ରଣଜୀ ଟ୍ରଫି ସେମିରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବେଙ୍ଗଲ

ସୌରାଷ୍ଟ୍ର-ପଞ୍ଜାବ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ନିର୍ଣ୍ଣାୟକ ସ୍ଥିତିରେ

ବେଙ୍ଗାଲୁରୁ/ଇନ୍ଦୋର/କୋଲ୍‌କାତା/ରାଜକୋଟ : ୮ ଥର ବିଜେତା କର୍ଣ୍ଣାଟକ, ଗତଥର ବିଜେତା ମଧ୍ୟପ୍ରଦେଶ ଏବଂ ଗତଥରର ସେମିଫାଇନାଲିଷ୍ଟ ବେଙ୍ଗଲ ଚଳିତ ବର୍ଷର ରଣଜୀ ଟ୍ରଫି ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି। ଏହି ୩ ଦଳ ୪ ଦିନ ମଧ୍ୟରେ ନିଜ ନିଜର ମ୍ୟାଚ୍‌ ଜିତିନେଇଛନ୍ତି। ତେବେ ସୌରାଷ୍ଟ୍ର ଓ ପଞ୍ଜାବ ମଧ୍ୟରେ ଚାଲିଥିବା ତୃତୀୟ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଯାଇଛି। ସୌରାଷ୍ଟ୍ର ଛାଡ଼ିଥିବା ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ ଚତୁର୍ଥ ଦିବସ ଶେଷ ସୁଦ୍ଧା ୫୨ ରନ୍‌ରେ ୨ ୱିକେଟ୍‌ ହରାଇଛି। ଫଳରେ ଶନିବାର ପଞ୍ଚମ ତଥା ଅନ୍ତିମ ଦିବସରେ ‌ପଞ୍ଜାବକୁ ବିଜୟ ପାଇଁ ୨୦୦ ରନ୍‌ ଏବଂ ସୌରାଷ୍ଟ୍ରକୁ ୮ ୱିକେଟ୍‌ ଦରକାର ରହିଛି।

ବେଙ୍ଗାଲୁରୁରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ ଘରୋଇ କର୍ଣ୍ଣାଟକ ଏକ ପାଳି ଓ ୨୮୧ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ଏମ୍‌ ଭେଙ୍କଟେଶ୍‌ଙ୍କ ୫ ୱିକେଟ୍‌ ସଫଳତା ବଳ‌ରେ ଉତ୍ତରାଖଣ୍ଡ ପ୍ରଥମ ପାଳିକୁ ୧୧୬ ରନ୍‌ରେ ସଫା କରିଦେବା ପରେ କର୍ଣ୍ଣାଟକ ପ୍ରଥମ ପାଳିରେ ଶ୍ରେୟସ ଗୋପାଳ (୧୬୧)ଙ୍କ ଶତକ ସାଙ୍ଗକୁ ରବିକୁମାର ସମର୍ଥ (୮୨), ଅଧିନାୟକ ମୟଙ୍କ ଅଗ୍ରୱାଲ (୮୩), ଦେବଦତ୍ତ ପଡ଼ିକଲ (୬୯) ଓ ନିକିନ ଜୋସେ (୬୨)ଙ୍କ ଅର୍ଦ୍ଧଶତକ ସହାୟତାରେ ୬୦୬ ରନ୍‌ କରିନେଇଥିଲା। ଜବାବ‌ରେ ଶ୍ରେୟସ ଗୋପାଳ (୩/୨୬), ବିଜୟ କୁମାର ବ୍ୟାସକ (୩/୫୫), ଏମ୍‌ ଭେଙ୍କଟେଶ୍‌ (୨/୪୪) ଓ ବିଦ୍ବତ କାବେରେପ୍ପା (୨/୩୦)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠି ନପାରି ଉତ୍ତରାଖଣ୍ଡ ଦ୍ବିତୀୟ ପାଳି ୨୦୯ ରନ୍‌ରେ ଶେଷ ହୋଇଯାଇଥିଲା। ଏଥି ସହିତ କର୍ଣ୍ଣାଟକ ପାଳି ବିଜୟ ହାସଲ କରିଥିଲା ବେଳେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେୟସ ଗୋପାଳ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କର୍ଣ୍ଣାଟକ ମଧ୍ୟ ୨୦୧୪-୧୫ ଋତୁ ପରେ ପ୍ରଥମ ତଥା ମୋଟ ନବମ ଥର ରଣଜୀ ଟ୍ରଫି ଜିତିବା ଲକ୍ଷ୍ୟରେ ଆଗକୁ ବଢ଼ିଛି।

ଇନ୍ଦୋରରେ ଅନୁଷ୍ଠିତ ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ଘରୋଇ ମଧ୍ୟପ୍ରଦେଶ ୫ ୱିକେଟ୍‌ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଛି। ରିକି ଭୂଇ (୧୪୯) ଓ କରନ ସିନ୍ଦେ (୧୧୦)ଙ୍କ ଶତକ ବଳରେ ପ୍ରଥମ ପାଳିରେ ୩୭୯ ରନ୍‌ କରିଥିବା ଆନ୍ଧ୍ର ଦ୍ବିତୀୟ ପାଳିରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୯୩ ରନ୍‌ କରିପାରିଥିଲା। ଜବାବରେ କେବଳ ଶୁଭମ ଶର୍ମା (୫୧)ଙ୍କ ଅର୍ଦ୍ଧଶତକ ସହାୟତାରେ ପ୍ରଥମ ପାଳିରେ ୨୨୮ ରନ୍‌ କରିଥିବା ମଧ୍ୟପ୍ରଦେଶ ୧୫୧ ରନ୍‌ ପଛୁଆ ରହିବା ପରେ ଦ୍ବିତୀୟ ପାଳିରେ ୫ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୨୪୫ ରନ୍‌ରେ ପହଞ୍ଚି ଯାଇଥିଲା। ୟାଶ୍‌ ଦୁବେ (୫୮) ଓ ରଜତ ପଟିଦାର (୫୫) ଅର୍ଦ୍ଧଶତକ ଜମାଇଥିଲା ବେଳେ ଶୁଭମ ଶର୍ମା ୪୦, ହିମାଂଶୁ ମନ୍ତ୍ରୀ ୩୧ ଓ ସାରାଂଶ ଜୈନ୍ ୨୮ ରନ୍‌ କରିଥିଲେ। ଲଲିତ ମୋହନ ଓ ପୃଥ୍ବୀ ରାଜ ୨-୨ ୱିକେଟ୍‌ ନେଇଥିଲେ ମଧ୍ୟ ତାହା ଦଳକୁ ପରାଜୟର ରକ୍ଷା କରିବା ପାଇଁ ଯଥେଷ୍ଟ ହୋଇନଥିଲା। ତଥାପି ଦଳର ପରାଜୟ ସତ୍ତ୍ବେ ଉଭୟ ପାଳିରେ ମୋଟ ୭ ୱିକେଟ୍‌ ନେଇଥିବା ଆନ୍ଧ୍ର ବୋଲର ପୃଥ୍ବୀ ରାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ବେଙ୍ଗଲ ୯ ୱିକେଟ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଦେଇଛି। ଝାଡ଼ଖଣ୍ଡ ପ୍ରଥମ ପାଳିକୁ ୧୭୩ ଏବଂ ଦ୍ବିତୀୟ ପାଳିକୁ ୨୨୧ ରନ୍‌ରେ ଅଟକାଇ ଦେଇଥିବା ବେଙ୍ଗଲ ପ୍ରଥମ ପାଳିରେ ୩୨୮ ରନ୍‌ କରିଥିଲା ବେଳେ ମାତ୍ର ୬୭ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିଲା। ଝାଡ଼ଖଣ୍ଡ ଦ୍ବିତୀୟ ପାଳିରେ ଆକାଶ ଘଟକ ୩, ଆକାଶ ଦୀପ ଓ ସାହବାଜ ଅହମ୍ମଦ ୨-୨, ଈଶାନ ପୋରେଲ ଓ ମୁକେଶ କୁମାର ୧-୧ ୱିକେଟ୍‌ ଦଖଲ କରିଥିଲେ। ଶେଷରେ କେବଳ କାଜି ସୖଫି (୪)ଙ୍କ ୱିକେଟ୍‌ ହରାଇ ବେଙ୍ଗଲ ୧୨.୪ ଓଭରରେ ୬୯ ରନ୍‌ କରି ମ୍ୟାଚ୍‌ ସହଜରେ ଜିତି ନେଇଥିଲା। ଅଭିମନ୍ୟୁ ଈଶ୍ବରନ୍‌ ୨୮* ଓ ସୁଦୀପ କୁମାର ଘରାମୀ ୨୬* ରନ୍‌ କରିଥିଲେ। ଆକାଶ ଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୦୧୯-୨୦ ଋତୁରେ ଫାଇନାଲ୍‌ ଖେଳିଥିବା ବେଙ୍ଗଲ ଏଥର ବିଜେତା ଲକ୍ଷ୍ୟରେ ଆଗକୁ ବଢ଼ିଛି। ବେଙ୍ଗଲ ଲଗାତାର ଦୁଇ ଋତୁ ଧରି ଫାଇନାଲ୍‌ ‌ଖେଳିଥିଲେ ମଧ୍ୟ ଟ୍ରଫି ଜିତିବାରେ ସମର୍ଥ ହୋଇନାହିଁ।

ଅନ୍ୟପକ୍ଷରେ ରାଜକୋଟରେ ଚାଲିଥିବା ସୌରାଷ୍ଟ୍ର-ପଞ୍ଜାବ ତୃତୀୟ କ୍ବାର୍ଟର ଫାଇନାଲ୍ ପଞ୍ଚମ ତଥା ଅନ୍ତିମ ଦିନକୁ ଟାଣି ହୋଇଯାଇଛି। ପ୍ରଥମ ପାଳିରେ ୩୦୩ ରନ୍‌ କରିଥିବା ସୌରାଷ୍ଟ୍ର ଦ୍ବିତୀୟ ପାଳିରେ ୩୭୯ ରନ୍‌ କରିଥିଲା। ଫଳରେ ପ୍ରଥମ ପାଳିରେ ୪୩୧ ରନ୍‌ କରିଥିବା ପଞ୍ଜାବ ସମ୍ମୁଖରେ ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ତେବେ ଶୁକ୍ରବାର ଚତୁର୍ଥ ଦିବସ ଶେ‌ଷ ସୁଦ୍ଧା ପଞ୍ଜାବ ୨ ୱିକେଟ୍‌ ବିନିମୟରେ ୫୨ ରନ୍‌ କରିଥିଲା ବେଳେ ପଞ୍ଚମ ତଥା ଅନ୍ତିମ ଦିବସରେ ବିଜୟ ପାଇଁ ୨୦୦ ରନ୍‌ ଆବଶ୍ୟକ କରୁଛି। ସୌରାଷ୍ଟ୍ର ବୋଲରମାନେ ମଧ୍ୟ ପଞ୍ଜାବର ୮ ୱିକେଟ୍‌ ଝଡ଼ାଇ ବିଜୟ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର