ରଣଜୀ ଟ୍ରଫି:ପ୍ରଶାନ୍ତ ଓ ବିହାରୀଙ୍କ ଶତକ: ଆନ୍ଧ୍ର ୨୭୮/୨

ଭୁବନେଶ୍ୱର: ବିଜୟନଗରମ୍‌ସ୍ଥିତ ଡକ୍ଟର ପିଭିଜି ରାଜୁ ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଆନ୍ଧ୍ରପ୍ରଦେଶ ବିପକ୍ଷ ରଣଜୀ ମୁକାବିଲାରେ ଓଡ଼ିଶା ବୋଲର ନୟାନ୍ତ ହୋଇଛନ୍ତି। ଭ୍ରମଣକାରୀ ଗୋବିନ୍ଦ ପୋଦାରଙ୍କ ଦଳର ବୋଲରମାନେ ଦିନର ଷଷ୍ଠ ଓ ଶେଷ ଓଭରରେ ମାତ୍ର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆନ୍ଧ୍ରପ୍ରଦେଶ ପ୍ରଥମ ଦିନରେ ୨ ଓ୍ଵିକେଟ୍‌ରେ ୨୭୮ ରନ୍‌ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଛି। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ପ୍ରଶାନ୍ତ କୁମାର (୧୨୭) ଏବଂ ଅଧିନାୟକ ହନୁମା ବିହାରୀ (୧୪୩*)ଙ୍କ ଦ୍ୱିଶତକ (୨୭୦) ଭାଗୀଦାରି ହିଁ ଘରୋଇ ଦଳକୁ ପ୍ରଥମ ଦିନର ସମ୍ମାନ ପ୍ରଦାନ କରିଛି।
ବ୍ୟାଟିଂ ଅନୁକୂଳ ବିଜୟନଗରମ୍‌ ପିଚ୍‌ରେ ଟସ୍‌ ଜିତି ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଷଷ୍ଠ ଓଭରରେ ଦଳୀୟ ସ୍କୋର୍‌ ୮ ବେଳେ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ତଥା ଓ୍ଵିକେଟରକ୍ଷକ ଶ୍ରୀକର ଭରତ (୩)ଙ୍କୁ ବୋଲ୍‌ଡ କରି ପ୍ରାରମ୍ଭିକ ସଫଳତା ଦେଇଥିଲେ। କିନ୍ତୁ ଓଡ଼ିଶାର ସଫଳତା ଏତିକିରେ ସୀମିତ ରହିଥିଲା। ପ୍ରଶାନ୍ତ କୁମାର ଏବଂ ହନୁମା ବିହାରୀ ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ୮୪.୧ ଓଭର ଖେଳି ୨୭୦ ରନ୍‌ ଯୋଡ଼ି ନେଇଥିଲେ। ୮୪ ଓଭର ଧରି ଓଡ଼ିଶା ଓ୍ଵିକେଟଶୂନ୍ୟ ରହିଥିଲା। ଦିନର ଶେଷ ଓଭର ତଥା ଦ୍ୱିତୀୟ ଶେଷ ବଲ୍‌ରେ ପ୍ରଶାନ୍ତ (୧୨୭, ୨୭୦ ବଲ୍‌, ୧୭ ଚୌକା, ୨ ଛକା)ଙ୍କୁ ବସନ୍ତ ମହାନ୍ତି ବୋଲ୍‌ଡ କରି ଦିନ ତମାମ ନିରାଶକୁ ସାନ୍ତ୍ୱନା ରୂପ ଦେଇଥିଲେ। ଅଧିନାୟକ ହନୁମା ବିହାରୀ (୧୪୩*, ୨୪୮ ବଲ୍‌, ୧୭ ଚୌକା, ୧ ଛକା) ଲଗାତାର ମ୍ୟାଚ୍‌ରେ ଶତକ ହାସଲ କରି ଅପରାଜିତ ଅଛନ୍ତି। ଗତ ମ୍ୟାଚ୍‌ରେ ସେ ବରୋଦା ବିପକ୍ଷରେ ମଧ୍ୟ ଶତକ ହାସଲ କରିଥିଲେ।
ପୂର୍ବ ରାଉଣ୍ଡ୍‌ରେ ବିଶ୍ରାମ ପାଇଥିବା ଓଡ଼ିଶା ବର୍ଷାବାଧାପ୍ରାପ୍ତ ତ୍ରିପୁରା ବିପକ୍ଷ ମ୍ୟାଚ୍‌ ଦଳରୁ ୨ଟି ପରିବର୍ତନ କରି ଏହି ମ୍ୟାଚ୍‌ ଖେଳୁଛି। ଆହତ ବ୍ୟାଟସମ୍ୟାନ୍‌ ରଞ୍ଜିତ୍‌ ସିଂହ ଏବଂ ଅଲ୍‌ରାଉଣ୍ଡର ଦୀପକ ବେହେରାଙ୍କ ବଦଳରେ ଯଥାକ୍ରମେ ଅବିନାଶ ସାହା ଓ ଯୁବ ଅଫସ୍ପିନର୍‌ ଶୁଭମ ନାୟକଙ୍କୁ ସୁଯୋଗ ମିଳିଛି। ଅପରାହ୍‌ଣରେ ଦଳର ଷଷ୍ଠ ବୋଲର ଭାବେ ସୁଯୋଗ ପାଇଥିବା ଶୁଭମ୍‌ ତାଙ୍କ ପଦାର୍ପଣ ଦିବସରେ ୯-୧-୨୮-୦ରେ ସୀମିତ ରହିଛନ୍ତି। ସାଥୀ ବାମହାତୀ ସ୍ପିନର୍‌ ଧୀରାଜ ସିଂହ (୨୧-୨-୮୨-୦) ମଧ୍ୟ ପ୍ରଭାବହୀନ ରହିଥିଲେ।
ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ୮୯.୫ ଓଭରରେ ୨୭୮/୨ (ପ୍ରଶାନ୍ତ କୁମାର-୧୨୭, ହନୁମା ବିହାରୀ-୧୪୩*, ବସନ୍ତ ମହାନ୍ତି-୧/୩୧, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୩)।

ସମ୍ବନ୍ଧିତ ଖବର