ବାରବାଟୀକୁ ଫେରିବ ରଣଜୀ କିଟ୍‌, ଡ୍ରିମ୍ସ, ବିକାଶରେ ଗୋଟିଏ ଲେଖାଏଁ ମ୍ୟାଚ୍‌

କଟକ: ଗୋଟିଏ ଋତୁର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମକୁ ପୁଣି ଥରେ ରଣଜୀ ଟ୍ରଫି ଫେରୁଛି। ଚଳିତ ୨୦୧୮-୧୯ ଋତୁର ୫ଟି ମ୍ୟାଚ୍‌ ଓଡ଼ିଶାରେ ହେବାକୁ ଥିବାବେଳେ ସେଥିରୁ ଦୁଇଟି ମ୍ୟାଚ୍‌ ବାରବାଟୀରେ ଖେଳାଯିବା ବିଚାର ଚାଲିଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି। ବାରବାଟୀ ବ୍ୟତୀତ କିଟ୍‌, ଡ୍ରିମ୍ସ ଓ ବିକାଶ ପଡ଼ିଆରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳାଯିବାକୁ ଆପାତତଃ ସ୍ଥିର ହୋଇଛି। ହେଲେ କେଉଁ ମ୍ୟାଚ୍‌ କେଉଁଠି ଖେଳାଯିବ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ନଭେମ୍ବର ପହିଲାରୁ ରଣଜୀ ଟ୍ରଫି ଆରମ୍ଭ ହେବାକୁ ଥିବାରୁ ମାସେ ପୂର୍ବରୁ ପଡ଼ିଆ ବାବଦରେ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ତଥାପି ବର୍ତ୍ତମାନଠୁ ପଡ଼ିଆ ଓ ପିଚ୍‌ ପ୍ରସ୍ତୁତ କରାଯିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ଅନ୍ୟପକ୍ଷରେ ସିକେ ନାୟୁଡୁ ଟ୍ରଫିରେ ବଲାଙ୍ଗୀରକୁ ୩ଟି ମ୍ୟାଚ୍‌ ମିଳୁଥିବା ବେଳେ କୁଚ୍‌ବେହାର ଓ ବିନୁମଙ୍ଗଡ଼ ଟ୍ରଫି ପାଇଁ କଟକର ନିମପୁର, ରେଭେନ୍ସା, ସନ୍‌ସାଇନ୍‌, ବୋସ୍‌ ଓ ବିଡାନାସୀ ପଡ଼ିଆକୁ ବଛାଯାଇଥିବା ଜଣାପଡ଼ିଛି।

ନଭେମ୍ବର ୧ରୁ ରଣଜୀ ଋତୁ ଆରମ୍ଭ ହେଉଛି। ଏଲିଟ୍‌ ସି’ ଗ୍ରୁପ୍‌ରେ ଓଡ଼ିଶା ଘରୋଇ ପରିବେଶରେ ୫ ମ୍ୟାଚ୍‌ ଖେଳିବ। ନଭେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ହରିୟାଣା, ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ୨୮ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ତ୍ରିପୁରା, ଡିସେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଏବଂ ଆସନ୍ତାବର୍ଷ ଜାନୁଆରି ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଗୋଆ ବିପକ୍ଷରେ ଓଡ଼ିଶା ଘରେ ମ୍ୟାଚ୍‌ ଖେଳିବ। ଗତ ଋତୁରେ ଓଡ଼ିଶାରେ ତିନିଟି ରଣଜୀ ମ୍ୟାଚ୍‌ ହୋଇଥିଲା ବେଳେ ଡ୍ରିମ୍ସ, କିଟ୍‌ ଓ ବିକାଶ ପଡ଼ିଆରେ ସେଗୁଡ଼ିକ ଖେଳାଯାଇଥିଲା। ବାରବାଟୀ ପିଚ୍‌ ଖରାପ ଥିବା ଦର୍ଶାଇ ରଣଜୀ ମ୍ୟାଚ୍‌ କରାଯାଇନଥିଲା। ଅନ୍ୟପକ୍ଷରେ ଓଡ଼ିଶା ଦୁଇ ଋତୁ ବ୍ୟବଧାନ ପରେ ବାରବାଟୀରେ ମ୍ୟାଚ୍‌ ଖେଳିବାକୁ ଯାଉଛି। ଶେଷ ଥର ପାଇଁ ୨୦୧୫-୧୬ ଋତୁରେ ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ର ଓ ଆସାମ ସହିତ ଖେଳିଥିଲା। ୨୦୧୬-୧୭ ଋତୁରେ ନିରପେକ୍ଷ ପଡ଼ିଆ କରାଯିବାରୁ ଓଡ଼ିଶା ତା’ର ସବୁ ମ୍ୟାଚ ରାଜ୍ୟ ବାହାରେ ଖେଳିଥିଲା। ସେହି ଋତୁରେ ଗୋଆ-ଛତିଶଗଡ଼, ଜମ୍ମୁ କାଶ୍ମୀର-ହରିୟାଣା ଏବଂ କେରଳ-ତ୍ରିପୁରା ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା।

ଉତ୍ତର-ପୂର୍ବ ରାଜ୍ୟ ପାଇଁ କିଟ୍‌, ବିକାଶ, ରେଳବାଇ ଘରୋଇ ପଡ଼ିଆ
କଟକ): ଚଳିତ ଋତୁଠୁ ପ୍ରଥମ ଥର ବିସିସିଆଇ ଘରୋଇ କ୍ରିକେଟ୍‌ରେ ସାମିଲ ହୋଇଥିବା ଉତ୍ତର ପୂର୍ବର ୬ ରାଜ୍ୟ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ସିକିମ୍‌ ପାଇଁ ଓଡ଼ିଶାକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଓଡ଼ିଶାର କିଟ୍‌, ବିକାଶ ଓ ରେଳବାଇ ପଡ଼ିଆକୁ ଘରୋଇ ପଡ଼ିଆ ଭାବେ ସେମାନେ ବ୍ୟବହାର କରିବେ। ଉତ୍ତର-ପୂର୍ବ ରାଜ୍ୟଙ୍କ ବ୍ୟତୀତ ଉତ୍ତରାଖଣ୍ଡ ଓ ପୁଡୁଚେରୀ ଏଥର ନୂଆ ଦଳ ଭାବେ ସାମିଲ ହୋଇଛନ୍ତି। ତେବେ ସିକିମ୍‌ ଓ ଅରୁଣାଚଳ ପ୍ରଦେଶର ନିଜସ୍ୱ ପଡ଼ିଆ ନଥିବା ବେଳେ ଅନ୍ୟ ରାଜ୍ୟମାନେ ପଡ଼ୋଶୀ ରାଜ୍ୟଙ୍କ ଉପରେ ନିର୍ଭର କରୁଛନ୍ତି। ଉତ୍ତର-ପୂର୍ବ ରାଜ୍ୟମାନଙ୍କର ଉନ୍ନତି ପାଇଁ ବିସିସିଆଇର ଗଠନ ହୋଇଥିବା ସମିତି ଓଡ଼ିଶାରୁ ଉକ୍ତ ପଡ଼ିଆଗୁଡ଼ିକୁ ବ୍ୟବହାର କରିବାକୁ ଓସିଏକୁ ଅନୁରୋଧ କରିଥିଲେ। ତେବେ ସେସବୁ ପଡ଼ିଆରେ ଓଡ଼ିଶାର ଖେଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକ ଯେପରି ବାଧାପ୍ରାପ୍ତ ନହୁଏ ତାହାକୁ ଦୃଷ୍ଟି ଦେବାକୁ ବିସିସିଆଇ କହିଛି।

ସମ୍ବନ୍ଧିତ ଖବର