ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ରାମେଶ୍ବର ସ୍ପୋର୍ଟିଂ ଚଳିତ ମାସ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବ ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣ। ପୂର୍ବଥର ଭଳି ଏଥର ମଧ୍ୟ ୧୪ ଦଳକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହେବ। ପୁରସ୍କାର ରାଶି ମଧ୍ୟ ଅପରିବର୍ତିତ ରହିଛି। ବିଜେତାକୁ ୧୫,୦୦୦ ଟଙ୍କା ସହ ଟ୍ରଫି ଏବଂ ଉପବିଜେତାକୁ ୧୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ଏହା ବ୍ୟତୀତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ ୱିକେଟ୍‌ରକ୍ଷକ, ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ବ୍ୟବସ୍ଥା ରହିଛି। ୪୦ ଓଭର ମ୍ୟାଚ୍‌ ବିଶିଷ୍ଟ ଏହି ପ୍ରତିଯୋଗିତା ପ୍ରିକ୍ବାର୍ଟର ଫାଇନାଲ୍‌ରୁ ହିଁ ଆରମ୍ଭ ହେବ। ଆଇସିସି ନିୟମ ଆଧାରରେ ମ୍ୟାଚ୍‌ ଖେଳାଯିବ। ତେବେ ପୂର୍ବ ଦୁଇ ସଂସ୍କରଣ କେବଳ ଭୁବନେଶ୍ବରର ବଛାବଛା ଦଳକୁ ନେଇ ଆୟୋଜିତ ହୋଇଥିଲା ବେଳେ ଏଥର କଟକର ୫ ଦଳକୁ ସାମିଲ କରାଯାଇଛି। ପୁଣି ପୂର୍ବରୁ ଧଳା ପୋଷାକ ଓ ନାଲି ବଲ୍‌ରେ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ଏଥର ରଙ୍ଗୀନ ପୋଷାକ ଓ ଧଳା ବଲ୍‌ର ବ୍ୟବହାର ହେବ। ପୁଣି ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଉଭୟ ୧୯ ଓ ୧୬ ବର୍ଷରୁ କମ୍‌ ଖେଳାଳିଙ୍କୁ ନେଇ ଖେଳାଯିବ। ସେଥିପାଇଁ ପ୍ରତି ଦଳର ଚୂଡାନ୍ତ ଏକାଦଶରେ ସର୍ବାଧିକ ୭ ଜଣ ୧୯ ବର୍ଷରୁ କମ୍‌ ଏବଂ ସର୍ବନିମ୍ନ ୪ ଜଣ ୧୬ ବର୍ଷରୁ କମ୍‌ ଖେଳାଳି ସାମିଲ ହେବା ବାଧ୍ୟତାମୂଳକ କରାଯାଇଛି। ଏଥର ପ୍ରତିଯୋଗିତାରେ ଭାଗ ନେଉଥିବା ଦଳମାନଙ୍କ ପାଇଁ କୌଣସି ପ୍ରବେଶିକା ଶୁଳ୍କ ରଖାଯାଇନି ବୋଲି ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାମେଶ୍ବର ସ୍ପୋର୍ଟିଂ କ୍ଲବ୍‌ର ସାଧାରଣ ସଂପାଦକ ଦୀପକ ମଙ୍ଗରାଜ ସୂଚନା ଦେଇଥିଲେ। ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରଣଜୀ ତାରକା ତଥା କ୍ଲବ୍‌ର ଯୁଗ୍ମ ସଂପାଦକ ପ୍ରିୟବ୍ରତ ପ୍ରଧାନ, କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ପୂର୍ବତନ କନିଷ୍ଠ ଖେଳାଳି ପୂର୍ଣ୍ଣଚନ୍ଦ୍ର ମହାରଣା, କ୍ଲବ୍‌ର ସକ୍ରିୟ ସଦସ୍ୟ ତଥା ପୂର୍ବତନ ଖେଳାଳି ବିଜୟ କୁମାର ରଥ ଏବଂ କୋଷାଧ୍ୟକ୍ଷ ରାଜେଶ ମହାପାତ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ସଂସ୍କରଣରେ ପାରାମାଉଣ୍ଟ୍‌କୁ ପରାସ୍ତ କରି ଆୟୋଜକ ରାମେଶ୍ବର ବିଜେତା ହୋଇଥିଲା। ଏଥର ଭାଗ ନେଉଥିବା ଦଳ ହେଲେ ରାମେଶ୍ବର ସ୍ପୋର୍ଟିଂ, ସହିଦ ‌ସ୍ପୋ‌ର୍ଟିଂ, ପ୍ରଗତି ସ୍ପୋର୍ଟିଂ, ଗ୍ରିନ୍‌ସ ଏକାଡେମି, ଜାଗ୍ରୁତି ଏକାଡେମି, ପାରାମାଉଣ୍ଟ୍‌ ସ୍ପୋର୍ଟିଂ, ଓସ୍କାର ସ୍ପୋର୍ଟିଂ, କ୍ରାଉନ୍‌ ସ୍ପୋର୍ଟିଂ, ମୁକ୍ତେଶ୍ବର କ୍ଲବ୍‌ (ସମସ୍ତେ ଭୁବନେଶ୍ବର), ରାଇଜିଂ ଷ୍ଟୁଡେଣ୍ଟ୍‌, ୟୁନିଅନ୍‌ ସ୍ପୋର୍ଟିଂ, ଜୁଭେନାଇଲ୍‌ କ୍ଲବ୍‌, ସୋଲାର କ୍ଲବ୍‌, ବିଶ୍ବଭାରତୀ କ୍ଲବ୍‌ (ସମସ୍ତେ କଟକ)। ହିଲ୍‌ (ହିନ୍ଦୁସ୍ତାନ ଇନ୍‌ସେକ୍ଟିସାଇଡ୍‌ସ ଲିମିଟେଡ୍‌) ଏଥର ସଂସ୍କରଣର ପ୍ରାୟୋଜକ ରହିଛି।