ରାମେଶ୍ୱର ୬ ରନ୍‌ରେ ଜିତିଲା

ରାଜ୍ୟସ୍ତରୀୟ ସଂଜିତ୍‌ ସ୍ମାରକୀ କ୍ରିକେଟ୍‌

ଚଣ୍ଡୀଖୋଲ: ଦର୍ପଣ ଗୁଲ୍‌ଜାର ନଗର ପାଟଣାଠାରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ସଂଜିତ୍‌ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଏହି ଦଳ ୬ ରନ୍‌ରେ ବାଲେଶ୍ୱରର ୟୁ ଆଣ୍ଡ୍‌ ମି’କୁ ପରାସ୍ତ କରିଦେଇଛି।

ରାମେଶ୍ୱର ପ୍ରଥମେ ବ୍ୟାଟିଂ କରି ୨୮.୨ ଓଭରରେ ୧୬୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପରେଶ ପଟେଲ୍‌ (୬୫, ୪୭ ବଲ୍‌), ବିଶ୍ୱଜିତ ଭୂୟାଁ (୩୮, ୩୬ ବଲ୍‌), କୃଷ୍ଣ ବାରିକ (୨୦, ୨୨ ବଲ୍‌) ଭଲ ଖେଳିଥିଲେ। ପ୍ରତିପକ୍ଷର କୃଷ୍ଣ ଦାସ ୧୪ ରନ୍‌ରେ ୫ ଓ୍ଵିକେଟ୍‌ ଏବଂ ସର୍ବେଶ୍ୱର ୨୯ ରନ୍‌ରେ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବାଲେଶ୍ୱର ଦଳ ୨୯.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୨ ରନ୍‌ କରିପାରିଥିଲା। ନୌତମ ଭଞ୍ଜ (୫୫, ୫୯ ବଲ୍‌) ଅର୍ଧଶତକ ହାସଲ କରିଥିଲେ। ରାକେଶ ଶର୍ମା ୨୩ ରନ୍‌ରେ ୪ ଓ୍ଵିକେଟ୍‌ ନେଇଥିବାବେଳେ ସୁବ୍ରତ ବେହେରା ଓ ଲାଲୁ ମହାନ୍ତି ୨-୨ ଓ୍ଵିକେଟ୍‌ ପାଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରାକେଶ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ୨୩ ରନ୍‌ କରିବା ପରେ ନିଜର ୪ ଓଭରରେ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଟିଭିଏସ୍‌ ଲିଜାଷ୍ଟିକ୍‌ ପ୍ରବନ୍ଧକ ଆଶିଷ ସାହୁ ଅତିଥି ଭାବେ ଯୋଗଦେଇ ରାକେଶଙ୍କୁ ପୁରସ୍କୃତ କରିଥିଲେ। ସୌମେନ୍ଦ୍ର ପାତ୍ର ଓ ଆଶୁତୋଷ ମାଣି ମ୍ୟାଚ୍‌ ପରିଚାଳନା କରିଥିଲେ। ରବିବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଭୁବନେଶ୍ୱରର ପାରାମାଉଣ୍ଟ୍‌ ଓ କଟକର ସୋଲାର କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର