ଅସ୍ତମିତ ରବି, ରଣଜୀ କ୍ରିକେଟର୍‌ ରବି ନାରାୟଣ ପଣ୍ଡାଙ୍କ ପରଲୋକ

ବାରବାଟୀରେ ହରାଇଥିଲେ ଅଷ୍ଟ୍ରେଲିଆକୁ

ରାଉରକେଲା/ଭୁବନେଶ୍ବର: ଓଡ଼ିଶା କ୍ରିକେଟର ଜଣାଶୁଣା ଚେହେରା, ମହାନ ବ୍ୟାଟ୍ସମ୍ୟାନ୍, ପୂର୍ବତନ ଅଧିନାୟକ, ଚୟନକର୍ତା, ମ୍ୟାଚ୍‌ ରେଫରି ତଥା ସଫଳ କ୍ରୀଡ଼ା ପ୍ରଶାସକ ରବି ନାରାୟଣ ପଣ୍ଡାଙ୍କୁ ବି ଜୀବନ ଯୁଦ୍ଧରେ କରୋନା ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିଛି। ଏହି ମାରାତ୍ମକ ମହାମାରୀ ରାଜ୍ୟର ଆଉ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ବଙ୍କୁ ଆମ ପାଖରୁ ଛଡ଼ାଇ ନେଇଛି। ଭୁବନେଶ୍ବରର ଏକ ହସ୍ପିଟାଲରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ତାଙ୍କର ୬୨ ବର୍ଷ ବୟସରେ ପରଲୋକ ଘଟିଛି।

ଓଡ଼ିଶା ପାଇଁ ୨୮ ରଣଜୀ ଟ୍ରଫି ମ୍ୟାଚ୍‌ ସହ ୱେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ପ୍ରଥମ ‌ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଏକମାତ୍ର ଲିଷ୍ଟ୍ ‘ଏ’ ମ୍ୟାଚ୍‌ ସେ ୱିଲ୍ସ ଟ୍ରଫିରେ‌ ଖେଳିଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିଥିବା ଏହି ଡାହାଣହାତୀ ଖେଳାଳି ୫ ଅର୍ଦ୍ଧଶତକ ସହ ୯୭୧ ରନ୍‌ କରିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ୭୭ ରନ୍‌ କରିଥିଲେ। ତାଙ୍କ ନେତୃତ୍ବରେ ପୂର୍ବାଞ୍ଚଳ ଦଳ ୧୯୭୯ ମସିହାରେ ବାରବାଟୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଜିତିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଶେଷ ଜୀବନ ପର୍ଯ୍ୟନ୍ତ ସକ୍ରିୟ ଥିବା ସ୍ବର୍ଗତ ପଣ୍ଡା ମଧ୍ୟ ଓସିଏ ଚୟନକର୍ତା ସଦସ୍ୟ ରହିଥିଲେ। କରୋନା ଦ୍ବାରା ନିଜେ ପରାଜିତ ହେବା ପୂର୍ବରୁ ଆଉ ଏକ ବଡ଼ ଦୁଃଖଦ ଘଟଣା ଘଟିଥିଲା ତାଙ୍କ ଜୀବନରେ। ଏପ୍ରିଲ୍‌ ୭ ତାରିଖରେ ହିଁ ମୁମ୍ବାଇରେ ଚାକିରି କରୁଥିବା ତାଙ୍କର ଏକମାତ୍ର ପୁଅ ସୌରଭ ପଣ୍ଡା ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ। ଠିକ୍‌ ମାସକ ପରେ ମେ’ ୭ ତାରିଖରେ‌ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରବି। କୋଭିଡ୍‌ ଆକ୍ରାନ୍ତ ହୋଇ ସ୍ବର୍ଗତ ପଣ୍ଡାଙ୍କର ପତ୍ନୀ ସୁସ୍ମିତା ପଣ୍ଡା ଓ କନ୍ୟା ମଧ୍ୟ ଏବେ ଘରେ ଚିକିତ୍ସିତ ହେଉଛନ୍ତି। ଶନିବାର ସଂଧ୍ୟାରେ ଭୁବନେଶ୍ବର ସତ୍ୟନଗର ମଶାଣିରେ ସାନ ଭାଇଙ୍କ ଉପସ୍ଥିତିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ସମ୍ପାଦକ ସଞ୍ଜୟ ବେହେରା ସ୍ବର୍ଗତ ପଣ୍ଡାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାର ବର୍ଗ ପ୍ରତି ସମବେଦନା ଜଣାଇଛନ୍ତି। ଜଣେ କ୍ରିକେଟର୍‌ ଓ କ୍ରୀଡ଼ା ପ୍ରଶାସକ ଭାବେ ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ଶ୍ରୀ ‌ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଚାକିରି କରୁଥିବାରୁ ସେ ବହୁବର୍ଷ ଧରି ରାଉରକେଲାରେ ରହିଥିଲେ। ସେହି ସମୟରେ ସେ ନିଜ ଖେଳାଳି ଜୀବନର ଶୀର୍ଷକୁ ଛୁଇଁଥିଲେ। ଶ୍ରୀ ପଣ୍ଡା ୧୯୭୪-୭୫ରୁ ୧୯୮୪-୮୫ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ଧରି ଓଡ଼ିଶା ରଣଜୀ ଦଳର ଜଣେ ସ୍ଥାୟୀ ସଦସ୍ୟ ରହିଥିଲେ। ସେତେବେଳେ ଓଡ଼ିଶା କ୍ରିକେଟ ଜଗତରେ ଖୁବ୍ ପରିଚିତ ଥିଲେ, ରାଉରକେଲାରେ ତ ଲୋକେ ତାଙ୍କୁ ଜଣେ ବଡ଼ ତାରକା ଭାବେ ଦେଖୁଥିଲେ। ତେଣୁ ଶ୍ରୀ ପଣ୍ଡାଙ୍କ ଦେହାନ୍ତର ଖବର ପହଞ୍ଚିବା ପରେ ଇସ୍ପାତ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସହିତ ଖେଳିଥିବା ଓ ତାଙ୍କ ଖେଳ ଦେଖିଥିବା ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ତଥା ତାଙ୍କର ପୂର୍ବ ସହକର୍ମୀ ଗଭୀର ଶୋକ ପ୍ରକାଶ କରିଛନ୍ତି। କମ୍ ଉଚ୍ଚତା ବିଶିଷ୍ଟ ଓ ବଳିଷ୍ଠ ସ୍ବାସ୍ଥ୍ୟର ଅଧିକାରୀ ଶ୍ରୀ ପଣ୍ଡା ଜଣେ ସାହସୀ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଥିଲେ। ବ୍ୟକ୍ତିଗତ ଜୀବନରେ ବି ସେ ଥିଲେ ଖୁବ୍ ଅମାୟିକ ଓ କର୍ତ୍ତବ୍ୟନିଷ୍ଠ। କେବଳ ଜଣେ ଖେଳାଳି ଭାବେ ନୁହେଁ, ଜଣେ ଉଚ୍ଚ ଅଧିକାରୀ ଭାବେ ସେ ନିଜ ଆର୍‌ଏସ୍‌ପି ସହକର୍ମୀଙ୍କ ମଧ୍ୟରେ ‌ପରିଚିତ ଥିଲେ।

ଶ୍ରୀ ପଣ୍ଡା ଜନ୍ମ ହୋଇଥିଲେ ୧୯୫୮ ମସିହା ଅକ୍ଟୋବର ୪ ତାରିଖରେ ପୁରୀରେ। ତାଙ୍କ ବାପା ଥିଲେ ବିଶିଷ୍ଟ ଗଣିତ ପ୍ରଫେସର କାହ୍ନୁଚରଣ ପଣ୍ଡା। ଅଧ୍ୟାପକ ବାପାଙ୍କ ଚାକିରିର ବଦଳି ସହିତ ଓଡ଼ିଶାର ଅନେକ ସ୍ଥାନରେ ତାଙ୍କର ପିଲାଦିନ ବିତିଥିଲା। ତେବେ କଲେଜ ସମୟ ବିତିଥିଲା କଟକରେ। କଟକର ମଦନ ମୋହନ କ୍ରିକେଟ କ୍ଲବ୍‌ ଥିଲା ତାଙ୍କର ପ୍ରଥମ କ୍ଲବ୍‌। ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳି ଏନ୍ ଏନ୍ ସ୍ବାମୀ ଥିଲେ ତାଙ୍କର ପ୍ରଥମ ପ୍ରଶିକ୍ଷକ। ଶ୍ରୀ ପଣ୍ଡା ୧୯୭୭ରେ କଟକ ରେଭେନ୍ସା କଲେଜରୁ ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ହେବାପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଲେବର ୱେଲ‌ଫେୟାର୍‌ରେ ସ୍ନାତକୋତ୍ତୋର ଡିଗ୍ରି ହାସଲ କରିଥିଲେ। ତା’ପରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଜଣେ କାର୍ଯ୍ୟନିର୍ବାହୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ।

ବାରବାଟୀରେ ହରାଇଥିଲେ ଅଷ୍ଟ୍ରେଲିଆକୁ
ରବି ନାରାୟଣ ପଣ୍ଡାଙ୍କ ସମ୍ପର୍କରେ ଗୋଟିଏ କଥା ଖୁବ୍‌ କମ୍‌ ଲୋକ ଜାଣିଥିବେ! ୧୯୭୯ ମସିହାରେ ତାଙ୍କ ନେତୃତ୍ବରେ ପୂର୍ବାଞ୍ଚଳ ଦଳ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪ ୱିକେଟରେ ବିଜୟୀ ହୋଇଥିଲା। ଭାରତ ଗସ୍ତରେ ଥିବ କିମ୍ ହ୍ୟୁଗ୍‌ସଙ୍କ ଦଳକୁ ହରାଇବା ଏତେ ସହଜ ନ ଥିଲେ ମଧ୍ୟ ରବି ପଣ୍ଡାଙ୍କ ଦଳ ଏହାକୁ ସମ୍ଭବ କରିଥିଲା। ଏକମାତ୍ର ଓଡ଼ିଆ ଭାବେ ପୂର୍ବାଞ୍ଚଳ ଦଳରେ ସ୍ଥାନ ପାଇବା ସହ ନେତୃତ୍ବ ନେବା ବିରଳ ସଫଳତା ଥିଲା। ସତୁରି ଓ ଅଶି ଦଶକରେ ଓଡ଼ିଶା ଦଳ ବହୁ ଅଣ ଓଡ଼ିଆ ଖେଳାଳିଙ୍କ ଉପରେ ନିର୍ଭର କରିଥିଲେ ମଧ୍ୟ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର