‘ଆଇପିଏଲ୍‌ ପରି ରଣଜୀ ପ୍ରଦର୍ଶନକୁ ବିଚାରକୁ ନିଆଯିବା ଉଚିତ୍‌’

ଘରୋଇ କ୍ରକେଟର ଭଲ ପ୍ରଦର୍ଶନକାରୀ ଅଣଦେଖା ହୋଇଯାଉଛନ୍ତି: ପଣ୍ଡିତ

ନାଗପୁର: ଭାରତୀୟ ଦଳରେ ଅଳ୍ପ ସମୟ ପାଇଁ ଖେଳିଥିବା ୱିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ ଚନ୍ଦ୍ରକାନ୍ତ ପଣ୍ଡିତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ସ୍ତରରେ ଖେଳାଳି ଅପେକ୍ଷା ଏକ ପ୍ରଶିକ୍ଷକ ଭାବେ ଅଧିକ ସଫଳତା ପାଇଛନ୍ତି। ଦୀର୍ଘ ଦୁଇ ଦସନ୍ଧି ଧରି ସେ ବିଭିନ୍ନ ଟ୍ରଫିରେ ଆଧିପତ୍ୟ ବିସ୍ତାର କରିଆସୁଥିଲାବେଳେ ସେହି ପୁରୁଣା ଢଙ୍ଗର ପ୍ରଶିକ୍ଷଣ ହିଁ ସବୁବେଳେ ବ୍ୟବହାରରେ ଆସିପାରୁଥିବା ସେ ପ୍ରମାଣିତ କରିଚାଲିଛନ୍ତି। ନିକଟରେ ସେ ରଣଜୀ ବିଜେତା ଦଳ ବିଦର୍ଭକୁ ଛାଡ଼ି ମଧ୍ୟପ୍ରଦେଶ ସହ ଯୋଗଦେବାକୁ ଯାଉଛନ୍ତି। ତେବେ ନୂଆ ଦଳଙ୍କ ସହ ନୂଆ ଆହ୍ବାନକୁ ସାମ୍ନା କରିବାକୁ ସେ ପସନ୍ଦ କରନ୍ତି ଏବଂ କିଛି ନୂଆ ଦଳୀୟ ସଂସ୍କୃତି ମଧ୍ୟ ଶିଖିବାକୁ ମିଳୁଥିବାରୁ ସେ ପ୍ରତ୍ୟେକ ଥର ଦଳ ବଦଳ କରିଆସୁଛନ୍ତି। ତିନିବର୍ଷ ମଧ୍ୟରେ ଦଳମାନଙ୍କ ସହ ଏକ ଭାବପୂର୍ଣ୍ଣ ସମ୍ପର୍କ ଗଢିହୋଇଯାଇଥାଏ। କିନ୍ତୁ ସମସ୍ତଙ୍କୁ ଆଗକୁ ବଢିବାକୁ ହେବ। ତେଣୁ ମୋ ପାଖରେ ଯେଉଁ ଜ୍ଞାନ ରହିଛି, ଯଦି ସମ୍ଭବ ହୁଏ, ତାହାକୁ ସାରା ଦେଶରେ ବୁଲିବୁଲି ବାଣ୍ଟିବା ତାଙ୍କର ଉଦ୍ଦେଶ୍ୟ ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

କ୍ରିକେଟ୍‌ ମାନସିକତାରେ ପରିବର୍ତ୍ତନ ଆସିଛି
ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଘରୋଇ କ୍ରିକେଟ୍‌ର ସ୍ତରରେ ଉନ୍ନତି ଆସିଛି। ପୂର୍ବରୁ ମୁମ୍ବାଇ, ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ କିମ୍ବା ଅନ୍ୟ ଦଳମାନଙ୍କ ମଧ୍ୟରେ ବଡ଼ ପ୍ରଭେଦ ରହୁଥିଲା। କିନ୍ତୁ ବର୍ତ୍ତମାନ ଶୀର୍ଷ ୧୮ ଜଣିଆ ଦଳ ବାଛିବାବେଳେ ସାମାନ୍ୟ କଠିନ ହେଉଛି। ଏଥିପାଇଁ ‌ପଣ୍ଡିତ ଭାରତୀୟ କ୍ରିକେଟ୍‌ ବୋର୍ଡ ବିସିସିଆଇକୁ ଧନ୍ୟବାଦ ଜଣାଇଥିଲାବେଳେ ଦୁର୍ବଳ ସଂଘମାନଙ୍କୁ ଆବଶ୍ୟକୀୟ ଅନୁଦାନ ଯୋଗାଇଦେଇଥିବାରୁ ଏହି ଦୂରତା ହ୍ରାସ ପାଇଥିବା କହିଛନ୍ତି। ଏଥିସହିତ ଉତ୍ତମ ସୁବିଧାସୁଯୋଗ ଓ ପ୍ରଶିକ୍ଷଣ ଯୋଗୁଁ ନୂଆ ପିଢିର ପିଲାମ‌ାନେ ଆତ୍ମବିଶ୍ବାସ ପାଉଛନ୍ତି। ସାରା ଦେଶରେ କ୍ରିକେଟ୍‌ ମାନସିକତାରେ ପରିବର୍ତ୍ତନ ଆସିଛି। ଉଦାହରଣ ସ୍ବରୂପ ଗତ ୨୦୧୮-୧୯ ଋତୁରେ ବିଦର୍ଭ ମୁମ୍ବାଇକୁ ପରାସ୍ତ କରି ରଣଜୀ ବିଜେତା ହୋଇଥିଲା। ଚଳିତ ଋତରେ ବିଦର୍ଭ ୨୩ ବର୍ଷରୁ କମ୍‌ଦଳ ଓ ୧୯ ବର୍ଷରୁ କମ୍‌ ଦଳ ମୁମ୍ବାଇକୁ ହରାଇପାରିଛନ୍ତି। ବର୍ତ୍ତମାନ ବିଦର୍ଭ, ରାଜସ୍ଥାନ, ଗୁଜୁରାଟ ଓ ସୌରାଷ୍ଟ୍ର ରଣଜୀ ଟ୍ରଫି ଜିତିପାରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ କିଛି ନୂଆ ଦଳ ସେମି ଫାଇନାଲ୍‌କୁ ଆସୁଥିବା ଲକ୍ଷ୍ୟ କରାଯାଇଛି। ଖେଳାଳିମାନେ ମଧ୍ୟ ଜାଣିଛନ୍ତି ଯେ, ଯଦି ସଂପୃକ୍ତ ଋତୁରେ ସେମାନେ ଭଲ ପ୍ରଦର୍ଶନ କରନ୍ତି, ତାହେଲେ ଭାରତ ଏ’ କିମ୍ବା ଜାତୀୟ ଦଳ ସେମାନଙ୍କ ପାଇଁ ବେଶିଦୂର ହୋଇ ରହିବନି। ଏପରିକି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ଖେଳାଳିମାନେ ଭଲ ଭବିଷ୍ୟତ ଗଢିପାରୁଥିବା ଅନୁଭବ କଲେଣି, ଯାହାକି ଆଗରୁ ଏତେ ଦେଖିବାକୁ ମିଳୁନଥିଲା।

ଯୁବ ଖେଳାଳିଙ୍କୁ ତରବରିଆ ଭାବେ ଖେଳାନଯାଉ
ଘରୋଇ କ୍ରିକେଟ୍‌କୁ ସବୁବେଳେ ସମ୍ମାନ ଦିଆଯିବା ଉଚିତ୍‌। ଯେଉଁ ଯୁବ ଖେଳାଳିଙ୍କୁ ଟେଷ୍ଟ କ୍ରିକେଟ୍‌ କିମ୍ବା ବହୁଦିବସୀୟ ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରାଯାଉଛି, ସେମାନଙ୍କୁ ତରବରିଆ ଭାବେ ଆଇପିଏଲ୍‌ରେ ସୁଯୋଗ ଦିଅଯିବା ଅନୁଚିତ୍‌। ଆଇପିଏଲ୍‌ରେ ମାତ୍ର ଗୋଟିଏ କିମ୍ବା ଦୁଇଟି ଭଲ ପାଳି ଖେଳିଦେବା ପରେ ସେମାନଙ୍କୁ ଭାରତୀୟ ଦଳକୁ ଡକରା ଆସୁଛି। ହେଲେ ଯେଉଁମାନେ ବର୍ଷବର୍ଷ ଧରି ଘରୋଇ କ୍ରିକେଟ୍‌ରେ ଭଲ ଖେଳିଆସୁଛନ୍ତି, ସେମାନେ ଅଣଦେଖା ହୋଇ ରହିଯାଉଛନ୍ତି। ଏପରିକ୍ଷେତ୍ରରେ ଯେଉଁ ‌‌ଖେଳାଳିମାନେ ଅନ୍ୟୁନ ଦୁଇ ବର୍ଷ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ନଖେଳୁଛନ୍ତି, ସେମାନଙ୍କୁ ଆଇପିଏଲ୍‌ରେ ଖେଳିବାକୁ ଅନୁମତି ନଦେବାକୁ ଏକ ନିୟମ କରାଯିବା ଆବଶ୍ୟକ ରହିଛି। ଏପରିଭାବେ ଭାରତୀୟ କ୍ରିକେଟ୍‌ ଉଭୟ ଫର୍ମାଟ୍‌ରେ ସଫଳତାର ସହ ତିଷ୍ଠି ପାରିବ। ଆଇପିଏଲ୍‌ ପ୍ରଦର୍ଶନ ପରି ରଣଜୀ ଟ୍ରଫି ପ୍ରଦର୍ଶନକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ୍‌। ବର୍ତ୍ତମାନ ‌େଖଳାଳିଙ୍କ ଭିତରେ ଏକ ଭ୍ରାନ୍ତ ଧାରଣା ଦେଖାଦେଇଛି। ଯଦି ଆମେ ରଣୀ ଟ୍ରଫି ନଖେଳୁଛୁ ତାହେଲେ ଚଳିବ କିନ୍ତୁ ଯେଉଁଠାରେ ଅନେକ ସଂଖ୍ୟାରେ ଲୋକ ମ୍ୟାଚ ଦେଖିବାକୁ ଆସୁଛନ୍ତି ସେଠାରେ ଟ୍ବେଣ୍ଟି-୨୦ ଖେଳିବା ନିହାତି ଦରକାର। ଏପରିକି ଯେଉଁମାନେ ବହୁ ଦିବସୀୟ ମ୍ୟାଚରେ ଭଲ ‌ପ୍ରଦର୍ଶନ ଦେଉଛନ୍ତି, ସେମାନେ ସୀମିତ ଓଭରରେ ପ୍ରଭାବହୀନ ହୋଇପଡ଼ିବେ ବୋଲି ଏଭଳି ଏକ ଧାରଣା ସମସ୍ତଙ୍କ ମୁଣ୍ଡରେ ରହିଯାଇଛି। ‌ଉଦାହରଣ ରୂପରେ ଚେତେଶ୍ବର ପୂଜାରାଙ୍କୁ ନିଆଯାଇପାରେ। ଯେହେତୁ ସେ ଟେଷ୍ଟ କ୍ରିକେଟ୍‌ରେ ଭଲ ଖେଳୁଛନ୍ତି ଏହାର ଅର୍ଥ ନୁହେଁ ଯେ, ସେ ସୀମିତ ଓଭରରେ ଖେଳିପାରିବେନି। ଉଭୟ ଫର୍ମାଟରେ ଭିନ୍ନ ଭିନ୍ନ ଆହ୍ବାନ ରହିଛି। ତେଣୁ ‌ସଂପୃକ୍ତ ଖେଳାଳି ଏହି ଭିନ୍ନଭିନ୍ନ ଫର୍ମାଟ ସହ କିପରି ନିଜକୁ ଖାପଖୁଆଇପାରୁଛନ୍ତି, ତାହାକୁ ଦେଖିବା ଜରୁରୀ।

ରଣଜୀ ଟ୍ରଫି ଖେଳାଳିଙ୍କ ସହ ଚୁକ୍ତି କରାଯାଉ
ଯଦି ବିସିସିଆଇ ଚାହିଁବ ତାହେଲେ ରଣଜୀ ଟ୍ରଫିରେ ପ୍ରଦର୍ଶନ ଆହୁରି ଉଚ୍ଚକୁ ଯାଇପାରିବ। ପ୍ରତ୍ୟେକ ଦଳରୁ ତିନିରୁ ଚାରି ଜଣ ଖେଳାଳିଙ୍କ ସହ ବିସିସିଆଇ ଚୁକ୍ତି କରିଲେ, ଏହା ଅନ୍ୟ ଖେଳାଳିମାନଙ୍କୁ ରଣଜୀ ଟ୍ରଫିରେ ଆହୁରି ଉନ୍ନତଧରଣର ପ୍ରଦର୍ଶନ ଦେବା ପାଇଁ ପ୍ରେରିତ କରିବ। ସେମାନଙ୍କ ପ୍ରଦର୍ଶନ ଆଧାରରେ ପୁରସ୍କାର ରହିଥିବା ପ୍ରତ୍ୟେକ ଖେଳାଳି ହୃଦ୍‌ବୋଧ କରିପାରିବେ। ଏହାଫଳରେ ପ୍ରତିଦ୍ବନ୍ଦ୍ବିତାର ମାନ ବୃଦ୍ଧି ହେବ ଏବଂ ପ୍ରତ୍ୟେକ ଖେଳାଳି ଉକ୍ତ ଚୁକ୍ତି ତାଲିକାରେ ରହିବା ଲକ୍ଷ୍ୟନେଇ ଖେଳିବାକୁ ଯିବେ।

ପାଗଳାମୀ ଥିବା ପ୍ରକୃତ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି
ପ୍ରଥମେ ସଠିକ୍‌ ଲକ୍ଷ୍ୟ ନିର୍ଧାରଣ ହେବା ଦରକାର। ଏହାପରେ ଟଙ୍କା ବିଷୟରେ ଚିନ୍ତା ନକରି ଲକ୍ଷ୍ୟ ହାସଲପାଇଁ ଜଣେ ପ୍ରକୃତ ବ୍ୟକ୍ତିଙ୍କ ଆବଶ୍ୟକ ରହିବ। ଯଦି ଏହି ସମୟରେ ଟଙ୍କା ବିଷୟରେ ଚିନ୍ତା କରିବ, ତାହେଲେ ପ୍ରକୃତ ବ୍ୟକ୍ତି ମିଳପାରିବେନି। ତଥାପି ଯଦି ଫଳାଫଳ ନବାହାରେ ତାହା ଭିନ୍ନ ଘଟଣା। କିନ୍ତୁ ତୁମର ପ୍ରଶିକ୍ଷଣ ପ୍ରକ୍ରିୟା ସଠିକ୍‌ ହେବା ଉଚିତ୍‌। ବିଦର୍ଭର ଏହି ଲକ୍ଷ୍ୟ ରହିଥିଲା। ଜଣେ ପ୍ରକୃତ ବ୍ୟକ୍ତି ସଂଘରେ ବସି ଏସବୁ କାର୍ଯ୍ୟକୁ ଆଗେଇ ନେବା ସହ ପରେ ତାଙ୍କର ଲକ୍ଷ୍ୟକୁ ସେ ଅନ୍ୟଜଣଙ୍କୁ ହସ୍ତାନ୍ତର କରିଦେବା ଚିନ୍ତାଧାରା ରହିଥିଲା। ଦଳକୁ ଓ ସଂଘକୁ ଉଚିତ୍‌ ମାର୍ଗରେ ନେଇଯିବା ପାଇଁ ଏଭଳି ଏକ ବ୍ୟକ୍ତିର ଆବଶ୍ୟକତା ଥାଏ ଯାହାର କିଛି କରିବା ପାଇଁ ଉଭୟ ଲକ୍ଷ୍ୟ ଥିବ ଓ ପାଗଳାମି ଥିବ। ବିଦର୍ଭରେ ପ୍ରଶାନ୍ତ ବୈଦ୍ୟ ଏଭଳି ଧରଣର ଜଣେ ବ୍ୟକ୍ତି ଥିଲେ ଓ ଦଳ ପାଇଁ ସବୁବେଳେ ସମୟ ବାହାର କରୁଥିଲେ। ଯଦି ସମସ୍ତ ୩୯ ସଂଘଙ୍କ ପାଖରେ ବୈଦ୍ୟଙ୍କ ଭଳି ଜଣେ ବ୍ୟକ୍ତି ରହିବେ, ତାହେଲେ ଭାରତୀୟ କ୍ରିକେଟରେ ଅନେକ ଉନ୍ନତି ଆସିପାରିବ। ବୈଦ୍ୟ ଓ ଦିଲ୍ଲୀପ ଭେଙ୍ଗସରକାରଙ୍କ ଭଳି ବ୍ୟକ୍ତିଙ୍କୁ ଖୋଲାଛାଡ଼ିବାକୁ ପଡ଼ିବ।

ବୈଷିୟକ ଗୁଣକୁ ପ୍ରଶିକ୍ଷକ ଉତ୍ସାହିତ କରନ୍ତୁ
ସୁବବେଳେ ଦୁଇପ୍ରକାରର ପ୍ରଶିକ୍ଷଣ ରହିଥାଏ। ପ୍ରଥମତଃ ଖେଳାଳିଙ୍କ ବୈଷୟିକ ଓ କୌଶଳ ବିକାଶ କରାଯାଇଥାଏ ଏବଂ ଦ୍ବିତୀୟରେ ଖେଳାଳିର ସ୍ବଭାବ, ମାନସିକ କଠିନତା ଇତ୍ୟାଦି ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ତେଣୁ ଏନ୍‌ସିଏ ଓ ବିସିସିଆଇ କେଉଁ ଧରଣର ପ୍ରଶିକ୍ଷଣ ଦେବେ ତାହା ନିର୍ଧାରିତ କରିବାକୁ ହେବ। କାରଣ ଜଣେ ଖେଳାଳିକୁ ତାଙ୍କର ବୈଷୟିକ ଦିଗରେ ଏକାଧକ ପରିବର୍ତ୍ତନ କରାଇଲେ ସେମାନେ ଦ୍ବନ୍ଦ୍ବର ଶିକାର ହୋଇଥାନ୍ତି। ସମସ୍ତଙ୍କୁ ସମାନଧରଣର ପ୍ରଶିକ୍ଷଣ ମିଳିବା ସମ୍ଭବ ନୁହେଁ। କାରଣ ପ୍ରଶିକ୍ଷକମାନଙ୍କର ନିଜନିଜର ଠାଣି ଭିନ୍ନ ରହିଛି। ଏହାକୁ ଖେଳାଳିମାନେ ମଧ୍ୟ ସମ୍ମାନ ଦେବା ଉଚିତ୍‌। ଯଦି କିଛି ଶୈଳୀ ଖେଳାଳିଙ୍କ ପାଇଁ ଭଲ ହେଉଛି, ତାହେଲେ ସେଥିରେ ଅନାବଶ୍ୟକ ପରିବର୍ତ୍ତନ କରାଇବାରେ କୌଣସି ଅର୍ଥ ନାହିଁ। ଜଣେ ଖେଳାଳିର ବୈଷୟିକ ସମସ୍ୟାକୁ ସଂପୃକ୍ତ ସଂଘକୁ ଅବଗତ କରାଯିବା ଆବଶ୍ୟକ। ଏହାଦ୍ବାରା ସ୍ଥାନୀୟ ପ୍ରଶିକ୍ଷକମାନେ ମଧ୍ୟ ଖେଳାଳିଙ୍କ ଗତିବିଧି ଉପରେ ନଜର ରଖିପାରିବେ। ତେଣୁ ଏଭଳି ପ୍ରଶିକ୍ଷଣ ଖେଳାଳିଙ୍କୁ ଦ୍ବନ୍ଦ୍ବରେ ପକାଇବା ଅପେକ୍ଷା ସହାୟତା ଦେବା ପାଇଁ ଉଦ୍ଧିଷ୍ଟ। କିନ୍ତୁ ଦୁର୍ଭାଗ୍ୟବସତଃ ଏନ୍‌ସିଏରେ କେହି ସ୍ଥାୟୀ କର୍ମଚାରୀ ନାହାନ୍ତି। ପ୍ରତି ଦୁଇ ବର୍ଷରେ ଭିନ୍ନଭନ୍ନ ପ୍ରଶିକ୍ଷକଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କର ପ୍ରଶିକ୍ଷଣ ଶୈଳୀ ମଧ୍ୟ ଭିନ୍ନଭିନ୍ନ। ଖେଳାଳିମାନଙ୍କର ପ୍ରାକୃତିକ ଦକ୍ଷତାକୁ ସବୁବେଳେ ଉତ୍ସାହିତ କରାଯିବା ଉଚିତ୍‌। ଯେମିତିକି ଜାଭେଦ ମିଆଁଦାଦ, ଏମ୍‌ଏସ୍‌ ଧୋନି, ଷ୍ଟିଭ୍‌ ସ୍ମିଥ, ବିରେନ୍ଦ୍ର ସେହୱାଗଙ୍କ ପାଖରେ ମଧ୍ୟ ଅଣପାରମ୍ପରିକ ବୈଷୟିକ ଗୁଣ ଥିଲା। ଏହାସତ୍ତ୍ବେ ସେମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। କାରଣ ସେମାନଙ୍କ ପାଖରେ ଚାପ ପରିସ୍ଥିତିକୁ ସାମ୍ନା କରିବାର ଭରପୂର ଦକ୍ଷତା ରହିଥିଲା। ଅନ୍ୟପଟରେ ରାହୁଲ ‌ଦ୍ରାବିଡ଼ ଗତ ତିନିବର୍ଷଧରି ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଓ ଭାରତ ଏ’ ଦକଳୁ ଅନେକ ସହାୟତା ଦେଇଛନ୍ତି। ଏବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ମିଶି ଏନ୍‌ସିଏରେ ସେଭଳି କିଛି ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର