ଏକାନ୍ତବାସରେ ଓଡ଼ିଶା ରଣଜୀ କ୍ରିକେଟର୍‌: ବ୍ୟାୟାମ ସହ ଇନ୍‌ଡୋର ଖେଳରେ ବ୍ୟସ୍ତ, ଝିଅ ହନି ସହ ଖେଳୁଛନ୍ତି ବସନ୍ତ

କଟକ(ଦୀପ୍ତିରଂଜନ ସାମଲ): ସବୁଆଡ଼େ ତାଲାବନ୍ଦ। ବାହାରକୁ ବାହାରିବା ଅସମ୍ଭବ। ସ୍ବଚ୍ଛତା ଓ ସୁରକ୍ଷା ପ୍ରତି ସମସ୍ତେ ସଚେତନ। ଏପରି ସମୟରେ ଓଡ଼ିଶା ରଣଜୀ କ୍ରିକେଟର୍‌ମାନେ ଏବେ ଘରେ ସମୟ ବିତାଇବାକୁ ବାଧ୍ୟ ହୋଇଛନ୍ତି। ଅନେକ ଦିନ ପରେ ସାରା ଦିନ ପରିବାର ଲୋକଙ୍କ ଗହଣରେ ବିତୁଛି। ସୁସ୍ଥ ରହିବା ପାଇଁ କେତେକ ଯୋଗ, ବ୍ୟାୟାମ କରୁଛନ୍ତି। ଆଉ କେତେଜଣ ରାମାୟଣ, ମହାଭାରତ, ଶକ୍ତିମାନ ଭଳି ଧାରାବାହିକ ଓ ସିନେମା ଦେଖିବାରେ ସମୟ କାଟୁଛନ୍ତି। ତେବେ ସେମାନେ କେଉଁଭଳି ଭାବେ ଏହି ତାଲାବନ୍ଦକୁ ସମର୍ଥନ କରୁଛନ୍ତି ତାହା ପ୍ରଶଂସନୀୟ ଓ ଅପରିହାର୍ଯ୍ୟ।

ଝିଅ ହନି ସହ ଖେଳୁଛନ୍ତି ବସନ୍ତ
କରୋନା ମହାମାରୀ ଯୋଗୁଁ ଏବେ କ୍ରିକେଟ୍‌ ସୂଚୀ ବନ୍ଦ ରହିଛି। ଯେଉଁଥିପାଇଁ ଏବେ ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଘରେ ହନି (ଝିଅ) ସହ ଅଧିକାଂଶ ସମୟ କାଟୁଛନ୍ତି ଓଡ଼ିଶାର ବରିଷ୍ଠ ଦ୍ରୁତ ବୋଲର ବସନ୍ତ ମହାନ୍ତି। ଆଗରୁ ଅଫିସ୍‌ ଓ କ୍ରିକେଟ୍‌ ଅଭ୍ୟାସ ଯୋଗୁଁ ଝିଅକୁ ଅଧିକ ସମୟ ଦେଇପାରୁନଥିଲି। କିନ୍ତୁ ଏବେ ତା’ ପାଇଁ ସମୟ ହିଁ ସମୟ ମିଳିଯାଇଛି। ଝିଅ ସହ ମୋବାଇଲ୍‌ରେ ଗେମ୍‌ ଖେଳୁଛୁ। ମା’ ଓ ପତ୍ନୀ ମଧ୍ୟ ଘରେ ରହୁଛନ୍ତି। ଏକାଠି ବସି ଗପସପ କରିବା, ‌ଟିଭି ଦେଖିବାକୁ ଭଲ ଲାଗୁଛି। ବାପାଙ୍କ ଦେହାନ୍ତ ପରଠୁ କ୍ବାର୍ଟର ବାଡ଼ି ଅଳିଆ ହୋଇ ରହିଯାଇଥିଲା। ସେଗୁଡ଼ିକୁ ପରିଷ୍କାର କରିବାକୁ ଏବେ ସମୟ ମିଳିଯାଉଛି। ତେବେ ବର୍ତ୍ତମାନ ବିଶ୍ରାମର ସମୟ ହୋଇଥିବାରୁ କୌଣସି ଶାରୀରିକ ବ୍ୟାୟାମ କରୁନଥିବା ବସନ୍ତ କହିଛନ୍ତି। ତେବେ ବର୍ତ୍ତମାନର କରୋନା ପରସ୍ଥିତି ବିଷୟରେ ସେ କହିଛନ୍ତି ଯେ ଆମେ ପରସ୍ପରଠୁ ଯେତେ ଦୂରେଇକି ରହିବା ସମସ୍ତଙ୍କ ପାଇଁ ଭଲ ହେବ। କାରଣ ଘରକୁ ରୋଗ ଆସିଲେ ଆମ ଜରିଆରେ ଆସିବ। ଆମକୁ ଯତ୍ନବାନ ହେବାକୁ ପଡ଼ିବ। ବଜାରରେ ବେଶି ପୁଅପିଲାମାନେ ବୁଲୁଛନ୍ତି। ଆମେ ଯଦି ସଚେତନ ହେବା, ଆମ ଚତୁଃପାର୍ଶ୍ବ ମଧ୍ୟ ରୋଗମୁକ୍ତ ରହିବ। ତେଣୁ ସାମାଜିକ ଦୂରତ୍ବକୁ ସେ ଅଧିକ ଗୁରୁତ୍ବ ଦେଇଛନ୍ତି। ବସନ୍ତ ୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୩୮୮ ୱିକେଟ୍‌, ୩୧ ଲିଷ୍ଟ ‘ଏ’ରୁ ୪୩ ୱିକେଟ୍‌ ଏବଂ ୨୧ ଟ୍ବେଣ୍ଟି-୨୦ରୁ ୨୦ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥିସହ ପ୍ରଥମ ଶ୍ରେଣୀରେ ଦୁଇଟି ଅର୍ଧଶତକ ସଂଗ୍ରହ କରିଛନ୍ତି।

ଝିଅ ଧନୁକୁ ଖେଳାଉଛନ୍ତି ସୂର୍ଯ୍ୟ
ତାଲାବନ୍ଦ ବେଳେ ନିଜକୁ ଫିଟ୍‌ ରଖିବାକୁ ସବୁବେଳେ ଚେଷ୍ଟା କରୁଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ। ସେ କହିଛନ୍ତି, ସକାଳୁ କୁଆଡ଼େ ବାହାରିବା ସମ୍ଭବ ନୁହେଁ। ତେଣୁ ଭୋର ସାଢେ ୪ଟାରୁ ଉଠି ବ୍ୟାୟାମ କରିବା ପରେ ଯୋବ୍ରା ଆନିକଟ ଉପରେ ଘଣ୍ଟାଏ ପର୍ଯ୍ୟନ୍ତ ଜଗିଂ କରୁଛି। ସାଢେ ୬ଟା ଭିତରେ ଘରେ ପହଞ୍ଚୁଛି। ଦିନବେଳା ଅଫିସ୍‌ ଯାଇ କାମ ସାରି ଫେରିବା ପରେ ଫାଙ୍କା ସମୟରେ ୧୪ ମାସର ଝିଅ ଧନୁ ସହ ଖେଳୁଛି। ଏହା ବାଦ୍‌ ଟିଭିରେ ଭଲ ଧାରାବାହିକ କିମ୍ବା ସିନେମା ଦେଖି ସମୟ କାଟୁଥିବା ସୂର୍ଯ୍ୟ କହିଛନ୍ତି। ସମସ୍ତେ ଏହିପରି ଭାବେ ନିଜ ପ୍ରିୟଜନଙ୍କ ସହ ସମୟ ବିତାଇଲେ ଆତ୍ମୀୟତା ବଢିବ ଏବଂ ସାମାଜିକ ଦୂରତା ନିୟମକୁ ସବୁବେଳେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂର୍ଯ୍ୟ ଓଡ଼ିଶା କ୍ରିକେଟ୍‌ ଦଳର ଜଣେ ଆଗଧାଡ଼ିର ଦ୍ରୁତ ବୋଲର। ସେ ୪୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୬୧ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଲିଷ୍ଟ ‘ଏ’ ରେ ୩୧ ମ୍ୟାଚ୍‌ରୁ ୪୧ ୱିକେଟ୍‌ ପାଇଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ ‌ଯୋଗୁଁ ପ୍ରଥମ ଶ୍ରେଣୀରେ ତାଙ୍କ ନାମରେ ୪ ଅର୍ଧଶତକ ରହିଛି।

ପରିବାର ସହ ଲୁଡୁ ଓ ତାସ୍‌ ଖେଳୁଛନ୍ତି ବିପ୍ଳବ
ଆଗରୁ ପରିବାର ସହ ଖୁବ୍‌ କମ୍‌ ସମୟ ବିତାଇବାକୁ ମିଳୁଥିଲା। କିନ୍ତୁ ଏବେ ଘରେ ହିଁ ସବୁ ସମୟ ସରିଯାଉଛି। ସମସ୍ତେ ଏକାଠି ହୋଇ ତାସ୍‌, ଲୁଡୁ ଭଳି ଇ‌ନ୍‌ଡୋର ଖେଳରେ ବସିଯାଉଥିବାରୁ, କେତେ‌େବଳେ ସକାଳୁ ରାତି ହୋଇଯାଉଛି ଜଣାଡୁନଥିବା କହିଛନ୍ତି ପୂର୍ବତନ ଅଧିନାୟକ ବିପ୍ଲବ ସାମନ୍ତରାୟ। ତଥାପି ଫିଟ୍‌ ରହିବାକୁ ସେ ଦୁଇ ବେଳା ବ୍ୟାୟାମ କରୁଥିବା ସହ ଘରକାମ ସରିଯିବା ପରେ ବାପା, ମା’, ପତ୍ନୀ ଓ ନାନୀଙ୍କ ସହ ମିଶି ତାସ୍‌, ଲୁଡ଼ୁ ଖେଳୁଛନ୍ତି। ତାଙ୍କ କହିବାନୁସାରେ, ତାଙ୍କର ପ୍ରିୟ ରକି (କୁକୁର) ସହିତ ମଧ୍ୟ ଆଗରୁ ଅଧିକ ସମୟ କଟାଇ ପାରୁନଥିଲେ। ଏବେ ସବୁବେଳେ ସେ ତାଙ୍କ ପାଖେ‌ପାଖେ ରହୁଥିବାରୁ ବହୁତ ଭଲ ଲାଗୁଛି। ଅନ୍ୟପଟେ ଏଭଳି ସମୟରେ ଟିଭିରେ ପୁରୁଣା ଧାରାବାହିକ ଗୁଡ଼ିକ ଦେଉଥିବାରୁ ପୁରୁଣା ଦିନ ସବୁ ମନେପଡ଼ୁଛି। ରାମାୟଣ, ମହାଭାରତ ଭଳି ଆଧ୍ୟାତ୍ମିକ ଧାରାବାହିକ ଦେଖିବାକୁ ବହୁତ ଭଲ ଲାଗୁଛି। ପିଲାଦିନେ ଶକ୍ତିମାନ ଦେଖିବାକୁ ଆମେ ଯେଉଁଭଳି ଭାବେ ଉତ୍ସାହିତ ହେଉଥିଲୁ, ଏବେ ସେହି ପିଲାଦିନକୁ ଫେରିଗଲା ଭଳି ଲାଗୁଥିବା ବିପ୍ଳବ କହିଛନ୍ତି। ଓଡ଼ିଶାର ଏହି ଏକମାତ୍ର ସଫଳ ଆଇପିଏଲ୍‌ ଖେଳାଳି ୮୨ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୬ ଶତକ ଓ ୨୨ ଅର୍ଧଶତକ ସହ ୩୦.୦୭ ହାରରେ ୩୭୫୯ ରନ୍‌, ୫୭ ଲିଷ୍ଟ ‘ଏ’ରେ ୧୫୩୦ ଓ ୮ ଟ୍ବେଣ୍ଟି-୨୦ରୁ ୧୧୩୩ ରନ୍‌ ସଂଗ୍ରହ କରିଛନ୍ତି। ଏଥିସହ ଏହି ଅଲ୍‌ରାଉଣ୍ଡର ଜଣକ ପ୍ରଥମ ଶ୍ରେଣୀ, ଲିଷ୍ଟ ‘ଏ’ ଓ ଟ୍ବେଣ୍ଟି-୨୦ରେ ଯଥାକ୍ରମେ ୮୪, ୪୫ ଓ ୨୮ ୱିକେଟ୍‌ ନେଇଛନ୍ତି।

ସାଙ୍ଗଙ୍କୁ ପପୁଙ୍କ ପୁସ୍‌ଅପ୍‌ ଚ୍ୟାଲେଞ୍ଜ
ଓଡ଼ିଶାର ବାମହାତୀ ସ୍ପିନର ପପୁ ରାଏ ଶାରୀରିକ ଦକ୍ଷତା ବଢାଇବାରେ ଅଧିକ ସମୟ ଦେଉଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରହିବା ପାଇଁ ଉତ୍ସାହିତ କରୁଛନ୍ତି। ତାଲାବନ୍ଦ ସମୟରେ ସେ ଘରେ ପରିବାର ଲୋକଙ୍କ ସହ ମିଶି ଯୋଗ କରୁଛି। ଘରେ କରିଥିବା ଏକ ଛୋଟ ଜିମ୍‌ରେ ଏବେ ପାୱାର ଟ୍ରେନିଂ ନେଉଛନ୍ତି। ତାଙ୍କ ମତରେ, ଆମେ ଯେତେ‌ ଫିଟ୍‌ ରହିବୁ ଏହି ବେମାରି ସହ ଲ‌େଢଇ କରିପାରିବୁ। ଯଦି କୌଣସି କାମରେ କିଏ ବାହାରକୁ ଯାଉଛନ୍ତି, ତାହେଲେ ସବୁ କପଡ଼ା ଧୋଇବା ପରେ ଘରକୁ ପ୍ରବେଶ କରିବାକୁ କୁହାଯାଇଛି। ନିଜକୁ ସବୁବେଳେ ସ୍ବଚ୍ଛ ଓ ସୁରକ୍ଷିତ ରଖୁଛୁ। ଏଥିସହ ଅନ୍‌ଲାଇନ୍‌ରେ ସାଙ୍ଗମାନଙ୍କ ସହ ଯୋଡ଼ି ହେଉଛି। ଏବେ ବିଭିନ୍ନ ରାଜ୍ୟରେ ଥିବା ସାଙ୍ଗଙ୍କ ସହ ଅନ୍‌ଲାଇନ୍‌ରେ ବ୍ୟାୟାମ ଚ୍ୟାଲେଞ୍ଜ କରୁଛୁ। ‌ଏବେ ୧୦୦୦ ପୁସ୍‌ ଅପ୍‌ ଚ୍ୟାଲେଞ୍ଜ କରାଯାଉଛି। କିଛିକିଛି ସମୟ ବ୍ୟବଧାନରେ ଏହି ଚ୍ୟାଲେଞ୍ଜ ପୂରଣ କରାଯାଉଛି। ସେହିପରି ପରିବାର ସଦସ୍ୟଙ୍କ ସହ ସିନେମା ଦେଖା ଓ ଲୁଡୁ ଖେଳରେ ସମୟ ବିତିଯାଉଥିବା ପପୁ କହିଛନ୍ତି। ଏହି ବାମହାତୀ ବୋଲର ମାତ୍ର ୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲା ବେଳେ ୪ ୱିକେଟ୍‌ ପାଇଛନ୍ତି। ଏହା ବାଦ୍‌ ୧୭ ଲିଷ୍ଟ ‘ଏ’ରୁ ୨୭ ୱିକେଟ୍‌ ଓ ୧୩ ଟ୍ବେଣ୍ଟି-୨୦ରୁ ୧୯ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର