ବଦଳିଲା ରଣଜୀ ସୂଚୀ: ବାରବାଟୀ ପୁଣି ଉପେକ୍ଷିତ, କିଟ୍‌ରେ ୩ ମ୍ୟାଚ୍‌

ଓସିଏ ସ୍ପଷ୍ଟ କରୁନି, କାରଣ ଜାଣିନାହାନ୍ତି ପରିଚାଳନା ସମିତି ଅଧ୍ୟକ୍ଷ

କଟକ: ରଣଜୀ ଟ୍ରଫି ପାଇଁ ବାରବାଟୀ ଷ୍ଟାଡିୟମ ପୁଣି ଥରେ ଉପେକ୍ଷିତ ହୋଇଛି। ଚଳିତ କ୍ରିକେଟ ଋତୁରେ ବାରବାଟୀ ଷ୍ଟାଡିୟମରେ ଦୁଇଟି ରଣଜୀ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଥିଲା। ଏପରିକି ଖେଳସୂଚୀ ମଧ୍ୟ ବିସିସିଆଇ େଵବସାଇଟ୍‌ରେ ପ୍ରକାଶ ପାଇସାରିଥିଲା। ହେଲେ ଏବେ ଏହି ଦୁଇ ମ୍ୟାଚ୍‌ ବାରବାଟୀରୁ ସ୍ଥାନାନ୍ତର କରାଯାଇ କିଟ୍‌ ଓ ବିକାଶ ପଡ଼ିଆକୁ ବାଣ୍ଟି ଦିଆଯାଇଛି। ଫଳରେ ସଦ୍ୟ ପ୍ରକାଶିତ ଖେଳସୂଚୀରେ କିଟ୍‌କୁ ୩ ମ୍ୟାଚ, ବିକାଶ ଓ ଡ୍ରିମ୍ସକୁ ଗୋଟିଏ ଲେଖାଏଁ ମ୍ୟାଚ୍‌ ଆୟୋଜନ ଅଧିକାର ଦିଆଯାଇଛି। କେବଳ ଏତିକି ନୁହେଁ ଓଡ଼ିଶାରେ ହେବାକୁ ଥିବା ଝାଡ଼ଖଣ୍ତ, ଆସାମ ଓ ବିହାର ବିପକ୍ଷ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ମ୍ୟାଚ୍‌କୁ ଯଥାକ୍ରମେ ସନ୍‌ସାଇନ୍‌, ବିଡ଼ାନାସୀ ଓ ବୋସ୍‌ ପଡ଼ିଆରେ ଆୟୋଜନ ପାଇଁ ଧାର୍ଯ୍ୟ ହୋଇଥିଲା। ହେଲେ ଏବେ ଏହି ସ୍ଥାନଗୁଡ଼ିକୁ ମଧ୍ୟ ବଦଳାଯିବାକୁ ମସୁଧା ଚାଲିଥିବା ଜଣାପଡ଼ିଛି।
ବାରବାଟୀରେ ହେବାକୁଥିବା ରାଜସ୍ଥାନ ବିପକ୍ଷ ରଣଜୀ ମ୍ୟାଚ୍‌କୁ କିଟ୍‌କୁ ଏବ˚ ଗୋଆ ବିପକ୍ଷ ମ୍ୟାଚ୍‌କୁ ବିକାଶ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ବିକାଶ ପଡ଼ିଆରେ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌କୁ କିଟ୍‌ ସ୍ଥାନାନ୍ତର କରାଯାଇଛି। ଫଳରେ କିଟ୍‌ରେ ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସହିତ ଓଡ଼ିଶାର ମ୍ୟାଚ୍‌ ହେବାକୁ ଥିବାବେଳେ ଡ୍ରିମ୍ସରେ ତ୍ରିପୁରା ଓ ବିକାଶରେ ଗୋଆ ସହିତ ଓଡ଼ିଶା ମ୍ୟାଚ୍‌ ଖେଳିବ। ଗତ ଋତୁରେ ମଧ୍ୟ ଓଡ଼ିଶାରେ ଉକ୍ତ ତିନି ସ୍ଥାନରେ ରଣଜୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳାଯାଉଥିବାରୁ ପିଚ୍‌ ଖରାପ ଥିବା ଦର୍ଶାଇ ବାରବାଟୀ ଷ୍ଟାଡିୟମରେ ରଣଜୀ ମ୍ୟାଚ କରାଯାଇନଥିଲା। ତେବେ ଚଳିତ ବର୍ଷ ବାରବାଟୀରୁ ମ୍ୟାଚ୍‌ ଫେରାଇ ନିଆଯିବା ପଛର କାରଣକୁ ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ। ତଥାପି ଓଡ଼ିଶା ପ୍ରଶିକ୍ଷକ କିଟ୍‌ରେ ଅଧିକ ମ୍ୟାଚ୍‌ ଖେଳିବାକୁ ଆଗ୍ରହ ଦେଖାଇଥିଲେ। ସେଠାରେ ଅଭ୍ୟାସ କରାଯାଉଥିବାରୁ ଖେଳାଳିମାନେ ଅଧିକ ଖାପଖୁଆଇପାରିବେ ବୋଲି ଅନୁରୋଧ କରାଯାଇଥିବା ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି। ତଥାପି ମ୍ୟାଚ୍‌ ସ୍ଥାନାନ୍ତରର ପ୍ରକୃତ କାରଣ ସେ ମଧ୍ୟ ଜାଣିନଥିବା କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନ ଫାଓ ଲିଗ୍‌ ଓ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଚାଲିଛି। ୫ରୁ ଗୋଟିଏ ପିଚ୍‌ ଉପରେ ରେଫରି ଦୌଡ଼ାଦୌଡି କରୁଥିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ବର୍ଷାରେ ଫୁଟ୍‌ବଲ୍‌ ଖେଳାଯାଇଥିବାରୁ ପଡ଼ିଆର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ଏହାକୁ ସ୍ବଭାବିକ ସ୍ଥିତିକୁ ଆଣିବାକୁ ହେଲେ ପ୍ରାୟ ୨ ମାସ ସମୟ ଦରକାର। ତେଣୁ ରଣଜୀ ମ୍ୟାଚ୍‌ ନହେବା ପଛରେ ଏହା ମଧ୍ୟ ଏକ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ନିର୍ବାଚନ ହୋଇନଥିବାରୁ ଟଙ୍କା ଖର୍ଚ୍ଚ କରିବା ପାଇଁ ଓସିଏର ପାଣ୍ଠି ନଥିବାରୁ ଘରୋଇ ଅନୁଷ୍ଠାନଙ୍କ ମୁଣ୍ତରେ ଏହି ବୋଝ ଲଦିଦେଇ ପରବର୍ତ୍ତୀ ସମୟରେ ଟଙ୍କା ଆସିଲେ ତାହା ଭରଣା କରାଯିବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା କୁହାଯାଉଛି। ଏ ସ˚କ୍ରାନ୍ତରେ ଓସିଏ ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର