ରମେଶ ପାୱାର ଭାରତ-ଏ ବୋଲିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲା ବେଳେ ବିବାଦୀୟ ହୋଇପଡ଼ିଥିବା ପୂର୍ବତନ ଅଫ୍‌ ସ୍ପିନର ରମେଶ ପାୱାର ଆଗାମୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଶୃଙ୍ଖଳା ପାଇଁ ଭାରତ-ଏ ଦଳର ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେ କେବଳ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଶୃଙ୍ଖଳା ପାଇଁ ନିଯୁକ୍ତି ପାଇଛନ୍ତି ବୋଲି ମଙ୍ଗଳବାର ବିସିସିଆଇ ସୂତ୍ରରୁ କୁହାଯାଇଛି। ଭାରତ ପାଇଁ ୨ ଟେଷ୍ଟ ଓ ୩୧ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ୪୧ ବର୍ଷ ବୟସ୍କ ପାୱାର ଗତବର୍ଷ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅବସରରେ ମିତାଲି ରାଜ୍‌ଙ୍କ ପାଇଁ ବିବାଦୀୟ ହୋଇପଡ଼ିଥିଲେ। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ମିତାଲିଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍‌ ଦେବା ଏବଂ ସେହି ମ୍ୟାଚ୍‌ରେ ଭାରତ ହାରିଯିବା ପରେ ପାୱାର ବିବାଦ ଘେରକୁ ଚାଲି ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ପଦରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ଅବଶ୍ୟ ସେ ପୁନର୍ବାର ସେହି ପଦ ପାଇଁ ଆବେଦନ କରିଥିଲେ ମଧ୍ୟ ୧୯୮୩ ବିଶ୍ବ ବିଜେତା ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍‌ ପରାମର୍ଶଦାତା କମିଟି ତାଙ୍କ ବଦଳରେ ଡବ୍ଲୁଭି ରମଣଙ୍କୁ ବାଛିଥିଲା। ଏବେ କିନ୍ତୁ ସେ ଭାରତ-ଏ ଦଳର ପ୍ରଶିକ୍ଷକ ଦାୟିତ୍ବ ପାଇଛନ୍ତି। ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ଶୃଙ୍ଖଳାରେ ଭାରତ-ଏ ଦୁଇଟି ୪ ଦିନିଆ ମ୍ୟାଚ୍‌ ଏବଂ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଦିନିକିଆ ଶୃଙ୍ଖଳା ଆସନ୍ତା ଗୁରୁବାରଠାରୁ ତିରୁବନନ୍ତପୁରମ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର