। ୫୩ ବର୍ଷ ବୟସ୍କ ରମଣ ଏବେ ବେଙ୍ଗାଲୁରୁସ୍ଥିତ ଏନ୍ସିଏ (ନ୍ୟାସ୍ନାଲ କ୍ରିକେଟ୍ ଏକାଡେମି)ରେ ବ୍ୟାଟିଂ ପରାମର୍ଶଦାତା ଦାୟିତ୍ବ ତୁଲାଉଛନ୍ତି।
ରମେଶ ପାୱାରଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ ତାରିଖରେ ପୂରିଯିବା ପରେ ମିତାଲି ରାଜ୍ଙ୍କ ସହ ବିବାଦ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ତାଙ୍କ କାର୍ଯ୍ୟକାଳ ଆଉ ବଢ଼ାଇନଥିଲା। ଫଳରେ ଦଳର ନୂଆ ପ୍ରଶିକ୍ଷକ ପାଇଁ ବିସିସିଆଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଜ୍ଞପ୍ତି ମୁତାବକ ଆବେଦନକାରୀଙ୍କ ସାକ୍ଷାତକାର ନେବା ପାଇଁ ବିସିସିଆଇ ଏକ ତିନି ଜଣିଆ ଅସ୍ଥାୟୀ ସମିତି ଗଠନ କରିଥିଲା। ସମିତିରେ ଅଂଶୁମାନ ଗାଏକ୍ବାଡ, କପିଳ ଦେବ ଓ ସାନ୍ତା ରାଙ୍ଗାସ୍ବାମୀ ସଦସ୍ୟ ରହିଥିଲେ। ଏହି ସମିତି ପ୍ରଥମେ ଆବେଦନକାରୀଙ୍କ ସଂଖ୍ୟାକୁ କାଣ୍ଟ୍ଛାଣ୍ଟ୍ କରି ୧୦ରେ ସୀମିତ ରଖିଥିଲା। ପୂର୍ବତନ ପ୍ରଶିକ୍ଷକ ରମେଶ ପାୱାର ମଧ୍ୟ ସାନି ଆବେଦନ କରିଥିଲେ। ଶେଷରେ ଗୁରୁବାର ୧୦ ଜଣଙ୍କୁ ସାକ୍ଷାତକାର ପାଇଁ ସମିତି ଡାକିଥିଲା। ସେମାନଙ୍କ ମଧ୍ୟରୁ ପାୱାରଙ୍କ ସମେତ ଡବ୍ଲୁଭି ରମଣ ଓ ମନୋଜ ପ୍ରଭାକର ବ୍ୟକ୍ତିଗତ ଭାବେ ବିସିସିଆଇ ମୁଖ୍ୟାଳୟରେ ହାଜର ହୋଇ ସାକ୍ଷାତକାର ଦେଇଥିଲେ। ପାୱାର ପ୍ରଥମ ବ୍ୟକ୍ତି ଭାବେ ମୁଖ୍ୟାଳୟରେ ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ପୁରୁଷ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ଙ୍କ ସହିତ ଭେଙ୍କଟେସ୍ ପ୍ରସାଦ, ଟ୍ରେଣ୍ଟ୍ ଜନ୍ସନ୍, ଦିମିତ୍ରି ମାସ୍କେରେହାନ୍ସ ଓ ବ୍ରାଡ୍ ହଗ୍ ସ୍କାଇପେ ଜରିଆରେ ସାକ୍ଷାତକାର ଦେଇଥିଲା ବେଳେ ଭାରତୀୟ ମହିଳା ଦଳର ପୂର୍ବତନ ଟେଷ୍ଟ୍ ବ୍ୟାଟର୍ କଳ୍ପନା ଭେଙ୍କଟଚର ଫୋନ୍ ଜରିଆରେ ସାକ୍ଷାତକାର ଦେଇଥିଲେ। ଗୁରୁବାର ସାକ୍ଷାତକାର ଶେଷରେ ସମିତି କର୍ଷ୍ଟେନ୍, ରମଣ ଓ ଭେଙ୍କଟେସ୍ ପ୍ରସାଦଙ୍କ ନାମ ବିସିସିଆଇକୁ ସୁପାରିସ କରିଥିଲା। ଆମେ ଆମ ଦାୟିତ୍ବ ତୁଲାଇସାରିଛୁ ଏବଂ କିଏ ପ୍ରଶିକ୍ଷକ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ବିସିସିଆଇ ନେବ ବୋଲି ସମିତି କହିଥିଲେ। ତେବେ ଏହି ସାକ୍ଷାତକାର କେବଳ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ହୋଇଥିଲା। ଅନ୍ୟ କୌଣସି ଉପ ପ୍ରଶିକ୍ଷକ ବା ସହକାରୀ ପ୍ରଶିକ୍ଷକ ପଦ ପାଇଁ ନଥିଲା ବୋଲି ସମିତି ସ୍ପଷ୍ଟ କରିଦେଇଥିଲା।
ରମଣ ମହିଳା କ୍ରିକେଟ୍ ଦଳ ପ୍ରଶିକ୍ଷକ
ସାକ୍ଷାତକାର ଶେଷରେ କର୍ଷ୍ଟେନ୍ ଥିଲେ ପ୍ରଥମ ପସନ୍ଦ
/sambad/media/post_attachments/wp-content/uploads/2018/12/11-Former-opener-W-V-Raman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)