ରାମେଶ୍ୱର କପ୍‌ କ୍ୱାର୍ଟର୍‌ରେ ଶେଖର ସ୍ପୋର୍ଟିଂ

ଭୁବନେଶ୍ୱର: ଶେଖର ସ୍ପୋର୍ଟିଂ ତୃତୀୟ ଦଳ ଭାବେ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ସ୍କାନ୍‌ ସ୍ପୋର୍ଟିଂକୁ ୯ ରନ୍‌ରେ ପରାସ୍ତ କରି ଶେଖର ସ୍ପୋର୍ଟିଂ ଏହି ସଫଳତା ଲାଭ କରିଛି।
ମଙ୍ଗଳବାର ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶେଖର ସ୍ପୋଟିଂ ସ୍ପନ୍ଦନ ମହାନ୍ତି(୯୦ ରନ୍‌, ୭୯ ବଲ୍‌)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୫ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୩୮ ରନ୍‌ କରିଥିଲା। ଅନୁରାଗ ମିଶ୍ର ଓ ସମ୍ବିତ ବରାଳ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ପରେ ଶେଖର ଦାସ (୫-୦-୮-୪)ଙ୍କ ଘାତକ ବୋଲିଂ ସାଙ୍ଗକୁ ସ୍ୱୟମ୍‌ସୁ ପତିଙ୍କ ୩ ଓ୍ଵିକେଟ୍‌ ସଫଳତା ସ୍କାନ୍‌ ସ୍ପୋଟିଂକୁ ୧୮.୧ ଓଭରରେ ୧୨୯ ରନ୍‌ରେ ଅଟକାଇ ଦେଇଥିଲା। ମାନୋଜ ସାହୁ ୪୧ ରନ୍‌ (୨୦ ବଲ୍‌) ଏବଂ ସମ୍ବିତ ବରାଳ ୩୩ ରନ୍‌ (୧୦ ବଲ୍‌) ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ। ସ୍ପନ୍ଦନ ମହାନ୍ତିଙ୍କୁ ଏନ୍‌ଆଇସିର ବରିଷ୍ଠ ବୈଷୟିକ ନିର୍ଦେଶକ ରବୀନ୍ଦ୍ର ନାରାୟଣ ବେହେରା ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଆଲୋକ ମଙ୍ଗାରାଜ ଓ ଆଲୋକ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ବୁଧବାର ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍‌ ଓ ଓସ୍କାର ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର