ରାଞ୍ଚି: ତୃତୀୟ ଦିନରେ ବଡ଼ ଧରଣର ଓଲଟପାଲଟ କରି ରାଞ୍ଚି ଟେଷ୍ଟ୍କୁ ନିୟନ୍ତ୍ରଣକୁ ନେଇଛି ଭାରତ। ଯୁବ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲଙ୍କ ଧମାକାଦାର ଅର୍ଦ୍ଧଶତକ ପରେ ଆର୍ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ଶାଣିତ ସ୍ପିନ୍ରେ ବଳିୟାନ ହୋଇ ମ୍ୟାଚ୍ ଓ ଶୃଙ୍ଖଳାକୁ ନିଜ ନାଁରେ କରିବାର ଦ୍ବାର ଦେଶରେ ପହଞ୍ଚିଯାଇଛି। ରୋଚକ ମୋଡ଼ରେ ଥିବା ଏହି ଟେଷ୍ଟ୍ରେ ଏବେ ଭାରତ ପାଇଁ ଗୋଟିଏ ଦିନରେ ଏଭଳି ଦୁଇଟି ସଫଳତା ଲାଭ କରିବାର ଆଶା ବଢ଼ିଛି।
ଚତୁର୍ଥ ଦିନରେ ହିଁ ଫଳାଫଳ ମିଳିବା ନିଶ୍ଚିତ ହୋଇଥିବା ଏହି ଲଢ଼େଇର ପ୍ରଥମ ଦୁଇ ଦିନରେ ଇଂଲଣ୍ଡ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ଭାରତୀୟ ସ୍ପିନର୍ଙ୍କ ଜାଲରେ ଫଶି ନାଟକୀୟ ଭାବେ ତୃତୀୟ ଦିନରେ ମାତ୍ର ୧୪୫ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ରାଞ୍ଚି ବିଜୟ ଲାଗି ଭାରତକୁ ମାତ୍ର ୧୯୨ ରନ୍ର ଲକ୍ଷ୍ୟ ମିଳିଛି। ଜବାବରେ ରବିବାର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ରୋହିତ ବାହିନୀ ବିନା କ୍ଷତିରେ ୪୦ ରନ୍ କରି ନେଇଛି। ଫଳରେ ବିଜୟ ଲକ୍ଷ୍ୟଠାରୁ ଆଉ ୧୫୨ ରନ୍ ପଛରେ ରହିଛି। ଅଧିନାୟକ ରୋହିତ ଶର୍ମା ନିଜେ ଦ୍ରୁତ ଖେଳି ୨୭ ବଲ୍ରୁ ୨୪ ଏବଂ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ୨୧ ବଲ୍ରୁ ୧୬ ରନ୍ କରି ଅପରାଜିତ ରହିଛନ୍ତି।
ଇଂଲଣ୍ଡର ପ୍ରଥମ ପାଳି ସ୍କୋର୍ ୩୫୩କୁ ପିଛା କରି ୭ ୱିକେଟ୍ ବିନିମୟରେ କେବଳ ୨୧୯ ରନ୍ କରିଥିବା ଭାରତକୁ ଜୁରେଲ ହିଁ ବିପଦରୁ ରକ୍ଷା କରିଥିଲେ। କୁଲଦୀପଙ୍କ ସହ ମିଶି ଅଷ୍ଟମ ୱିକେଟ୍ରେ ସେ ଯୋଡ଼ିଥିବା ୭୬ ରନ୍ ହିଁ ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲା। ବ୍ୟକ୍ତିଗତ ଭାବେ ମାତ୍ର ୧୦ ରନ୍ ପାଇଁ ପ୍ରଥମ ଟେଷ୍ଟ୍ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଶେଷ ୩ ବ୍ୟାଟର୍ଙ୍କ ସହ ମିଶି ଭାରତ ସ୍କୋର୍କୁ ସେ ୩୦୭ ରନ୍ରେ ପହଞ୍ଚାଇ ଦେଇଥିଲେ। ରବିବାର ପ୍ରଥମ ଟେଷ୍ଟ୍ ଅର୍ଦ୍ଧଶତକ ଅର୍ଜନ କରିଥିବା ଜୁରେଲଙ୍କ ପାଇଁ ଇଂଲଣ୍ଡର ଅଗ୍ରଣୀ ମାତ୍ର ୪୬ ରନ୍କୁ କମି ଯାଇଥିଲା। ତଥାପି ଇଂଲଣ୍ଡ ନିଜ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ଜାରି ରଖି ଭାରତୀୟ ବୋଲରଙ୍କୁ ଦ୍ବିତୀୟ ପାଳି ଆରମ୍ଭରୁ ଆକ୍ରମଣ କରିଥିଲା। ଯାହାର ପରିଣାମ ତାକୁ ପଞ୍ଚମ ଓଭରରେ ଭୋଗିବାକୁ ପଡ଼ିଥିଲା। ଏହି ଓଭରର ଶେଷ ଦୁଇ ବଲ୍ରେ ଦୁଇଟି ୱିକେଟ୍ ନେଇ ଅଶ୍ବିନ ଭାରତ ଶିବିରରେ ଆତ୍ମବିଶ୍ବାସ ଭରିଥିଲେ। ଏହା ପରେ କୁଲଦୀପ ଓ ସେ ମିଳିତ ଭାବେ ଇଂଲଣ୍ଡର ୯ଟି ୱିକେଟ୍ ଝାଡ଼ିଥିଲେ। ଚା’ ପାନ ବିରତି ପରେ ଇଂଲଣ୍ଡ ୨୧ ଓଭର ଖେଳି ମାତ୍ର ୨୫ ରନ୍ରେ ୫ ୱିକେଟ୍ ହରାଇଥିଲା। କେବଳ ଜ୍ୟାକ୍ କ୍ରଲିଙ୍କ ଛଡ଼ା ଅନ୍ୟ ସମସ୍ତ ଇଂଲଣ୍ଡ ବ୍ୟାଟର୍ ଅଶ୍ବିନ-କୁଲଦୀପ ଯୋଡ଼ି ଆଗରେ ବିନା ଲଢ଼େଇରେ ଆତ୍ମସମର୍ପଣ କରିଥିଲେ। ଅବଶିଷ୍ଟ ଗୋଟିଏ ୱିକେଟ୍ ରବୀନ୍ଦ୍ର ଜାଡ଼େଜା କରାୟତ୍ତ କରିବା ପରେ ଇଂଲଣ୍ଡ ପାଳି ୫୩.୫ ଓଭରରେ ଶେଷ ହୋଇଯାଇଥିଲା।
କୁଲଦୀପ ବାମହାତୀ ୱର୍ଣ୍ଣ
ରାଞ୍ଚି ଟେଷ୍ଟ୍ର ତୃତୀୟ ଦିନରେ ଭାରତୀୟ ବାମହାତୀ ସ୍ପିନର କୁଲଦୀପ ଯାଦବ ଚମତ୍କାର ବୋଲିଂ କରି ଇଂଲଣ୍ଡର ଚାରିଟି ମୂଳ୍ୟବାନ ୱିକେଟ୍ ଝାଡ଼ିଥିଲେ। ସେ ଏଭଳି ବୋଲିଂ କରିଥିଲେ ଯେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ତାଙ୍କୁ ବାମହାତୀ ସେନ୍ ୱର୍ଣ୍ଣ ବୋଲି କହିଥିଲେ। କୁଲଦୀପଙ୍କ ବୋଲିଂ ଦେଖିଲା ପରେ ମୋତେ ୱର୍ଣ୍ଣଙ୍କ ବୋଲିଂ ମନେ ପଡ଼ିଯାଇଥିଲା। ସେ ପୂରା ବାମହାତୀ ୱର୍ଣ୍ଣଙ୍କ ଭଳି ଜଣା ପଡ଼ୁଥିଲେ ବୋଲି ଭନ୍ ‘ଏକ୍ସ’ରେ ଲେଖିଥିଲେ। ଦିବଂଗତ ଅଷ୍ଟ୍ରେଲୀୟ ତାରକା ୱର୍ଣ୍ଣ ହେଉଛନ୍ତି ବିଶ୍ବ କ୍ରିକେଟ୍ର ଅନ୍ୟତମ ମହାନ ସ୍ପିନର। ଭନ୍ ତାଙ୍କ ବିପକ୍ଷରେ ଢେର କିଛି ବର୍ଷ ଖେଳିଛନ୍ତି।