ରେନ୍‌ସ’, ମ୍ୟାକ୍ସେଓ୍ଵଲ୍‌, ବର୍ନସ ସାମିଲ

ବଲ୍‌ ବିକୃତ ବିବାଦକୁ ଆଖି ଆଗରେ ରଖି କ୍ରିକେଟ୍‌ ଅଷ୍ଟ୍ରେଲିଆ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ପାଇଁ ୨୧ ବର୍ଷୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମ୍ୟାଟ୍‌ ରେନସ’ଙ୍କ ସହ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ ଓ ଜୋ ବର୍ନସଙ୍କୁ ଦଳରେ ସାମିଲ କରିଛି। ଏହି ତିନି ଜଣ କାମେରୁନ୍‌ ବନକ୍ରଫ୍ଟ, ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ୍‌ ଓ୍ଵାର୍ନରଙ୍କ ସ୍ଥାନ ନେବେ। ତିନି ଜଣ ଯାକ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିବା ଜଣା ପଡ଼ିଛି। ବ୍ରିସବନରେ ଚାଲିଥିବା ସେଫିଲ୍ଡ ସିଲ୍ଡ ଫାଇନାଲ ଖେଳୁଥିବା ରେନସ’ ସଂପ୍ରତି ଜାତୀୟ ଦାୟିତ୍ୱ ପାଇଁ ଏହି ମ୍ୟାଚ୍‌କୁ ଅଧାରୁ ଛାଡ଼ିଛନ୍ତି। ଖରାପ ଫର୍ମ ପାଇଁ ଆସେସ୍‌ ଶୃଙ୍ଖଳା ପୂର୍ବରୁ ସେ ଅଷ୍ଟ୍ରେଲିଆ ଦଳରୁ ବାଦ୍‌ ପଡ଼ିଥିଲେ। ତେବେ ରେନସ’ଙ୍କ ସ୍ଥାନ ନେଇଥିବା କାମେରୁନ ବନକ୍ରଫ୍ଟ କେପଟାଉନ ଟେଷ୍ଟ୍‌ର ବଲ୍‌ ବିକୃତ ବିବାଦରେ ଛନ୍ଦି ହେବା ପରେ ରେନସ’ ପୁଣି ଥରେ କଙ୍ଗାରୁ ଦଳକୁ ଫେରିଛନ୍ତି। ଶେଷ ଥର ପାଇଁ ସେ ଚିଟ୍ଟାଗଙ୍ଗଠାରେ ବାଂଲାଦେଶ ବିପକ୍ଷରେ ୨୦୧୭ ସେପ୍ଟେମ୍ବରରେ ଟେଷ୍ଟ କ୍ରିକେଟ୍‌ ଖେଳିଥିଲେ। ସେବେଠାରୁ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ୍‌ରେ କେତେକ ଦର୍ଶନୀୟ ପାଳି ଖେଳି ସାରିଛନ୍ତି। ବର୍ନସ ଅଷ୍ଟ୍ରେଲିଆ ପକ୍ଷରୁ ୧୩ ଟେଷ୍ଟ ଖେଳିଥିଲା ବେଳେ ମ୍ୟାକ୍ସେଓ୍ଵଲ୍‌ ୭ ଟେଷ୍ଟରେ କଙ୍ଗାରୁ ଦଳର ପ୍ରତିନିଧିତ୍ୱ କରିଛନ୍ତି।

ସମ୍ବନ୍ଧିତ ଖବର