ରଣଜୀ ଫାଇନାଲ୍‌: ଜୟସ୍ବାଲଙ୍କ ଅର୍ଦ୍ଧଶତକ; ମୁମ୍ବାଇ ୨୪୮/୫

ବେଙ୍ଗାଲୁରୁ: ମୁମ୍ବାଇ ଏବଂ ମଧ୍ୟ ପ୍ରଦେଶ ମଧ୍ୟରେ ଆଜିଠୁ ଏଠାରେ ଆରମ୍ଭ ହୋଇଛି ଚଳିତ ଋତୁର ରଣଜୀ ଟ୍ରଫି ଫାଇନାଲ୍‌ ମୁକାବିଲା। ରଣଜୀ ଟ୍ରଫି ଇତିହାସରେ ସର୍ବାଧିକ ସଫଳ ଦଳ ମୁମ୍ବାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିବସରେ ଜଗିରଖି ଖେଳିଥିବା ମୁମ୍ବାଇ ଫର୍ମରେ ଥିବା ଓପ୍‌ନର ଯସସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍‌ ହରାଇ ୨୪୮ ରନ୍‌ କରିଛି।

ସ୍ଥାନୀୟ ଏମ୍‌ ଚିନ୍ନାସ୍ମାମୀ ଷ୍ଟାଡିୟମ୍‌ରେ ଅଧିନାୟକ ପୃଥ୍ବୀ ସ’ ଏବଂ ଜୟସ୍ବାଲ ପାଳି ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୮୭ ରନ୍‌ ଯୋଡ଼ି ଭଲ ମୁଳଦୂଆ ପକାଇଥିଲେ। ତେବେ ସ’ (୪୭) ଅର୍ଦ୍ଧଶତକଠୁ ୩ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲେ। ଅନୁଭବ ଅଗ୍ରୱାଲ ଏହି ଯୋଡ଼ି ଭାଙ୍ଗିଥିଲେ। ଏହାପରେ ଅର୍ମନ ଜାଫର (୨୬), ସୁଭେଦ ପାର୍କର (୧୮), ୱିକେଟ୍‌ରକ୍ଷକ ହାର୍ଦିକ୍‌ ତାମୋରେ (୨୪) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଜୟସ୍ବାଲ କିନ୍ତୁ ଅର୍ଦ୍ଧଶତକ ଜମାଇଥିଲେ। ସେମିଫାଇନାଲ୍‌ରେ ଶତକୀୟ ପାଳି ଖେଳିଥିବା ଜୟସ୍ବାଲ ୭୮ ରନ୍‌ରେ ଅଗ୍ରୱାଲଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଫଳରେ ସେ ୨୨ ରନ୍‌ ପାଇଁ ଚଳିତ ଋତୁରେ ନିଜର ଚତୁର୍ଥ ଶତକରୁ ବଞ୍ଚିତ ରହିଥିଲେ। ତେବେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ସର୍ଫରାଜ ଖାନ୍‌ ୪୦ ଏବଂ ସାମ୍‌ସ ମୁଲାନି ୧୨ ରନ୍‌ରେ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇବାର ପ୍ରୟାସ ଜାରି ରଖିଛନ୍ତି। ମଧ୍ୟପ୍ରଦେଶ ପକ୍ଷରୁ ଅନୁଭବ ଅଗ୍ରୱାଲ (୨/୫୬), ସାରାଂଶ ଜୈନ (୨/୩୧) ଏବଂ କୁମାର କାର୍ତିକେୟ (୧/୯୧) ସଫଳ ବୋଲର ରହିଥିଲେ। ଏଥି ସହିତ ଶୃଙ୍ଖଳିତ ବୋଲିଂ କରି ମଧ୍ୟପ୍ରଦେଶ ପ୍ରଥମ ଦିବସରେ ସମ୍ମାନ ବାଣ୍ଟିନେଇଛି। ଏଠାରେ ସୂଚନାଯୋଗ୍ୟ, ସେମିଫାଇନାଲ୍‌ରେ ବେଙ୍ଗଲକୁ ପରାସ୍ତ କରି ମଧ୍ୟପ୍ରଦେଶ ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ପାଳି ଅଗ୍ରଣୀ ଭିତ୍ତିରେ ୪୧ ଥର ବିଜେତା ମୁମ୍ବାଇ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛି।

 

ସମ୍ବନ୍ଧିତ ଖବର