ରୁଷିଆର ଦମ୍‌ଦାର ଆରମ୍ଭ : ଉଦ୍‌ଘାଟନୀ ମ୍ୟାଚ୍‌ରେ ସାଉଦି ଆରବକୁ ୫-୦ରେ ହରାଇଲା

ମସ୍କୋ : ଫିଫା ବିଶ୍ୱକପ୍‌ର ମନ ମୋହିବା ଭଳି ଉଦ୍‌ଘାଟନୀ ପର୍ବ ବିଶ୍ୱବ୍ୟାପୀ ହୃଦୟ ଜିତି ନେଇଥିଲା। ଏହା ପରେ ଆୟୋଜକ ରୁଷିଆ ବି ଦମ୍‌ଦାର ଆରମ୍ଭ କଲା ବିଶ୍ୱ ଫୁଟ୍‌ବଲ୍‌ ପଡ଼ିଆରେ। ଗୁରୁବାର ରାତିରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦେଶ ଏସୀୟ ପ୍ରତିଦ୍ୱନ୍ଦ୍ୱୀ ସାଉଦି ଆରବକୁ ୫-୦ ଗୋଲ୍‌ରେ ପରାସ୍ତ କରି ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଗୋଲ୍‌ବର୍ଷା ଭିତରେ ରୁଷିଆର ବିଜୟ ମଧ୍ୟ ଫିଫା ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଦେଶର ଅପରାଜେୟ ଧାରାକୁ ଆଗକୁ ନେଇଛି। ସେହିଭଳି ଉଦ୍‌ଘାଟନୀ ମ୍ୟାଚ୍‌ରେ ୮୪ ବର୍ଷ ପରେ ବଡ଼ ବ୍ୟବଧାନ ବିଜୟ ଦେଖିବାକୁ ମିଳିଛି। ଶେଷ ଥର ପାଇଁ ୧୯୩୪ ମସିହାର ଦ୍ୱିତୀୟ ସଂସ୍କରଣ ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଟାଲି ୭-୧ରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପରାସ୍ତ କରିଥିଲା।

ଗୁରୁବାର ପ୍ରଥମାର୍ଧର ଦ୍ୱାଦଶ ମିନିଟ୍‌ରେ ହିଁ ଚଳିତ ବିଶ୍ୱକପ୍‌ର ପ୍ରଥମ ଗୋଲ୍‌ ଦେଖିଥିଲେ ମସ୍କୋ ପ୍ରଶଂସକ। ୨୮ ବର୍ଷୀୟ ପୁରୋଭାଗ ଖେଳାଳି ଲୁରି ଗଜିସ୍କିଙ୍କ ହେଡର୍‌ ହିଁ ରୁଷିଆକୁ ଆଗୁଆ କରାଇ ଦେଇଥିଲା। ପ୍ରଥମାର୍ଧ ଶେଷ ହେବାକୁ ମାତ୍ର ୨ ମିନିଟ୍‌ ଥିବାବେଳେ ଡେନିସ୍‌ ଚେରିସେଭଙ୍କ ଚମତ୍କାର ଗୋଲ୍‌ ରୁଷିଆକୁ ୨-୦ରେ ଆଗୁଆ କରାଇଥିଲା। ପୂର୍ବତନ ଖେଳାଳି ଦିମିତ୍ରୀ ଚେରିସେଭଙ୍କ ପୁଅ ଏହି ପୁରୋଭାଗ ଖେଳାଳି ନିଜର ଦ୍ୱାଦଶ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍‌ ଦେଇ ମଧ୍ୟ ବିଶ୍ୱକପ୍‌ ପଦାର୍ପଣ କରିଥିଲେ। ବଦଳ ଖେଳାଳି ଭାବେ ଆସିବାର ୮୯ ସେକେଣ୍ଡ୍‌ରେ ଗୋଲ୍‌ ଦେଇ ଦ୍ୱିତୀୟ ଦ୍ରୁତତମ ଖେଳାଳି ହୋଇଥିଲେ। ଶେଷ ଥର ପାଇଁ ୨୦୦୨ ମସିହାରେ ଆମେରିକା ବିପକ୍ଷରେ ପୋଲାଣ୍ଡର ମାର୍ସିନ୍‌ ଜିଉଲାକୋ ବଦଳ ଖେଳାଳି ଭାବେ ୬୪ ସେକେଣ୍ଡ୍‌େରେ ଗୋଲ୍‌ ଦେଇଥିଲେ। ଗୁରୁବାର ପ୍ରଥମାର୍ଧରେ ରୁଷିଆ ଖେଳାଳି ୪୪ ପ୍ରତିଶତ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ୨ ଗୋଲ୍‌ ଦେଇ ନିଜ ଦକ୍ଷତା ଓ ଯୋଜନାର ସଫଳ ରୂପାୟନ କରିଥିଲେ। ଅନ୍ୟପକ୍ଷରେ ସାଉଦି ଆରବଠାରୁ ଯେଭଳି ଲଢ଼ୁଆ ଖେଳ ଆଶା କରାଯାଉଥିଲା ତାହା ମିଳିନଥିଲା।

ଦ୍ୱିତୀୟାର୍ଧରେ ମଧ୍ୟ ରୁଷିଆର ଆଧିପତ୍ୟ ରହିଥିଲା। ଆଉ ୩ ଗୋଲ୍‌ ଲଦି ଦେଇଥିଲେ। ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ଉପସ୍ଥିତିରେ ରୁଷୀୟ ଖେଳାଳିମାନେ କୌଣସି ସୁଯୋଗ ହାତଛଡ଼ା ହେବାକୁ ଦେଇନଥିଲେ। ୭୧ତମ ମିନିଟ୍‌ରେ ରୁଷିଆର ଅଗ୍ରଭାଗ ଖେଳାଳି ଆର୍ଟେମ୍‌ ଡିଜ୍ୱିବାଙ୍କ ହେଡର୍‌ ଘରୋଇ ପ୍ରଶଂସକଙ୍କୁ ଉଛୁଳା କରି ଦେଇଥିଲା। ଡାହାଣ ପାର୍ଶ୍ୱରୁ ଆଲେକଜାଣ୍ଡର ଗୋଲୋଭିନ୍‌ଙ୍କ କ୍ରସ୍‌କୁ ଠିକଣା ଭାବେ ମୁଣ୍ଡରେ ମାରି ଘରୋଇ ମାଟିରେ ପ୍ରଥମ ବିଶ୍ୱକପ୍‌ ଗୋଲ୍‌ ସହିତ ଦଳର ବିଜୟକୁ ସହଜ କରି ଦେଇଥିଲେ। ଏହା ଥିଲା ଆର୍ଟେମ୍‌ଙ୍କ ୧୨ତମ ଅନ୍ତର୍ଜାତୀୟ ଗୋଲ୍‌। ସାଇଦି ଆରବର ମନୋବଳ ଏହିଠାରେ ହିଁ ଭାଙ୍ଗିଯାଇଥିଲା। ପ୍ରତ୍ୟାବର୍ତନ କରିବାର ସାହାସ ଓ ସୁଯୋଗ ନ ଥିଲା ଆଉ ଏହି ଦଳ ହାତରେ। ୯୧ତମ ମିନିଟ୍‌ର ଡେନିସ୍‌ ଚେରିସେଭ୍‌ଙ୍କ ଦ୍ୱିତୀୟ ଗୋଲ୍‌ ସହିତ ରୁଷିଆ ୪-୦ରେ ଆଗୁଆ ହୋଇଯାଇଥିଲା।

ରୁଷିଆର ଦୁଇଟି ଗୋଲ୍‌ରେ ସହୟତା ରଖିଥିବା ଆଲେକଜାଣ୍ଡର୍‌ ଗୋଲୋଭିନ୍‌ଙ୍କୁ ମଧ୍ୟ ଚଳିତ ବିଶ୍ୱକପ୍‌ର ପ୍ରଥମ ହଳଦିଆ କାର୍ଡ ମିଳିଥିଲା କିନ୍ତୁ ଏହାର କୌଣସି ପ୍ରଭାବ ରୁଷିଆର ଫଳାଫଳ କି ତାଙ୍କ ପ୍ରଦର୍ଶନ ଉପରେ ପଡ଼ିନଥିଲା। ବରଂ ସେ ଆହତ ସମୟରେ ବ୍ୟକ୍ତିଗତ ପ୍ରଥମ ବିଶ୍ୱକପ୍‌ ଗୋଲ ଦେଇ ଏହି ଦୁଃଖକୁ ପଛରେ ପକାଇ ଦେଇଥିଲେ। ମ୍ୟାଚ୍‌ର ୯୫ତମ ମିନିଟ୍‌ରେ ସେ ଏକା ଏକା ବଳ୍‌କୁ ନେଇ ଡାଇଭ୍‌ ମାରିଥିବା ପ୍ରତିପକ୍ଷ ଗୋଲରକ୍ଷକ ଅବଦୁଲା ଅଲ୍‌ ମାୟୁଫଙ୍କୁ ପରାସ୍ତ କରିଥିଲେ। ଏଥି ସହ ସାଉଦି ଆରବକୁ ରୁଷିଆ ୫-୦ରେ ଧରାଶାୟୀ କରିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗୋଲୋଭିନ୍‌ଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର