ଓଡ଼ିଶା ବିପକ୍ଷରେ ମୁମ୍ବାଇ ୪-୦:ନଟରାଜଙ୍କ ଯାଆଁଳା ଶତକ

ଶେଷ ଥର ପାଇଁ ଓଡ଼ିଶା-ମୁମ୍ବାଇ ମୁକାବିଲା ହୋଇଥିଲା ୨୦୧୩-୧୪ ଋତୁରେ। ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ନଟରାଜ ବେହେରାଙ୍କ ଯାଆଁଳା ଶତକ ବଳରେ ଓଡ଼ିଶା ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣ ମ୍ୟାଚ୍‌ରେ ମୁମ୍ବାଇ ବିପକ୍ଷରୁ ପଏଣ୍ଟ୍‌ ପାଇଥିଲା। ଚତୁର୍ଥ ଦିନ ମଧ୍ୟାହ୍ନ ପରଠାରୁ ଫଲୋଅନ୍‌ ହୋଇ ଓଡ଼ିଶା ପାଳି ପରାଜୟ ଏଡ଼ାଇଥିଲା। ମୁମ୍ବାଇର ୫୦୧ ରନ୍‌ ଜବାବରେ ୨୫୬ ରନ୍‌ କରି ଫଲୋଅନ୍‌ ଖେଳିଥିବା ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ ବେଳକୁ ୫ ଓ୍ଵିିକେଟ୍‌ରେ ୩୫୬ ରନ୍‌ କରିଥିଲା। ମୁମ୍ବାଇ ବିପକ୍ଷରେ ଶତକ ହାସଲ କରିବାରେ ପ୍ରଥମ ଓଡ଼ିଆ ହୋଇଥିବା ନଟରାଜ ବେହେରା (୧୩୦ ଏବଂ ୧୨୭*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହି ଋତୁରେ ମୁମ୍ବାଇ ଲଗାତାର ୪ ଶତକ ହାସଲ କରି ନୂଆ ଇତିହାସ ରଚିଥିଲେ। ଓଡ଼ିଶା ପାଇଁ ପଦାର୍ପଣ କରିଥିବା ଓ୍ଵିିକେଟରକ୍ଷକ ସୁଜିତ ଲେଙ୍କା (୦, ୦*)ଙ୍କ ଅଭିଯାନ ନିରାଶାଜନକ ଥିଲା।
ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ: ୫୦୧/୯, ଘୋଷଣା (ହିକେନ୍‌ ସାହା-୧୭୦, ଓ୍ଵାସିମ୍‌ ଜାଫର-୧୪୩, ବସନ୍ତ ମହାନ୍ତ-୩/୭୩, ଧୀରାଜ ସିଂହ-୩/୧୧୭)। ଓଡ଼ିଶା: ୨୫୬ (ନଟରାଜ ବେହେରା-୧୩୦, ଜାଭେଦ ଖାନ-୪/୫୩, ସାର୍ଦୁଳ ଠାକୁର-୩/୫୪) ଏବଂ ୩୫୬/୫ (ନଟରାଜ ବେହେରା-୧୨୭*, ନିରଂଜନ ବେହେରା-୫୯, ଗିରିଜା ରାଉତ-୪୩, ଗୋବିନ୍ଦ ପୋଦ୍ଦାର-୪୨, ଅଭିଳାଷ ମଲ୍ଲିକ-୪୦, ପ୍ରବୀଣ ତାମ୍ବେ-୨/୧୨୭, ସିଦ୍ଦେଶ ଲାଡ୍‌-୧/୨୫)।
ଭୁବନେଶ୍ୱର, ୩୦|୧୦ (ଇମିସ): ଚଳିତ ରଣଜୀ ଟ୍ରଫି ଋତୁର ଚତୁର୍ଥ ରାଉଣ୍ଡ୍‌ର ଏକ ମୁକାବିଲା ଓଡ଼ିଶା ଓ ମୁମ୍ବାଇ ମଧ୍ୟରେ ବୁଧବାରଠାରୁ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ୭ ଦଳୀୟ ଏହି ଗ୍ରୁପ୍‌ ‘ସି’ରେ କୀର୍ତିମାନଧାରୀ ବିଜେତା ମୁମ୍ବାଇ ଚତୁର୍ଥ ଓ ଗତ ଥରର କ୍ୱାର୍ଟରଫାଇନାଲିଷ୍ଟ୍‍ ଓଡ଼ିଶା ପଞ୍ଚମରେ ରହିଛନ୍ତି। ଏହି ଅବସରରେ ଓଡ଼ିଶା-ମୁମ୍ବାଇ ରଣଜୀ ଟ୍ରଫି ଅତୀତ ପରିସଂଖ୍ୟାନ ଉପରେ ନଜର ପକାଇନେବାର ସମୟ ଆସିଛି। ଓଡ଼ିଶା ଅତୀତରେ କେବେ ବି ମୁମ୍ବାଇକୁ ହରାଇ ନାହିଁ କି ପାଳି ଅଗ୍ରଣୀ ନେଇନାହିଁ। ୧୯୮୨-୮୩ ଋତୁରୁ ଆରମ୍ଭ କରି ୩୫ ବର୍ଷରେ ହୋଇଛି ୬ ମୁକାବିଲା। ଓଡ଼ିଶା ୪ଟି ମ୍ୟାଚ୍‌ ଶୋଚନୀୟ ଭାବେ ହାରିଥିବା ବେଳେ ଗୋଟିଏ ମୁକାବିଲା ବର୍ଷା ବାଧାପ୍ରାପ୍ତ କାରଣରୁ ଅମୀମାଂସିତ’ ରହିଥିଲା। ଅର୍ଥାତ୍‌ ଅପରାଜେୟ ମୁମ୍ବାଇ ନିଜ ସପକ୍ଷରେ ୪-୦ରେ ସ୍ୱଚ୍ଛ କୃତିତ୍ୱ ରଖିଛି। ଦୁଇ ଦଳ ମଧ୍ୟରେ ସପ୍ତମ ରଣଜୀ ମୁକାବିଲା ହେବ କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ।
୧୯୮୨-୮୩ ଋତୁରେ ବମ୍ବେର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଓଡ଼ିଶା ରଣଜୀ ଟ୍ରଫିର କ୍ୱାର୍ଟରଫାଇନାଲରେ ପ୍ରଥମ ଥର ବମ୍ବେକୁ (ପୁରୁଣା ନାମ) ଭେଟିଥିଲା। ହତଙ୍ଗଦି (୧୪୧) ଏବଂ ମଙ୍କଡ (୧୫୦)ଙ୍କ ଶତକ ବଳରେ ବମ୍ବେ ୫୦୦/୯ରେ ଘୋଷଣା କରିଥିଲା। ଓଡ଼ିଶା ୯୨ ଏବଂ ୧୫୩ ରନ୍‌ରେ ସୀମିତ ରହି ଏକ ପାଳି ଓ ୨୫୫ ରନ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ହରମୋହନ ପ୍ରହରାଜଙ୍କ ୪ ଓ୍ଵିକେଟ୍‌ ପ୍ରଦର୍ଶନ ବାଦ୍‌ ଓଡ଼ିଶା ପାଇଁ କିଛି ସ୍ମରଣୀୟ ନ ଥିଲା।
ଏହି ଦୁଇ ପୂର୍ବ-ପଶ୍ଚିମ ଦଳ ମଧ୍ୟରେ ଦ୍ଵିତୀୟ ମୁକାବିଲା ହୋଇଥିଲା ୧୯୯୭-୯୮ ଋତୁର ସୁପର ଲିଗ୍‌ରେ। ସେହି ଓ୍ଵାଙ୍ଖ୍‌ଡେରେ ଅନୁଷ୍ଠିତ ମୁକାବିଲାରେ ଓଡ଼ିଶା ପୁଣି ପାଳି ପରାଜୟ ବରଣ କରିଥିଲା। ରଶ୍ମି ପରିଡ଼ା (୫୪)ଙ୍କ ଅର୍ଧଶତକ ସତ୍ତେ୍ଵ ଓଡ଼ିଶା ମାତ୍ର ୧୫୦ ରନ୍‌ କରିଥିଲା। ଜବାବରେ ସଂଜୟ ମଞ୍ଜରେକର (୧୨୬) ଏବଂ ସଚିନ ତେନ୍ଦୁଲକର (୧୩୫)ଙ୍କ ଶତକ ବଳରେ ମୁମ୍ବାଇ ୭ ଓ୍ଵିକେଟ୍‌ରେ ୪୯୩ ରନ୍‌ ସଂଗ୍ରହ କରି ଘୋଷଣା କରିଥିଲା। ଓଡ଼ିଶା ଦ୍ଵିତୀୟ ପାଳିରେ ୨୯୭ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ପରାଜୟ ବରଣ କରିଥିଲା। ରଶ୍ମି ରଂଜନ ପରିଡ଼ା (୭୧), ଗୌତମ ଗୋପାଳ (୫୮), ପି ଜୟଚନ୍ଦ୍ର (୪୦), ଶିବ ସୁନ୍ଦର ଦାସ (୩୫) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଓଡ଼ିଶା ପାଳି ପରାଜୟ ଏଡାଇ ପାରି ନ ଥିଲା। ଉଭୟ ପାଳିରେ ନୀଲେଶ କୁଲକର୍ଣି ୯ ଓ୍ଵିକେଟ୍‌ ଏବଂ ପରାସ ମହାମ୍ବ୍ରେ ୭ ଓ୍ଵିକେଟ୍‌ ନେଇ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମ ମୁକାବିଲା ଭଳି ଏହି ୪ ଦିନିଆ ମ୍ୟାଚ୍‌ ମଧ୍ୟ ୩ ଦିନରେ ଶେଷ ହୋଇଯାଇଥିଲା।
୨୦୦୮-୦୯ ଋତୁରେ ଏଲିଟ୍‌ ଡିଭିଜନ୍‌ ଗ୍ରୁପ୍‌ ‘ଏ’ରେ ହୋଇଥିଲା ତୃତୀୟ ଭେଟ। କଟକର ବାରବାଟୀ ଷ୍ଟାଡିୟମରେ ମୁମ୍ବାଇ ୩୧୫ ରନ୍‌ରେ ବିଜୟ ସହ ଓଡ଼ିଶା ବିପକ୍ଷରେ ହ୍ୟାଟ୍ରିକ୍‌ ବିଜୟ ଅର୍ଜନ କରିଥିଲା। ବସନ୍ତ ମହାନ୍ତିଙ୍କ ୫ ଓ୍ଵିିକେଟ୍‌ ଏବଂ ଦେବାଶିଷ ମହାନ୍ତିଙ୍କ ୩ ଓ୍ଵିିକେଟ୍‌ ଦଖଲ କାରଣରୁ ମୁମ୍ବାଇ ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ ହଳଧର ଦାସ (୬୨)ଙ୍କ ଅର୍ଧଶତକ ସତ୍ତେ୍ଵ ଓଡ଼ିଶା ମାତ୍ର ୧୦୮ ରନ୍‌ କରିଥିଲା। ମୁମ୍ବାଇ ଦ୍ଵିତୀୟ ପାଳିକୁ ୩୬୧/୫ରେ ଘୋଷଣା କରିଥିଲା। ଅଜିଙ୍କ୍ୟ ରାହାଣେ (୨୦୧) ଦ୍ଵିଶତକ ହାସଲ କରିଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ଖେଳିଥିବା ପିନିଟି ଜୟଚନ୍ଦ୍ର (୭୨)ଙ୍କ ଅର୍ଧଶତକ ସତ୍ତେ୍ଵ ଓଡ଼ିଶା ୧୧୮ ରନ୍‌ରେ ଅଲଆଉଟ୍‌ ହୋଇ ଆତ୍ମସମର୍ପଣ କରିଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଜୟଚନ୍ଦ୍ର ଏହି ମ୍ୟାଚ୍‌ରେ ୩୦୦୦ ରନ୍‌ ପୂରଣ କରିଥିଲେ।
ଓଡ଼ିଶା ଏବଂ ମୁମ୍ବାଇ ମଧ୍ୟରେ ୨୦୦୯-୧୦ରେ ବ୍ରାବର୍ନ ଷ୍ଟାଡିୟମରେ ହୋଇଥିଲା ଚତୁର୍ଥ ମୁକାବିଲା। ବର୍ଷା କାରଣରୁ ପ୍ରଥମ ଦୁଇ ଦିନ ଖେଳ ସମ୍ପୂର୍ଣ ଧୋଇ ଯିବା ପରେ ଶେଷ ଦୁଇ ଦିନ ଖେଳ ହୋଇଥିଲା। ଓ୍ଵାସିମ୍‌ ଜାଫର (୧୬୫*)ଙ୍କ ଶତକ ବଳରେ ମୁମ୍ବାଇ ୪ ଓ୍ଵିକେଟ୍‌ରେ ୩୦୭ ରନ୍‌ ସଂଗ୍ରହ କରି ଘୋଷଣା କରିଥିଲା। ଜବାବରେ ଖେଳ ବନ୍ଦ ବେଳକୁ ଓଡ଼ିଶା ୮ ଓ୍ଵିିକେଟ୍‌ରେ ୨୪୩ ରନ୍‌ ସଂଗ୍ରହ କରିଥିଲା। ବିକାଶ ପତି (୫୫), ନିରଂଜନ ବେହେରା (୭୮) ଏବଂ ପ୍ରଭଞ୍ଜନ ମଲ୍ଲିକ (୫୦) ଅର୍ଧଶତକ ହାସଲ କରି ମୁମ୍ବାଇକୁ ପ୍ରଥମ ପାଳି ଅଗ୍ରଣୀ ସୁଯୋଗ ଦେଇ ନ ଥିଲେ। ପ୍ରଥମ ଥର ପାଇଁ ମୁମ୍ବାଇ ସହ ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ ରଖିଥିଲା।
ପରସ୍ପରର ପଞ୍ଚମ ମୁକାବିଲା ହୋଇଥିଲା ୨୦୧୧-୧୨ ଋତୁରେ। କଟକ ନିକଟସ୍ଥ ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଗ୍ରାଉଣ୍ଡ୍‌ରେ ଏହା ଥିଲା ସର୍ବପ୍ରଥମ ରଣଜୀ ମ୍ୟାଚ୍‌। ଓଡ଼ିଶାକୁ ଭ୍ରମଣକାରୀ ଓ୍ଵାସିମ୍‌ ଜାଫରଙ୍କ ଦଳ ଏକ ପାଳି ଓ ୨୧୦ ରନ୍‌ରେ ହରାଇଥିଲା। କୌସ୍ତଭ ପାଓ୍ଵାର (୧୨୭) ଏବଂ ସୂର୍ଯ୍ୟକୁମାର ଯାଦବ (୨୦୦)ଙ୍କ ଲମ୍ବା ବ୍ୟାଟିଂ ବଳରେ ମୁମ୍ବାଇ ପ୍ରଥମ ପାଳିରେ ୮ ଓ୍ଵିକେଟ୍‌ରେ ୫୨୯ ରନ୍‌ କରି ଘୋଷଣା କରିଥିଲା। ବସନ୍ତ ମହାନ୍ତି, ସନ୍ତୋଷ ଜେନା, ଦୀପକ ବେହେରା ୨ଟି ଲେଖାଏଁ ଓ୍ଵିିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ପ୍ରଥମ ପାଳିରେ ୯୩ ରନ୍‌ କରି ଫଲୋଅନ୍‌ ଖେଳିବା ପରେ ୨୨୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ପ୍ରଥମ ପାଳିରେ ଧବଲ କୁଲକର୍ଣି (୪/୩୭), ଜାହିର୍‌ ଖାନ୍‌ (୩/୩୧), ଅଭିସ୍କାର ସାଲ୍‌ଭି (୨/୫) ମିଳିତଭାବେ ୯ ଓ୍ଵିକେଟ୍‌ ନେଇଥିବାବେଳେ ସ୍ପିନର୍‌ ରମେଶ ପାଓ୍ଵାର (୬/୫୭) ଦ୍ଵିତୀୟ ପାଳିରେ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ବସନ୍ତ ମହାନ୍ତି ରଣଜୀ ଟ୍ରଫିରେ ୧୦୦ ଓ୍ଵିିକେଟ୍‌ ପୂରଣ କରିଥିବାବେଳେ ଜାହିର୍‌ ଖାନ୍‌ ଏହି ଘରୋଇ ପ୍ରତିଯୋଗିତାରେ ନିଜର ୧୫୦ ଓ୍ଵିିକେଟ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର