ପିସିବି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ରମିଜ୍

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଅଧିନାୟକ ଇମ୍ରାନ ଖାନ୍ ଅନାସ୍ଥା ପ୍ରସ୍ତାବରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ରମିଜ୍ ରାଜାଙ୍କ ଆସନ ଟଳମଳ ହେବା ଆରମ୍ଭ କରିଛି। ରମିଜ୍‌ଙ୍କୁ ଇମ୍ରାନ ହିଁ ପିସିବି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିବାରୁ ବିରୋଧୀ ଦଳ ଦ୍ବାରା ଲୋକହସା ହେବା ପୂର୍ବରୁ ରମିଜ୍ ନିଜ ପଦ ଛାଡ଼ିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ଯାଏଁ ହିଁ ସେ ପିସିବି ଅଧ୍ୟକ୍ଷ ପଦରେ ରହିବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ରମିଜ୍। ଗତବର୍ଷ ସେପ୍ଟେମ୍ବର ମାସରେ ପିସିବି ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ ରମିଜ୍। ଏହା ପରେ ମିସବା-ଉଲ୍-ହକ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଏବଂ ୱାକର ୟୁନିସଙ୍କୁ ବୋଲିଂ ପ୍ରଶିକ୍ଷକ ପଦରୁ ବିଦା କରିବା ସହ ଏକାଧିକ ହାଇପର୍ଫମାନ୍ସ ସେଣ୍ଟରର ପ୍ରଶିକ୍ଷକଙ୍କୁ ତୁରନ୍ତ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇ ବିବାଦୀୟ ହୋଇପଡ଼ିଥିଲେ। ଶାହାବାଜ ସରିଫ୍ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିବାରୁ ନଜମ ସେଠୀ ପୁଣି ଥରେ ପିସିବି ଅଧ୍ୟକ୍ଷ ପଦକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର