ରମେଶ ଓ ପ୍ରିନୁ ବିଜେତା

ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟାଟା ଷ୍ଟିଲ୍‌ ହାଫ୍‌ ମାରାଥନ ସଫଳତାର ସହ ଶେଷ ହୋଇଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୪୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ଏହି ପ୍ରତିଯୋଗିତାରେ ଏଥର ବାହାର ପ୍ରତିଯୋଗୀମାନେ ବାଜି ମାରି ନେଇଛନ୍ତି। ମୁଖ୍ୟ ବର୍ଗ ଅର୍ଥାତ୍‌ ୨୧.୧ କିଲୋମିଟର ଦୂରତା ବିଶିଷ୍ଟ ହାଫ୍‌ ମାରାଥନର ପୁରୁଷ ବର୍ଗରେ କେରଳର ରମେଶ କୁମାର ( ୧ ଘଣ୍ଟା ୫ ମିନିଟ୍‌ ୮.୮୬ ସେକେଣ୍ଡ) ଏବଂ ମହିଳାରେ ଅଫଜଲପୁରର ପ୍ରିନୁ ଯାଦବ (୧ ଘଣ୍ଟା ୧୯ ମିନିଟ୍‌ ୪୭.୬୩ ସେକେଣ୍ଡ) ବିଜେତା ଆଖ୍ୟା ଅର୍ଜନ କରିଥିଲେ। ୧୦ କିଲୋମିଟରରେ ମଧ୍ୟ ରାଜ୍ୟ ବାହାରର ଦୁଇ ପ୍ରତିଯୋଗୀ ମନୋଜ ସିଂହ ଓ ଉତ୍ତର ପ୍ରଦେଶ ନଏଡାର ରିଚା ଭଦୁରିଆ ବିଜୟ ମୁକୁଟ ପିନ୍ଧିଥିଲେ। ୧୬ ବର୍ଷରୁ କମ୍‌ ବର୍ଗର ବାଳକ ଏବଂ ବାଳିକାଙ୍କ ପାଇଁ ଆୟୋଜିତ ହୋଇଥିବା ୫ କିଲୋମିଟର ଦୌଡ଼ରେ କିନ୍ତୁ ଦୁଇ ସ୍ଥାନୀୟ ପ୍ରତିଯୋଗୀ ବବଲୁ ପାତ୍ର ଏବଂ ସବିତା ମହାନ୍ତ ବିଜେତା ଆଖ୍ୟା ଅର୍ଜନ କରି ରାଜ୍ୟର ସମ୍ମାନ ରଖିଥିଲେ।
ହାଫ୍‌ ମାରାଥନର ପୁରୁଷ ବର୍ଗର ପ୍ରଥମ ୪ ଜଣଙ୍କ ମଧ୍ୟରେ ରମେଶଙ୍କ ପଛକୁ ପୁନେର ଜଗଦୀଶ ମହର, ରାଜସ୍ଥାନର ବିଷ୍ଣୁଲାଲ ଦଙ୍ଗି, ରାମ ମିଲାନ ଓ ଲକ୍ଷ୍ନୌର ଅରବିନ୍ଦ ଯାଦବ ରହିଥିଲେ। ସେହିଭଳି ମହିଳାରେ ପ୍ରିନୁଙ୍କ ପରେ ଲକ୍ଷ୍ନୌର ମୋନିକା ଚୌଧୁରୀ, ଶ୍ୟାମଲି ସିଂହ, ଡିମ୍ପଲ ସିଂହ, ଓ ପ୍ରତିମା କୁମାରୀ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ୧୦ କିଲୋମିଟରର ପୁରୁଷରେ ସଂଜୟ ପଟେଲ ଉପ ବିଜେତା ହୋଇଥିଲା ବେଳେ ଅଜୟ କୁମାର ତୃତୀୟ, ଝାଡ଼ଖଣ୍ଡର ପିଣ୍ଟୁ ଯାଦବ ଚତୁର୍ଥ ଏବଂ ଦୀପକ ଚୌଧୁରୀ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ମହିଳାରେ ଲକ୍ଷ୍ନୌର ବିଜୟ ଲକ୍ଷ୍ମୀ, ସ୍ଥାନୀୟ ତାରକା ସମସାଦ ଆରା ବେଗମ, ଦିଲ୍ଲୀର ସୀମା ଓ ବେଙ୍ଗାଲୁରୁର ମମତା କୁମାରୀ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ।

ରବିବାର ସକାଳ ୬ଟାରେ ରାଜ୍ୟପାଳ ଏସ୍‌ ଜି ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସେହିଭଳି ପୂର୍ବାହ୍ନ ୮ଟା ୩୦ରୁ ଆୟୋଜିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ କ୍ରୀଡ଼ା ନିର୍ଦେଶକ ଆର. ଭିନିଲକ୍ରିଷ୍ଣା, ଟାଟା ଷ୍ଟିଲ କର୍ପୋରେଟ୍‌ ସେବା ବିଭାଗ ଉପ ସଭାପତି ସୁନୀଲ ଭାସ୍କରନ୍‌, ଟାଟା ଷ୍ଟିଲ୍‌ ଗୋପାଳପୁର ପ୍ରକଳ୍ପର ଉପ ସଭାପତି ଅରୁଣ ମିଶ୍ର, ଟାଟା ଷ୍ଟିଲ ଷ୍ଟିଲ ମାର୍କେଟିଂ ଓ ସେଲ୍ସ ମୁଖ୍ୟ ସଞ୍ଜୟ ଏସ୍‌ ସାହାନି ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅର୍ଚିତା ସାହୁ ଉପସ୍ଥିତ ଥିଲେ। ଏହି ହାଫ୍‌ ମାରାଥନକୁ ଟାଟା ଷ୍ଟିଲ୍‌ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସହଯୋଗରେ ଆୟୋଜନ କରିଥିଲା। ପ୍ରତିଯୋଗିତାର ମୁଖ୍ୟ ବର୍ଗର ବିଜେତାଙ୍କୁ ୧ ଲକ୍ଷ, ୧୦ କିଲୋମିଟର ବିଜେତାଙ୍କୁ ୫୧,୦୦୦ ଏବଂ ୫ କିଲୋମିଟର ବିଜେତାଙ୍କୁ ଟ୍ରଫି ସହ ୧୧,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଅଂଶ ଗ୍ରହଣକାରୀଙ୍କୁ ଟି ସାର୍ଟ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରୁ ବାହରି ଖଣ୍ଡଗିରି ଛକ ଦେଇ ପୁଣି କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର