ରଣଜୀ ଋତୁ ଆରମ୍ଭ: କିଟ୍‌ରେ ଆଜିଠୁ ଓଡ଼ିଶା-ହରିଆଣା

ଭୁବନେଶ୍ବର: ୨୦୧୮-୧୯ ରଣଜୀ ଋତୁ ଗୁରୁବାରଠାରୁ ଆରମ୍ଭ ହେଉଛି। କିଟ୍ କ୍ରିକେଟ୍ ପଡ଼ିଆରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ହରିଆଣାର ମୁକାବିଲା କରିବାକୁ ଯାଉଛି। ତିନିଟି ଋତୁ ପରେ ଉଭୟ ଦଳ ପରସ୍ପରକୁ ଭେଟିବେ। ପୂର୍ବରୁ ଓଡ଼ିଶା ଏବଂ ହରିଆଣା ୬ ଥର ଭେଟାଭେଟି ହୋଇଥିଲା ବେଳେ ସେଥିମଧ୍ୟରୁ ଓଡ଼ିଶା ଦୁଇଟି ମ୍ୟାଚ୍ ଜିତିଛି। ଅନ୍ୟ ପକ୍ଷରେ ହରିଆଣା ଗୋଟିଏ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ବଳକା ତିନିଟି ମ୍ୟାଚ୍ ଅମୀମାଂସିତ ରହିଛି। କିଟ୍ ପଡ଼ିଆରେ କିନ୍ତୁ ଏହି ଦୁଇ ଉତ୍ତର ଏବଂ ପୂର୍ବ ଭାରତ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ୨୦୧୩-୧୪ ଋତୁରେ ଓଡ଼ିଶା ଏବଂ ହରିଆଣା ଭୁବନେଶ୍ବରର ରେଳବାଇ ଷ୍ଟାଡିୟମରେ ଖେଳିଥିଲେ। ସେଥର ହରିଆଣା ବିଶାଳ ସ୍କୋର କରିଥିଲା। ଓଡ଼ିଶା ଅବଶ୍ୟ କଷ୍ଟେମଷ୍ଟେ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲା। ଏଲିଟ୍ ଗ୍ରୁପ୍ -ସିର ଏହି ମୁକାବିଲାକୁ ନେଇ ରାଜଧାନୀ କ୍ରିକେଟ୍ ମହଲରେ ପ୍ରବଳ ଉତ୍ସା‌ହ ଦେଖିବାକୁ ମିଳୁଛି। ଚଳିତ ଥର ଦୁଇଟି ଯାକ ଦଳ ବେଶ୍ ସନ୍ତୁଳିତ। ହରିଆଣା ଦଳରେ ଅବଶ୍ୟ ମୋହିତ ଶର୍ମା ଏବଂ ଜୟନ୍ତ ଯାଦବଙ୍କ ରୂପରେ ଦୁଇ ଜଣ ଅନ୍ତର୍ଜାତୀୟ ଅଭିଜ୍ଞତା ସଂପନ୍ନ ଖେଳାଳି ରହିଛନ୍ତି। ଘରୋଇ ପରିବେଶ ସହ କେତେକ ପ୍ରତିଭାସଂପନ୍ନ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରି ଓଡ଼ିଶା ପ୍ରଶିକ୍ଷକ ରଶ୍ମି ରଂଜନ ପରିଡ଼ା ହରିଆଣାକୁ କଡ଼ା ଟକ୍କର ଦେବା ଲାଗି ଯୋଜନା କରିଛନ୍ତି। ଗତ ଋତୁରେ ହରିଆଣାର ଅଧିନାୟକ ଦାୟିତ୍ବ ତୁଲାଇଥିବା ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସ୍ପିନର ଅମିତ ମିଶ୍ର ଏଥର ଏହି ଦଳରେ ନାହାନ୍ତି। ଯାହା ଓଡ଼ିଶା ପାଇଁ ଏକ ଭଲ ଖବର ହୋଇଛି। ଶୀର୍ଷକ୍ରମରେ ଅଧିନାୟକ ବିପ୍ଳବଙ୍କ ସହ ଗୋବିନ୍ଦ ପୋଦ୍ଦାର ଓଡ଼ିଶା ବ୍ୟାଟିଂର ନେତୃତ୍ବ ନେବେ। ସେହିଭଳି ବୋଲିଂ ବାହିନୀ ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ନେତୃତ୍ବରେ ହରିଆଣା ଉପରେ ଚାପ ସୃଷ୍ଟି କରିବା ଦାୟିତ୍ବରେ ରହିବ। ଉଭୟ ଦଳକୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସମ୍ଭାବ୍ୟ ଓଡ଼ିଶା
ବିପ୍ଳବ ସାମନ୍ତରାୟ (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ରଂଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ସୁଭ୍ରାଂଶୁ ସେନାପତି, ସାନ୍ତନୁ ମିଶ୍ର, ସୁଜିତ ଲେଙ୍କା, ପପୁ ରାଏ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ, ଶୁଭମ ନାୟକ।

ସମ୍ଭାବ୍ୟ ହରିଆଣା
ମୋହିତ ଶର୍ମା (ଅଧିନାୟକ), ହର୍ଷଲ ପଟେଲ, ଜୟନ୍ତ ଯାଦବ, ଆଶିଷ ହୁଦା, ନିତିନ ସାଇନି, ଚୌତନ୍ୟ ବି‌େ‌ଷ୍ଣାଇ, ଶୁଭମ ରାହିଲା, ହିମାଂଶୁ ରାଣା, ପ୍ରମୋଦ ଚାନ୍ଦିଲା, ଅଜିତ ଚହଲ, ରୋହିତ ଶର୍ମା, ପୁନିଶ୍ ମେହଟା, ରାହୁଲ ତିୱାତିଆ, ଟିନୁ କୁଣ୍ଡୁ, ପ୍ରଶାନ୍ତ ବଶିଷ୍ଟ।

ସମ୍ବନ୍ଧିତ ଖବର