ଓଡ଼ିଶା ପଚାରିଲାନି, କେରଳକୁ ପଦକ ଭେଟିଦେବି: ରମ୍ଭା

‘ଓଡ଼ିଶାରେ ଖେଳ ଅପେକ୍ଷା ରାଜନୀତି ବଢିଯାଇଛି’

କଟକ: ଜବାହରଲାଲ ନେହରୁ ଇଣ୍ତୋର ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ପାଇଁ କଟକରେ ପହଞ୍ଚିଛନ୍ତି ଭାରତୀୟ ଉପ କନିଷ୍ଠ ବାଳିକା ଦଳର ପ୍ରଶିକ୍ଷିକା ରମ୍ଭା ସାହୁ। ଢେଙ୍କାନାଳର ମୂଳ ବାସିନ୍ଦା ରମ୍ଭାଙ୍କୁ ରାଜ୍ୟ ସରକାର କିମ୍ବା ରାଜ୍ୟ କୁସ୍ତି ସ˚ଘର ସହଯୋଗ ନମିଳିବାରୁ ବର୍ତ୍ତମାନ କେରଳରେ ରହି ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ପ୍ରଶିକ୍ଷଣରେ କେରଳ ବାଳିକାମାନେ ପ୍ରତ୍ୟେକ ବର୍ଷ ପଦକ ଜିତୁଥିବା ବେଳେ ସେ ମଧ୍ୟ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ବର୍ଷେ ହେଲାଣି କାର୍ଯ୍ୟ କରୁଛନ୍ତି। ଏହାସତ୍ତ୍ବେ ରାଜ୍ୟର କ୍ରୀଡ଼ା ମୁଖିଆମାନେ ତାଙ୍କୁ ସାମାନ୍ୟତମ ପ୍ରୋତ୍ସାହନ ଦେବାକୁ ଆଗ୍ରହ ଦେଖାଇନାହାନ୍ତି। ଜେଏନ୍‌ ଇଣ୍ତୋର ଷ୍ଟାଡିୟମରେ ଖେଳାଳିମାନଙ୍କୁ ଅଭ୍ୟାସ କରାଉଥିବା ଅବସରରେ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ ଦୀପ୍ତିର˚ଜନ ସାମଲ

ସମ୍ବାଦ: ନିଜ ଦଳକୁ ନେଇ କ’ଣ ଆଶା ରହିଛି?

ରମ୍ଭା: କେରଳର ପ୍ରସ୍ତୁତି ବହୁତ ଭଲ ରହିଛି। ଏଠାରେ ଅତିକମ୍‌ରେ ତିନିଟି ପଦକ ମିଳିବା ଆଶା ରହିଛି। ୬୫, ୬୨ ଓ ୫୭ କିଗ୍ରା ବର୍ଗରେ ନିଶ୍ଚିତ ପଦକ ମିଳିବ ବୋଲି ଆଶା ରହିଛି।

ସମ୍ବାଦ: କେରଳର ଖେଳାଳିମାନଙ୍କ ସଫଳତା ପଛରେ ରହସ୍ୟ କ’ଣ?

ରମ୍ଭା: ସରକାର କୁସ୍ତି ଖେଳାଳିଙ୍କୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଯେତେବେଳେ ଯାହା ଆବଶ୍ୟକ ସବୁକିଛି ସୁବିଧାରେ ମିଳିପାରୁଛି। ଦିନକୁ ୪୦୦ ଟଙ୍କା ଲେଖାଏଁ ଖାଇବାକୁ ମିଳୁଛି। ତେଣୁ ପିଲାମାନେ ଖେଳ ଉପରେ ଅଧିକ ଧ୍ୟାନ ଦେଇପାରୁଛନ୍ତି। ହେଲେ ଅନ୍ୟ ରାଜ୍ୟମାନଙ୍କରେ ସରକାର କିମ୍ବା ରାଜ୍ୟ ସ˚ଘ ଖେଳକୁ ପ୍ରୋତ୍ସାହନ ଦେବାକୁ ସେତେଟା ଆନ୍ତରିକତା ଦେଖାଉନାହାନ୍ତି।

ସମ୍ବାଦ: ନିଜେ ଓଡ଼ିଶାର ଝିଅ ହୋଇ କେବେ ଓଡ଼ିଶାରେ ପ୍ରଶିକ୍ଷଣ ଦେବାକୁ ଚାହିଁନ୍ତିନି କି?

ରମ୍ଭା: ଓଡ଼ିଶାରେ ପ୍ରଶିକ୍ଷଣ ଦେବା ପାଇଁ ସବୁବେଳେ ଆଗ୍ରହ ରହିଛି। ହେଲେ କେହି ସୁଯୋଗ ଦେଉନାହାନ୍ତି। ବାରମ୍ବାର କ୍ରୀଡ଼ା ମନ୍ତ୍ରୀ, ସଚିବ, ରାଜ୍ୟ ସ˚ଘ ସମସ୍ତଙ୍କ ଦ୍ବାରସ୍ଥ ହୋଇଛି। ହେଲେ ସମସ୍ତେ ମୁହଁ ଫେରାଇନେଲେ। ଓଡ଼ିଶା ସୁଯୋଗ ଦେଲାନି, ହେଲେ କେରଳ ସୁଯୋଗ ଦେଇଛି। ତେଣୁ ତାଙ୍କ ପାଇଁ କିଛି କରିବା ମୋ ପାଇଁ ଠିକ୍‌ ହେବ।

ସମ୍ବାଦ: ଓଡ଼ିଶାରେ କୁସ୍ତିର ସ୍ତରକୁ କେଉଁଭଳି ଭାବେ ଦେଖୁଛନ୍ତି?

ରମ୍ଭା: ମୂଳ କଥା ହେଉଛି ଖେଳ ପ୍ରତି ଆନ୍ତରିକତା ରହିବା ଦରକାର। ହେଲେ ଏଠି ଖେଳ ଅପେକ୍ଷା ସବୁସ୍ତରରେ ରାଜନୀତି ଅଧିକା ରହୁଛି। ଫଳରେ ଖେଳାଳିମାନେ ବଳି ପଡ଼ିଯାଉଛନ୍ତି। ଏଠାରେ ପ୍ରଶିକ୍ଷକ ନାହାନ୍ତି। ଯେଉଁ ଦୁଇ ଜଣ ପ୍ରଶିକ୍ଷକ ଅଛନ୍ତି, ସେମାନଙ୍କୁ ଡିଏସ୍‌ଓ କରି ବସାଇ ଦିଆଯାଇଛି। ଏହାସତ୍ତ୍ବେ ସବୁ ବିଭାଗରେ ଖାଲି ପଦବି ପାଇଁ ବିଜ୍ଞପ୍ତି ବାହାରିଲା, ହେଲେ କୁସ୍ତି ପାଇଁ ସରକାର ନିରବ ରହିଲେ। ପିଲାମାନେ ଯେତିକି ମାତ୍ରାରେ ପ୍ରଶିକ୍ଷଣ ପାଇବା କଥା, ତାହା ପାଇପାରୁନାହାନ୍ତି। ତାହେଲେ ଖେଳର ସ୍ତର ଉପରକୁ କେମିତି ଉଠିବ?

ସମ୍ବାଦ: ପ୍ରଥମ ଥର ପାଇଁ ନିଜ ରାଜ୍ୟରେ ଅନ୍ୟ ରାଜ୍ୟକୁ ପ୍ରତିନିଧିତ୍ବ କରୁଛନ୍ତି। କେମିତି ଲାଗୁଛି?

ରମ୍ଭା: ମୋ ରାଜ୍ୟ ମୋତେ ପଚାରିଲାନି, ସେଥିପାଇଁ ଅନ୍ୟ ରାଜ୍ୟ ପାଇଁ ଖଟୁଛି। ତେଣୁ ଏଠାରେ ଓଡ଼ିଆ ଖେଳାଳି, ଓଡ଼ିଶା ପ୍ରଶିକ୍ଷକ ଓ ଓଡ଼ିଶାର ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ସମ୍ମୁଖରେ କେରଳକୁ ପଦକ ଜିତାଇବା ମୋ ପାଇଁ ବଡ଼ ଆହ୍ବାନ ହେବ। ଓଡ଼ିଶା ପ୍ରତି ସବୁବେଳେ ମୋର ଭଲ ପାଇବା ଅଛି। କିନ୍ତୁ ଯିଏ ମୋତେ ଆଗକୁ ବଢାଇବାକୁ ଉତ୍ସାହିତ କରୁଛି, ସେହି ରାଜ୍ୟ ପାଇଁ ପଦକ ଆଣିଦେବାକୁ ପ୍ରାଥମିକତା ଦେବି।

ସମ୍ବନ୍ଧିତ ଖବର