କଟକ: ଚଳିତ ଋତୁର ରଣଜୀ ଟ୍ରଫି ଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। କିଏ ହେବ ଏଥର ବିଜେତା ସେନେଇ ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଗୁରୁବାର ଏହି ୫ ଦିନିଆ ମୁକାବିଲାର ୪ ଦିନ ଶେଷ ହୋଇଯାଇଥିଲେ ମଧ୍ୟ ପ୍ରଥମ ପାଳି ଶେଷ ହୋଇନାହିଁ। ଶୁକ୍ରବାର ପଞ୍ଚମ ତଥା ଶେଷ ଦିନରେ ଯେଉଁ ଦଳ ପାଳି ଅଗ୍ରଣୀ ପାଇବ ସେ ହିଁ ବିଜେତା ହେବାର ସମ୍ଭାବନା ଅଧିକ ରହିବ। ଏପରିସ୍ଥଳେ ସୌରାଷ୍ଟ୍ରର ୪୨୫ ରନ୍‌ ଜବାବରେ ବେଙ୍ଗଲ ୩୫୪/୬ ସ୍ଥିତିରେ ପହଞ୍ଚିଯାଇଛି। ଫଳରେ ପ୍ରଥମ ପାଳି ଅଗ୍ରଣୀ ପାଇଁ ହାତରେ ୪ ୱିକେଟ୍‌ ଥିବା ବେଙ୍ଗଲକୁ ଆଉ ୭୨ ରନ୍ ଦରକାର ହେଉଥିଲା ବେଳେ ସୌରାଷ୍ଟ୍ରକୁ ୪ ୱିକେଟ୍‌ ଅକ୍ତିଆର କରିବାକୁ ପଡ଼ିବ। ତେବେ ପୂର୍ବ ଦୁଇ ମ୍ୟାଚ୍‌ରେ କ୍ରମାଗତ ଶତକ ହାସଲ କରିଥିବା ଅନୁଷ୍ଟୁପ ମଜୁମଦାର ଆଉ ଏକ ଅପରାଜିତ ଅର୍ଧଶତକୀୟ ପାଳି ଖେଳି ବେଙ୍ଗଲର ଆଶା ଉଜୀବୀତ ରଖିଥିଲା ବେଳେ ଚଳିତ ଋତୁରେ ସର୍ବାଧିକ ୱିକେଟ୍‌ ଦଖଲ କରିଥିବା ଉନାଦ୍‌କଟଙ୍କୁ ୱିକେଟ୍‌ ନମିଳିବା ସୌରାଷ୍ଟ୍ରକୁ କିଛିଟା ନିରାଶ କରିଛି। ପୁଣି କ୍ୟାଚ୍‌ ହାତଛଡ଼ା କରିବା ସହିତ ଦୁର୍ବଳ କ୍ଷେତ୍ରରକ୍ଷଣ ହିଁ ସୌରାଷ୍ଟ୍ର ପାଇଁ କ୍ଷତି ପହଞ୍ଚାଇଛି।

Advertisment

ପ୍ରଥମ ଥର ବିଜେତା ହେବାର ଲକ୍ଷ୍ୟ ରଖିଥିବା ଅଲ୍‌ରାଉଣ୍ଡର ଜୟଦେବ ଉନାଦ୍‌କଟ୍‌ଙ୍କ ସୌରାଷ୍ଟ୍ର ଅର୍ପିତ ଭାସବଡ଼ାଙ୍କ ଶତକ ସାଙ୍ଗକୁ ବାରୋଟ୍‌ ଓ ଚେତେଶ୍ବର ପୂଜାରାଙ୍କ ଅର୍ଧଶତକ ବଳରେ ପ୍ରଥମ ପାଳିରେ ୪୨୫ ରନ୍‌ କରିଥିଲା। ଜବାବରେ ସୁଦୀପ ଚାଟାର୍ଜୀ (୮୧), ୱିକେଟ୍‌ରକ୍ଷକ ଋଦ୍ଧିମାନ ଶାହା (୬୪) ଓ ଅନୁଷ୍ଟୁପ (୫୮*)ଙ୍କ ଅର୍ଧଶତକ ସାଙ୍ଗକୁ ମନୋଜ ତିୱାରୀଙ୍କ ୩୫ ଓ ଅର୍ନବ ନନ୍ଦୀଙ୍କ ଅପରାଜିତ ୨୮ ରନ୍‌ ବଳରେ ବେଙ୍ଗଲ ୩୫୪/୬ କରିନେଇଛି। ବିଶେଷକରି ୨୬୩ ରନ୍‌ରେ ୬ ୱିକେଟ୍‌ ହରାଇଥିବା ବେଙ୍ଗଲକୁ ଆଶା ଦେଇଛନ୍ତି ଅନୁଷ୍ଟୁପ ଓ ନନ୍ଦୀ। ଉଭୟେ ଅସମାପ୍ତ ସପ୍ତମ ୱିକେଟ୍‌ରେ ୯୧ ରନ୍ ଯୋଡ଼ି ଦଳର ସ୍ଥିତି ଦୃଢ଼ କରିଛନ୍ତି। ଏହା ପୂର୍ବରୁ ସୁଦୀପ ଓ ଋଦ୍ଧିମାନ ଚତୁର୍ଥ ୱିକେଟ୍‌ରେ ୯୯ ରନ୍ ଯୋଡ଼ି ସୌରାଷ୍ଟ୍ର ବୋଲରଙ୍କୁ ନିରାଶ କରିଥି‌ଲେ। ଏପରିକି ଚତୁର୍ଥ ଦିବସ ତୃତୀୟ ତଥା ଶେଷ ଅଧିବେଶନରେ ସୌରାଷ୍ଟ୍ର ବୋଲରଙ୍କୁ ୱିକେଟ୍‌ ଶୂନ୍ୟ ରଖି ଅନୁଷ୍ଟୁନ ଓ ନନ୍ଦୀ ୩୦ ବର୍ଷ ଧରି ଟ୍ରଫି ମରୁଡ଼ିର ଅବସାନ ଘଟାଇବା ଦିଗରେ ଦଳକୁ ଅଗ୍ରସର କରାଇଛନ୍ତି। ସୌରାଷ୍ଟ୍ର ବୋଲର ଚା’ପାନ ବିରତି ପୂର୍ବରୁ ହିଁ ସାହବାଜ୍‌ ଅହମ୍ମଦଙ୍କ ୱିକେଟ୍‌ ନେଇଥିଲେ। ହେଲେ ଏହାପରେ ଆଉ କୌଣସି ପ୍ରଭାବ ଛାଡ଼ିପାରିନାହାନ୍ତି। ସୌରାଷ୍ଟ୍ରର ସଫଳ ବୋଲର ଭାବେ ଧର୍ମେନ୍ଦ୍ର ସିଂହ ଜାଦେଜା ଓ ପ୍ରେରକ ମଙ୍କଡ଼ ୨ ଲେଖାଏଁ ୱିକେଟ୍‌ ପାଇଛନ୍ତି। ତୃତୀୟ ଦିବସ ଶେଷରେ ୧୩୪/୩ କରିଥିବା ବେଙ୍ଗଲ ଚତୁର୍ଥ ଦିବସରେ ଆଉ ୩ ୱିକେଟ୍‌ ହରାଇ ୨୨୦ ରନ୍ ଯୋଡ଼ିନେଇଛି।

ସଂକ୍ଷିପ୍ତ ସ୍କୋର୍‌: ସୌରାଷ୍ଟ୍ର ପ୍ରଥମ ପାଳି ୧୭୧.୫ ଓଭରରେ ୪୨୫ (ଅର୍ପିତ ଭାସବଡ଼ା ୧୦୬, ଅଭି ବାରୋଟ୍‌ ୫୪, ବିଶ୍ବରାଜ ଜାଦେଜା ୫୪, ଚେତେଶ୍ବର ପୂଜାରା ୬୬, ଧର୍ମେଶ ସିଂହ ଜା‌ଦେଜା ୩୩*, ଆକାଶ ଦୀପ ୪/୯୮, ସାହବାଜ୍‌ ଅହମ୍ମଦ ୩/୧୦୩, ମୁକେଶ କୁମାର ୨/୧୦୩)। ବେଙ୍ଗଲ ପ୍ରଥମ ପାଳି ୧୪୭ ଓଭରରେ ୩୫୪/୬ ( ସୁଦୀପ ଚାଟାର୍ଜୀ ୮୧, ଋଦ୍ଧିମାନ ଶାହା ୬୪, ଅନୁଷ୍ଟୁପ ମଜୁମଦାର ୫୮*, ମନୋଜ ତିୱାରୀ ୩୫, ଅର୍ନବ ନନ୍ଦୀ ୨୮*, ସୁଦୀପ କୁମାର ଘରାମି ୨୬, ଜାଦେଜା ୨/୧୦୬, ମଙ୍କଡ଼ ୨/୪୫)।

ଚଳିତ ରଣଜୀ ଟ୍ରଫି ଫାଇନାଲ୍‌ର ପଞ୍ଚମ ତଥା ଶେଷ ଦିବସରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍‌କୁ ଛଡ଼ାଯିବ ନାହିଁ। କରୋନା ଆତଙ୍କ ଯୋଗୁଁ ଶୁକ୍ରବାର ଶେଷ ଦିନ ମ୍ୟାଚ୍‌ ବନ୍ଦ ଫାଟକ ପଛପଟେ ଖେଳାଯିବ ବୋଲି ଗୁରୁବାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) କହିଛି। କେବଳ ଖେଳାଳି, ମ୍ୟାଚ୍‌ ଅଧିକାରୀ ଏବଂ ଗଣମାଧ୍ୟମକୁ ପଡ଼ିଆ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ବିସିସିଆଇ ମହାପ୍ରବନ୍ଧକ ସବା କରିମ୍‌ କହିଛନ୍ତି। ବେଙ୍ଗଲ ୩୦ ବର୍ଷ ପରେ ପ୍ରଥମ ଏବଂ ସୌରାଷ୍ଟ୍ର ପ୍ରଥମ ଥର ପାଇଁ ଟ୍ରଫି ଜିତିବାକୁ ଥିବାରୁ ଶେଷ ଦିନ ସଂଖ୍ୟାଧିକ ଦର୍ଶକଙ୍କ ଭିଡ଼ ରହିବ ବୋଲି ବିସିସିଆଇ କହିଛି। ତେଣୁ କରୋନା ପ୍ରଭାବକୁ ରୋକିବା ପାଇଁ ତଥା ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦେଶାବଳୀକୁ ମାନିବାକୁ ସମସ୍ତ କ୍ରୀଡ଼ା ସଂଘମାନଙ୍କୁ ପରାମର୍ଶ ଦିଆଯିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।

ସୌରାଷ୍ଟ୍ରର ନିର୍ଭରଯୋଗ୍ୟ ବ୍ୟାଟ୍‌ମ୍ୟାନ୍‌ ଚେତେଶ୍ବର ପୂଜାରା ଚଳିତ ରଣଜୀ ଟ୍ରଫି ଫାଇନାଲ୍‌ ଅବସରରେ ଆହତ ହୋଇଛନ୍ତି। ପ୍ରଥମ ପାଳିରେ ୫ ରନ୍‌ କରିଥିଲା ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ସେ ପଡ଼ିଆ ଛାଡ଼ିଥିଲେ। ତେବେ ପରେ କ୍ରିଜ୍‌କୁ ଆସି ଅର୍ଧଶତକୀୟ ପାଳି ଖେଳିଥିଲେ। ସେ ୬୬ ରନ୍‌ରେ ଆଉଟ୍‌ ହେବା ପୂର୍ବରୁ ଅର୍ପିତ ଭାସବଡ଼ାଙ୍କ ସହ ପଞ୍ଚମ ୱିକେଟ୍‌ରେ ୧୪୨ ରନ୍ ଯୋଡ଼ିଥିଲେ। ତେବେ ଏହି ଭାରତୀୟ ଟେଷ୍ଟ ବିଶେଷଜ୍ଞ ବେଙ୍ଗଲ ବ୍ୟାଟିଂ ବେଳେ ଆଦୌ କ୍ଷେତ୍ରରକ୍ଷଣ ପାଇଁ ପଡ଼ିଆକୁ ଓହ୍ଲାଇନଥିଲେ। ଫଳରେ ଫାଇନାଲ୍‌ର ଅବଶିଷ୍ଟ ସମୟରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ଦ୍ବିତୀୟ ପାଳିରେ ନିହାତି ଆବଶ୍ୟକ ପଡ଼ିଲେ ହିଁ ପୂଜାରା ବ୍ୟାଟିଂ କରିବେ ବୋଲି ସୌରାଷ୍ଟ୍ର କ୍ରିକେଟ୍‌ ସଂଘ ପକ୍ଷରୁ କୁହାଯାଇଛି। ତାଙ୍କ ଆହତ ଗୁରୁତର ନୁହେଁ, ସେ ସୁସ୍ଥ ଅନୁଭବ କରୁଛନ୍ତି।