ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌ ‘ବିଶ୍ବ କ୍ରୀଡ଼ା ଆଥ୍‌ଲେଟ୍‌ ୨୦୧୯ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସେ ପ୍ରଥମ ଭାରତୀୟ ‌ହେବେ। ଅନ୍ତର୍ଜାତୀୟ ବିଶ୍ବ କ୍ରୀଡ଼ା ସଂଘ (ଆଇଡବ୍ଲ୍ୟୁଜିଏ) ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଦୌଡ଼ରେ ୨୫ ଖେଳର ୨୫ କ୍ରୀଡ଼ା ତାରକା ରହିଥିଲେ। ରାଣୀ ୧୯୯,୪୭୭ ଭୋଟ୍‌ ପାଇ ସମସ୍ତକୁ ପଛରେ ପକାଇ ଦେବା ସହ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। ଅନ୍ତର୍ଜାତୀୟ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌) ରାଣୀଙ୍କ ନାମ ଏହି ପୁରସ୍କାର ଲାଗି ସୁପାରିସ କରିଥିଲା। ଏହି ପୁରସ୍କାର ପାଇବା ନିଶ୍ଚିତ ହେବା ପରେ ରାଣୀଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାରର ଏହା ଷ‌ଷ୍ଠ ସଂସ୍କରଣ ହୋଇଥିଲା ବେଳେ ଗତ ବର୍ଷ ଜିମ୍ନାଷ୍ଟିକ୍ସ ଯୋଡ଼ି ରୁଷିଆର ମାରିଆ ଚେର୍ନୋଭା ଓ ଜର୍ଜି ପାଟାରାଇଆ ୧୫୯,୩୪୮ ଭୋଟ ପାଇ ବିଜେତା‌ ହୋଇଥିଲେ। ରାଣୀଙ୍କ ପଛକୁ ଆମେରିକାର ‌ଶକ୍ତିଉତ୍ତୋଳକ ଜେନିଫର ଥମ୍ପସନ୍‌ (୧୫୨,୮୬୫) ରହିଥିଲେ। ମୋତେ ସମର୍ଥନ ଜଣାଇ ଭୋଟ ଦେଇ ଥିବା ସମସ୍ତ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବୋଲି ରାଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସଂପ୍ରତି ସେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ନିକଟରେ ତାଙ୍କ ନାମ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଲାଗି ଚୟନ ହୋଇଛି।