ଖେଳରତ୍ନ ପାଇଁ ରାଣୀଙ୍କ ନାମ ସୁପାରିସ: ବନ୍ଦନା, ମୋନିକା ଓ ହର୍‌ମନ୍‌ପ୍ରୀତ୍‌ଙ୍କ ନାମ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମ୍‌ପଲ୍‌ଙ୍କ ନାମ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସୁପାରିସ କରାଯାଇଛି। ମଙ୍ଗଳବାର ହକି ଇଣ୍ଡିଆ ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ରାଣୀଙ୍କ ନାମ ବ୍ୟତୀତ ବନ୍ଦନା‌ କାଟାରିୟା, ମୋନିକା ଏବଂ ପୁରୁଷ ଦଳର ବିଶେଷଜ୍ଞ ଡ୍ରାଗ୍‌ଫ୍ଲିକର ହର୍‌ମନ୍‌ପ୍ରୀତ୍‌ ସିଂହଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ସେହିପରି ଜୀବନବ୍ୟାପୀ ଅବଦାନ ପାଇଁ କିଂବଦନ୍ତି ଆର୍‌ପି ସିଂହ ଏବଂ ତୁଷାର ଖାଣ୍ଡ୍‌କରଙ୍କ ନାମ ମେଜର ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ହକି ଇଣ୍ଡିଆ ସୁପାରିସ କରିଛି। ପ୍ରଶିକ୍ଷକଙ୍କ ମଧ୍ୟରୁ ବିଜେ କାରିଆପ୍ପା ଓ ରମେଶ ପଠାଣିଆଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ୨୦୧୬ ଜାନୁ୍ଆରି ୧ରୁ ୨୦୧୯ ଡିସେମ୍ବର ୩୧ ତାରିଖ ମଧ୍ୟରେ ପ୍ରଦର୍ଶନକୁ ବିଚାରକୁ ନିଆଯିବ। ଯଦି ରାଣୀଙ୍କୁ ଖେଳରତ୍ନ ମିଳେ ତାହାଲେ ସେ ପୂର୍ବତନ ପୁରୁଷ ଦଳର ଅଧିନାୟକ ସର୍ଦାର ସିଂହଙ୍କ ପରେ ଦ୍ବିତୀୟ ହକି ଖେଳାଳି ହେବେ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିଛନ୍ତି। ରାଣୀ ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇବାର ହକ୍‌ଦାର ବୋଲି ସେ କହିଛନ୍ତି।

ଏହି ୪ ବର୍ଷର ସମୟ ମଧ୍ୟରେ ରାଣୀ ଭାରତୀୟ ମହିଳା ଦଳକୁ ୨୦୧୭ରେ ଐତିହାସିକ ଏସିଆ କପ୍‌ ବିଜୟ ଭେଟି ଦେଇଥିଲେ। ତାଙ୍କ ନେତୃତ୍ବରେ ମଧ୍ୟ ଭାରତ ତା’ ପରବର୍ଷ ତଥା ୨୦୧୮ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲା ବେଳେ ୨୦୧୯ରେ ଦଳର ଅଲିମ୍ପିକ୍‌ ଯୋଗ୍ୟତା ହାସଲରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ତାଙ୍କ ନିର୍ଣ୍ଣାୟକ ଗୋଲ୍‌ ବଳରେ ଭାରତ ଟୋକିଓ ଟିକେଟ ହାସଲ କରିଥିଲା। ଭାରତୀୟ ମହିଳା ଦଳ ମଧ୍ୟ ଏଫ୍‌ଆଇଏଚ୍‌ ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନ ଭାବେ ନବମକୁ ଲମ୍ଫ ମାରିଥିଲା। ରାଣୀ ମଧ୍ୟ ଏକମାତ୍ର ଭାରତୀୟ ଭାବେ ବିଶ୍ବ କ୍ରୀଡ଼ାର ଶ୍ରେଷ୍ଠ ଆଥ୍‌ଲେଟ୍‌ ବିବେଚିତ ହୋଇଥିଲେ। ଏହା ପୂର୍ବରୁ ରାଣୀ ଅର୍ଜୁନ (୨୦୧୬) ଏବଂ ପଦ୍ମଶ୍ରୀ (୨୦୨୦) ପୁରସ୍କାର ହାସଲ କରିସାରିଛନ୍ତି।

ଅନ୍ୟପକ୍ଷରେ ବନ୍ଦନା ୨୦୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ମୋନିକା ୧୫୦ରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି। ଉଭୟେ ୨୦୧୯ରେ ଦଳର ଦମ୍‌ଦାର ବିଜୟ ସାଙ୍ଗକୁ ହିରୋସୀମାରେ ଆୟୋଜିତ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସ, ଭୁବନେଶ୍ବରରେ ଆୟୋଜିତ ଟୋକିଓ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ ଓ ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟରେ ପ୍ରମୁଖ ଭୂମିକା ନିଭାଇଥିଲେ। ପୁରୁଷ ଦଳର ଡ୍ରାକଫ୍ଲିକର ହରମନ୍‌ପ୍ରୀତ୍‌ ଓଡ଼ିଶାର ଭୁବନେଶ୍ବରରେ ଆୟୋଜିତ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସରେ ଭାରତର ବିଜୟୀ ପ୍ରଦର୍ଶନରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଛାଡ଼ିଥିଲେ। ମନ୍‌ପ୍ରୀତ୍‌ ସିଂହଙ୍କ ଅନୁପସ୍ଥିତିରେ ସେ ମଧ୍ୟ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟରେ ଭାରତୀୟ ଦଳର ନେତୃତ୍ବ ନେଇ ବିଜୟ ପାଇଥିଲେ। ହର୍‌ମନ୍‌ପ୍ରୀତ୍‌ ମଧ୍ୟ ଗତବର୍ଷ ରୁଷିଆ ବିପକ୍ଷରେ ଅଲିମ୍ପକ୍‌ ଯୋଗ୍ୟତାପର୍ଯ୍ୟାୟ ଜିତି ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ରହିଥିଲେ। ସେହିପରି କାରିଆପ୍ପାଙ୍କ ପ୍ରଶିକ୍ଷଣରେ ଭାରତୀୟ କନିଷ୍ଠ ଦଳ ୨୦୧୯ ସୁଲ୍‌ତାନ ଜୋହର୍‌ କପ୍‌ରେ ରୌପ୍ୟ ପଦକ ଜିତିଥିଲା।

ଓଡ଼ିଶା ଖେଳାଳିଙ୍କୁ ଅଣଦେଖା
ଓଡ଼ିଶା ସରକାର ସଂପ୍ରତି ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ ଅଛନ୍ତି। ସୂଚନା ଅନୁସାରେ ଏଥିଲାଗି ପ୍ରାୟ ଅଢ଼େଇ ଶହ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି କଳିଙ୍ଗ ଷ୍ଟାଡିୟମକୁ ଭାରତୀୟ ହକିର ପ୍ରମୁଖ ପେଣ୍ଠସ୍ଥଳୀର ମାନ୍ୟତା ମିଳୁଛି। ଏଠାରେ ବିଶ୍ବକପଠାରୁ ବିଶ୍ବ ଲିଗ୍ ପର୍ଯ୍ୟନ୍ତ, ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉଛି। ଯେଉଁଥିରେ ଓଡ଼ିଶା ସରକାରଙ୍କର ସହବନ୍ଧନ ରହୁଛି। ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ମଧ୍ୟ ଏମିତି ପାଞ୍ଚ ଜଣ ଓଡ଼ିଆ ଖେଳାଳି ଅଛନ୍ତି, ଯେଉଁମାନେ ଅର୍ଜୁନ ପାଇଁ ଦାବିଦାର। ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋଙ୍କ ଭଳି ଓଡ଼ିଆ ଖେଳାଳି ଦୀର୍ଘଦିନ ହେବ ଭାରତୀୟ ହକିର ସେବା କରି ଆସୁଛନ୍ତି। ହେଲେ ହକି ଇଣ୍ଡିଆ ଏମାନଙ୍କ ନାଁ’କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିବାକୁ ଯୋଗ୍ୟ ମଣିନାହିଁ। ଯାହା ଓଡ଼ିଶା ହକି ପ୍ରେମୀଙ୍କୁ ନିରାଶ କରିଛି। ହକି ଇଣ୍ଡିଆକୁ ଏଥିଲାଗି ମଧ୍ୟ କିଛି ହକି ପ୍ରେମୀ କଡ଼ା ସମାଲୋଚନା କରିଛନ୍ତି। ଏହି ବିଷୟ ହକି ଇଣ୍ଡିଆର ଧ୍ୟାନ ଆକର୍ଷଣ କରିବାକୁ ସେମାନେ ଓଡ଼ିଶା ସରକାରଙ୍କୁ ଦାବି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ହକି ପାଇଁ ଓଡ଼ିଶା ବହୁତ କିଛି କରୁଛି, ହେଲେ ହକି ଇଣ୍ଡିଆ କେବଳ ଆର୍ଥିକ ଫାଇଦା ନେଉଛି, ଓଡ଼ିଶା ହକି ଓ ଓଡ଼ିଶାର ହକି ଖେଳାଳିଙ୍କ ପାଇଁ କିଛି କରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଦୀପଗ୍ରେସ୍ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳିଥିଲା ବେଳେ ଗତବର୍ଷ ହକି ଇଣ୍ଡିଆ ଏଥିଲାଗି ତାଙ୍କୁ ପୁରସ୍କୃତ କରିଥିଲା। ସେହିଭଳି ବୀରେନ୍ଦ୍ର ୨୦୧୪ ଇଞ୍ଚିଅନ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ମଧ୍ୟ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଓ ୨୦୧୬ କ୍ବାନ୍ତାନ ଏସିଆନ୍ ହକିରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳରେ ଥିଲେ। ‌ଅମିତ, ଲିଲିମା ଓ ନମିତା ମଧ୍ୟ ଗତ ତିନି ଚାରି ବର୍ଷ ହେବ ଉଚ୍ଚକୋଟୀର ପ୍ରଦର୍ଶନ କରି ଆସୁଛନ୍ତି। ତଥାପି ହକି ଇଣ୍ଡିଆ ଏମାନଙ୍କୁ ଅଣଦେଖା କରିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଇଗ୍ନେସ ତିର୍କି ଓ ଜ୍ୟୋତି ସୁନିତା କୁଲୁ ହକିରେ ଓଡ଼ିଶାରୁ ଅର୍ଜୁନ ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର