ରାଞ୍ଚି ଦିନିକିଆ: ପାଣିରେ ପଡ଼ିଲା କୋହଲିଙ୍କ ଶତକ, ଅଷ୍ଟ୍ରେଲିଆ ୩୨ ରନ୍‌ରେ ବିଜୟୀ, ଭାରତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ

ରାଞ୍ଚିି: ବିରାଟ କୋହଲିଙ୍କ ଶତକ (୧୨୩ ରନ୍‌, ୯୫ ବଲ୍‌, ୧୬ ଚୌକା ଓ ୧ ଛକା) ସତ୍ତ୍ୱେ ଭାରତ ଶୁକ୍ରବାର ଅଷ୍ଟ୍ରେଲିଆ ଠାରୁ ୩୨ ରନ୍‌ରେ ପରାସ୍ତ ହୋଇଛି। ଫଳରେ ଭାରତ ଶୃଙ୍ଖଳାର ୨-୧ରେ ଅଗ୍ରଣୀ ରହିଛି। ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୮୧ ରନ୍‌ କରିଛି।

ଝାଡ଼ଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସ୍‌ (ଜେଏସ୍‌ସିଏ) ଷ୍ଟାଡିୟମ୍‌ରେ ଦ୍ୱିତୀୟ ଇନିଂସରେ ଭାରତର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ସ୍କୋର ୧୧ ରନ୍‌ରେ ଶିଖର ଧାଓ୍ଵନ୍‌ (୧ ରନ୍‌), ୧୫ ରନ୍‌ରେ ରୋହିତ ଶର୍ମା (୧୪ ରନ୍‌), ୨୭ ରନ୍‌ରେ ଅମ୍ବାତି ରାୟଡୁ (୨ ରନ୍‌) ଆଉଟ୍‌ ହୋଇଥିଲେ। ଏହା ପରେ ଭାରତ ଚାପରେ ପଡ଼ି ଯାଇଥିଲା। ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ୨୬-୨୬ ରନ୍‌ କରିଥିବା ବେଳେ ବିଜୟ ଶଙ୍କର ୩୨ ରନ୍‌, ରବୀନ୍ଦ୍ର ଜାଦେଜା ୨୪ ରନ୍‌, କୁଲଦୀପ ଯାଦବ ୧୦ ରନ୍‌, ମହମ୍ମଦ ସାମି ୮ ରନ୍‌ କରିଥିଲେ। ଅଷ୍ଟ୍ରେଲିଆର ପେଟ୍‌ କମ୍ବିନ୍ସ, ଆଦାମ ଜାମ୍ପା ଓ ଜୟ ରିଚାର୍ଡସନ୍‌ଙ୍କୁ ୩-୩ ଓ୍ଵିକେଟ୍‌ ମିଳିଥିବା ବେଳେ ନାଥାନ ଲାୟନ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସରେ ଭାରତୀୟ ବୋଲର କୁଲଦୀପ ଯାଦବ ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ୍‌ ପଠାଇଥିଲେ। ମାତ୍ର ଏହା ପୂର୍ବରୁ ଓପନର୍‌ ଆରୋନ୍‌ ଫିଞ୍ଚି ଓ ଉସ୍‌ମାନ୍‌ ଖାଓ୍ଵାଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୩୧୩ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୩୧୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ପ୍ରଥମ ଓ୍ଵିକେଟ୍‌ରେ ୧୯୩ ରନ୍‌ କରି ଇନିଂସ୍‌ର ମଜବୁତ୍‌ ସ୍ଥିତିରେ ପହଂଚି ଥିଲା। ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା।

ପାଞ୍ଚ ଦିନିକିଆ ଶୃଙ୍ଖଳାର ୩ୟ ମୁକାବିଲାରେ ଶୁକ୍ରବାର ଭାରତକୁ ୩୧.୫ ଓଭରରେ ପ୍ରଥମ ସଫଳତା ମିଳିଥିଲା। ଅଧିନାୟକ ଫିଞ୍ଚ (୯୩ ରନ୍‌, ୯୨ ବଲ୍‌, ୧୦ ଚୌକା ଓ ୩ ଛକା) କୁଲଦୀପ ଯାଦବଙ୍କ ଦ୍ୱାରା ଆଉଟ୍‌ ହୋଇଛନ୍ତି। ଦ୍ୱିତୀୟ ଓ୍ଵିକେଟ୍‌ ଭାବରେ ଅଷ୍ଟ୍ରେଲିଆ ଉସ୍‌ମାନ ଖାଓ୍ଵାଜା (୧୦୪ ରନ୍‌, ୧୧୩ ବଲ୍‌, ୧୧ ଚୌକା ଓ ୩ ଛକା) ଆଉଟ୍‌ ହୋଇଥିଲେ। ସେ ମହମ୍ମଦ ସାମିଙ୍କ ବଲ ଯଶପ୍ରୀତ ବୁମରାଙ୍କୁ ଦେଇଥିଲେ।

ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ୍‌ ୩୧ଟି ବଲ ଖେଳି ୪୭ ରନ୍‌ କରିବା ପରେ ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଅଷ୍ଟ୍ରେଲିଆ ୨୩୯ ରନ୍‌ରେ ଉସ୍‌ମାନ୍‌, ୨୫୮ ରନ୍‌ରେ ମ୍ୟାକ୍ସୱେଲ୍‌, ୨୬୩ ରନ୍‌ରେ ସନ ମାର୍ସ, ୨୬୩ ରନ୍‌ରେ ପେଟର ହେଣ୍ଡସ୍କମ୍ବଙ୍କୁ ହରାଇଥିଲା। ମାର୍କସ ଷ୍ଟୋଇନିସ୍‌ ଅପରାଜିତ ୩୧ ରନ୍‌ ଓ ଆଲେକ୍ସ କେରି ଅପରାଜିତ ୨୧ ରନ୍‌ କରିଥିବା ବେଳେ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର