ଭୁବନେଶ୍ବର: ରାମେଶ୍ବର ସ୍ପୋର୍ଟିଂ ଆୟୋଜିତ ରାମେଶ୍ବର କପ୍ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ରବିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଥର ଲାଗି ଉଭୟ ୧୯ ଓ ୧୬ ବର୍ଷରୁ କମ୍ ଖେଳାଳିଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାକୁ ସହିଦ ସ୍ପୋର୍ଟିଂ ଜିତିନେଇଛି। ସହିଦ ସ୍ପୋର୍ଟିଂ ୧୮ ରନ୍ରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ (ଏମ୍ସିସି)କୁ ପରାସ୍ତ କରିଛି। ଏଥି ସହିତ ପ୍ରଥମ ଦଳ ଭାବେ ମଧ୍ୟ କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ସହିଦ ସ୍ପୋର୍ଟିଂ ଆର୍ଯ୍ୟ ଜେନା (୬୧)ଙ୍କ ଅର୍ଧଶତକ ସାଙ୍ଗକୁ ଦୀପ୍ତାଂଶୁ ପରିଡ଼ାଙ୍କ ୪୭ ରନ୍ ବଳରେ ୩୮.୨ ଓଭରରେ ୨୩୪ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏମ୍ସିସି ପକ୍ଷରୁ ସଫଳ ବୋଲର ଭାବେ ଗୌରିଶ ପାତ୍ର ୪ ଓ ସୁଜିତ୍ କୁମାର ୩ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ଦେବାଶିଷ ରାଉତ (୫୮)ଙ୍କ ଅର୍ଧଶତକ ଓ ବିସ୍ମୟ ରାଉତଙ୍କ ୪୯ ରନ୍ ସତ୍ତ୍ବେ ଏମ୍ସିସି ୩୫ ଓଭରରେ ୨୧୬ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବ୍ୟାଟିଂରେ ଅର୍ଧଶତକ ପରେ ବୋଲିଂରେ ୪ ୱିକେଟ୍ ଦଖଲ କରି ଆର୍ଯ୍ୟ ଜେନା ସହିଦ ସ୍ପୋର୍ଟିଂ ବିଜୟର କର୍ଣ୍ଣଧାର ସାଜିଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। କନିଷ୍ଠ କ୍ରିକେଟ୍ ଚୟନକର୍ତା ସୌରଭ ସେହଗଲ୍ ଏବଂ ସାମାଜିକ କର୍ମୀ ଦେବୀପ୍ରସାଦ ମହାନ୍ତି ଅତିଥି ଭାବେ ଯୋଗଦେଇ ଆର୍ଯ୍ୟଙ୍କୁ ପୁରସ୍କୃତ କରିଥିଲେ। ପ୍ରିୟବ୍ରତ ପ୍ରଧାନ ଓ ଆଲୋକ ଦାସ ମ୍ୟାଚ୍ ପରିଚାଳନା କରିଥିଲେ। କୃଷ୍ଣ ଆଚାର୍ଯ୍ୟ ଓ ମହେଶ ପ୍ରଧାନ ସ୍କୋରର୍ ଦାୟିତ୍ବ ତୁଲାଇଥିଲେ। ଆସନ୍ତାକାଲି ବିଶ୍ବଭାରତୀ ଓ କ୍ରାଉନ୍ ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ। ଆରମ୍ଭରୁ ଅନଗୁଳ-ସୁକିନ୍ଦା ରେଳବାଇ ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲିପ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ସଭାପତି ସୁରେଶ ରାଉତରାୟ, ସଂପାଦକ ଦୀପକ ମଙ୍ଗରାଜ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ରାଧାନାଥ ମହାପାତ୍ରଙ୍କ ସହିତ କ୍ଲବ୍ ସଦସ୍ୟ ପରେଶ ପଟେଲ, ପ୍ରିୟବ୍ରତ ପ୍ରଧାନ, ପୂର୍ଣ୍ଣ ମହାରଣା, ରାଜେଶ ମହାପାତ୍ର, ଦେବୀପ୍ରସାଦ ମହାନ୍ତି, ସୂର୍ଯ୍ୟ ପ୍ରଧାନ, ସୂର୍ଯ୍ୟକାନ୍ତ ମହାପାତ୍ର, ସ୍ମୃତିରଞ୍ଜନ ସ୍ବାଇଁ, ଗୌରମୋହନ ଦାଶ ଓ ଦିବ୍ୟରଞ୍ଜନ ବେହେରା ଉତ୍ସବରେ ଉପସ୍ଥିତ ଥିଲେ।
ରାମେଶ୍ବର କପ୍ କନିଷ୍ଠ କ୍ରିକେଟ୍, ଉଦ୍ଘାଟନୀ ମ୍ୟାଚ୍ ଜିତିଲା ସହିଦ ସ୍ପୋର୍ଟିଂ
/sambad/media/post_attachments/wp-content/uploads/2019/03/Untitled-5-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)