କଟକ: ଡ୍ରିମ୍ସ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାର ପ୍ରଥମ ଦିବସରେ ଭ୍ରମଣକାରୀ ନାଗାଲାଣ୍ଡ୍ ଦଳ ୬ ୱିକେଟ୍ ବିନିମୟରେ ୨୯୧ ରନ୍ କରିଛି। ୱିକେଟ୍ରକ୍ଷକ ଚେତନ ବିସ୍ତ, ଶ୍ରୀକାନ୍ତ ମୁଣ୍ଡେ ଓ ହୋକାଇତୋ ଝିମୋମୀଙ୍କ ଚମତ୍କାର ଅର୍ଦ୍ଧଶତକୀୟ ପାଳି ଉଲ୍ଲେଖନୀୟ ଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ତରଣୀ ସ’ଙ୍କ ୩-୩ ୱିକେଟ୍ ଘରୋଇ ଓଡ଼ିଶା ଦଳର ସମ୍ମାନ ରଖିଛି। ଟସ୍ ଜିତି ଓଡ଼ିଶା ଦଳ ପୂର୍ବ ମ୍ୟାଚ୍ ଭଳି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରି ହରିୟାଣା ବିପକ୍ଷ ମ୍ୟାଚ୍ରେ ୬ ୱିକେଟ୍ ଅକ୍ତିଆର କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନ ଦୁଇ ଓପ୍ନରଙ୍କୁ ୩୩ ରନ୍ ମଧ୍ୟରେ ଆଉଟ୍ କରି ଓଡ଼ିଶାକୁ ଭଲ ଆରମ୍ଭ ହେଇଥିଲେ।
ସୂର୍ଯ୍ୟକାନ୍ତ ନାଗାଲାଣ୍ଡ ଓପନ୍ର ଯୋଶୁଆ ଓଜୁକୁମ୍ ଏବଂ ଯୁଗାନ୍ଧାର ସିଂହଙ୍କୁ ଶିକାର କରିବା ପରେ କିନ୍ତୁ ଶ୍ରୀକାନ୍ତ ଓ ଅଧିନାୟକ ରଙ୍ଗ୍ସେନ୍ ଜୋନାଥନ୍ ପାଳି ସମ୍ଭାଳିଥିଲେ। ଦୁହେଁ ତୃତୀୟ ୱିକେଟ୍ରେ ୪୪ ରନ୍ ଯୋଡ଼ିବା ପରେ ଜୋନାଥନ୍ଙ୍କୁ ଆଉଟ୍ କରି ତରଣୀ ଯୋଡ଼ି ଭାଙ୍ଗିଥିଲେ। ହେଲେ ଏହାପରେ ଶ୍ରୀକାନ୍ତଙ୍କ ସହ କ୍ରିଜ୍ରେ ଯୋଡ଼ି ହୋଇଥିବା ଚେତନ ଚତୁର୍ଥ ୱିକେଟ୍ରେ ୭୧ ରନ୍ ସଂଗ୍ରହ କରିଥିଲା ବେଳେ ତରଣୀ ପୁଣି ଏକ ଝଟ୍କା ଦେଇଥିଲେ। ସେ ଶ୍ରୀକାନ୍ତଙ୍କୁ ତାଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ତେବେ ଏହାପରେ ଓଡ଼ିଶା ବୋଲରଙ୍କୁ ନାକେଦମ କରିଥିଲେ ଚେତନ ଓ ଝିମୋମୀ। ଦୁହେଁ ପଞ୍ଚମ ୱିକେଟ୍ରେ ୧୨୮ ରନ୍ ଯୋଡ଼ି ନାଗାଲାଣ୍ଡ୍ ପାଳିକୁ ଦୃଢ଼ କରିଥିଲେ। ଏହି ସମୟରେ ଉଭୟ ତରଣୀ ଓ ସୂର୍ଯ୍ୟ ଆଉ ଦୁଇଟି ୱିକେଟ୍ ଦଖଲ କରିବାରୁ ଓଡ଼ିଶା ସମ୍ମାନର ସହ ପ୍ରଥମ ଦିବସ ଶେଷ କରିଥିଲା। ତେବେ ଚେତନ ୯୪ ରନ୍ (୧୫୩ ବଲ୍, ୧୧ ଚୌକା, ୧ ଛକା)ରେ ଅପରାଜିତ ରହି ଶତକ ଦିଗରେ ଅଗ୍ରସର ହେଉଛନ୍ତି। ବୁଧବାର ଦ୍ବିତୀୟ ଦିବସରେ ଅବଶିଷ୍ଟ ୪ ୱିକେଟ୍ ସଅଳ ଦଖଲ କରି ଘରୋଇ ଦଳକୁ ବଡ଼ ସ୍କୋର୍ରୁ ବଞ୍ଚିତ ରଖିବାକୁ ଓଡ଼ିଶା ବୋଲରମାନେ ଲକ୍ଷ୍ୟ ରଖିଛନ୍ତି।