କଟକ: ଡ୍ରିମ୍‌ସ ପଡ଼ିଆରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ର ପ୍ରଥମ ପାଳିରେ ନିରାଶ କରିଥିବା ଓଡ଼ିଶା ବ୍ୟାଟର୍‌ ଦ୍ବିତୀୟ ପାଳିରେ ଭଲ ଖେଳି ବିଜୟ ମଞ୍ଚ ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶ ସମ୍ମୁଖରେ ଓଡ଼ିଶା ୩୮୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ତୃତୀୟ ଦିନ ‌ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦଳ ୧ ୱିକେଟ୍‌ ବିନିମୟରେ ୩୩ ରନ୍‌ ସଂଗ୍ରହ କରିଛି। ଶେଷ ଦିନରେ ବିଜୟୀ ହେବାକୁ ହିମାଚଳକୁ ଆଉ ୩୫୫ ରନ୍‌ ଓ ଓଡ଼ିଶାକୁ ଆଉ ୯ ୱିକେଟ୍‌ ଆବଶ୍ୟକ। ଦ୍ବିତୀୟ ଦିନର ଅସମାପ୍ତ ସ୍କୋର ୧୫୭/୩ରୁ ରବିବାର ଓଡ଼ିଶା ଦ୍ବିତୀୟ ପାଳି ଆରମ୍ଭ ହୋଇଥିଲା। ଦୁଇ ଅପରାଜିତ ବ୍ୟାଟର ସନ୍ଦୀପ ପଟ୍ଟନାୟକ ଓ ବିପ୍ଳବ ସାମନ୍ତରାୟ ଚତୁର୍ଥ ୱିକେଟ୍‌ରେ ୧୪୩ ରନ୍‌ ଭାଗୀଦାରି କରିଥିଲେ। କିନ୍ତୁ ବିପ୍ଳବ ଅର୍ଦ୍ଧଶତକଠୁ ୪ ରନ୍‌ ଦୂରରେ ଥିବା ବେଳେ ଏଲ୍‌ବିଡବ୍‌ଲ୍ୟୁ ହୋଇଯାଇଥିଲେ। ୪ ଓଭର ପରେ ଶତକ ଜମାଇଥିବା ସନ୍ଦୀପ (୧୫୦ ରନ୍‌, ୨୭୬ ରନ୍, ୧୮ ଚୌକା, ୨ ଛକା) ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଅନୁରାଗ ଷଡ଼ଙ୍ଗୀ ରକ୍ଷଣାତ୍ମକ ଖେଳି ରନ୍‌ ହାର ବଢାଇଥିଲେ। ଅନ୍ୟମାନଙ୍କ ସହିତ ଛୋଟଛୋଟ ଭାଗୀଦାରି କରି ଦଳକୁ ୪୦୦ ଅତିକ୍ରମ କରାଇବା ପରେ ଓଡ଼ିଶା ପାଳି ଘୋଷଣା କରିଥିଲା। ଗତ ସପ୍ତାହରେ ଜମ୍ମୁ କାଶ୍ମୀର ବିପକ୍ଷରେ ୧୦୦* ରନ୍ ପାଳି ଖେଳିଥିବା ସନ୍ଦୀପ କ୍ରମାଗତ ହାସଲ କରିଥିଲେ। ଏଥି ସହ ଡ୍ରିମ୍ସର କଷ୍ଟକର ପିଚ୍‌ରେ ଲଗାତାର ଶତକ ହାସଲ କରିବାରେ ସନ୍ଦୀପ ସଫଳ ‌ହୋଇଛନ୍ତି। ଏହା ତାଙ୍କ ଖେଳ ଜୀବନର ଚତୁର୍ଥ ରଣଜୀ ଶତକ ହୋଇଛି। ଅନୁରାଗ ୭୦* ରନ୍‌ ସ୍ପର୍ଶ କରିବା ପରେ ଅଧିନାୟକ ଶାନ୍ତନୁ ମିଶ୍ର ପାଳି ଘୋଷଣା କରିଥିଲେ। ଧାର୍ଯ୍ୟ ୩୮୮ ରନ୍‌ର ଲକ୍ଷ୍ୟକୁ ପିଛା କରି ହିମାଚଳ ପ୍ରଦେଶ ତୃତୀୟ ଦିନ ସୁଦ୍ଧା ଗୋଟିଏ ୱିକେଟ୍‌ ହରାଇ ସାରିଛି। ଅଙ୍କୁଶ ବେନ୍ସ (୫) ଙ୍କୁ ବିପ୍ଳବ ସାମନ୍ତରାୟ ଆଉଟ୍‌ କରିଥିଲା ବେଳେ ପ୍ରଶାନ୍ତ ଚୋପ୍ରା (୧୭*) ଓ ଅଭିଷେକ କୁମାର (୫*) ଅପରାଜିତ ଅଛନ୍ତି।

Advertisment

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୮/୧୦ (ଆଶୀର୍ବାଦ ସ୍ବାଇଁ-୩୭*, ରାଜେଶ ମହାନ୍ତି-୨୮, ଅଭିଷେକ କୁମାର-୪/୩୯, ରିଷି ଧାୱନ-୩/୩୫)। ହିମାଚଳ ପ୍ରଦେଶ ପ୍ରଥମ ପାଳି: ୧୭୬/୧୦ (ଅଙ୍କିତ କଳସି-୩୮, ବିପ୍ଳବ ସାମନ୍ତରାୟ-୩/୩୦, ରାଜେଶ ମହାନ୍ତି-୩/୫୬, ଦେବବ୍ରତ ପ୍ରଧାନ-୨/୨୮, ସୁନିଲ ରାଉଳ-୨/୪୪)। ଓଡ଼ିଶା ଦ୍ବିତୀୟ ପାଳି: ୧୧୭ ଓଭରରେ ୪୨୫/୮, ଘୋଷିତ (ସନ୍ଦୀପ ପଟ୍ଟନାୟକ-୧୫୦, ଅନୁରାଗ ଷଡ଼ଙ୍ଗୀ-୭୦*, ବିପ୍ଳବ ସାମନ୍ତରାୟ-୪୬, ରିଷି ଧାୱନ-୩/୮୩, ଆକାଶ ବଶିଷ୍ଟ-୨/୫୩, ଅର୍ପିତ ଗୁଲେରିଆ-୨/୭୪)। ହିମାଚଳ ପ୍ରଦେଶ ଦ୍ବିତୀୟ ପାଳି: ୧୦ ଓଭରରେ ୩୩/୧ (ପ୍ରଶାନ୍ତ ଚୋପ୍ରା-୧୭*, ଅଭିଷେକ କୁମାର-୫*, ବିପ୍ଳବ ସାମନ୍ତରାୟ-୧/୧)।