୨ ବର୍ଷ ହେଲା ପାଉଣା ପାଇନାହାନ୍ତି ରଣଜୀ ଖେଳାଳି

ନୂଆଦିଲ୍ଲୀ: ଘରୋଇ କ୍ରିକେଟ୍‌ରେ ମ୍ୟାଚ୍‌ ଖେଳି ଚାଲିଛନ୍ତି। ହେଲେ ଗଲା ଦୁଇ ବର୍ଷ ଧରି ପାଉଣା ପାଇନାହାନ୍ତି ରଣଜୀ ଖେଳାଳି। ମ୍ୟାଚ୍‌ ପାଉଣା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ସେମାନେ। ବିସିସିଆ ( ଭାରତୀୟ କ୍ରିକେଟ୍‌ ବୋର୍ଡ) ଏବଂ ସିଓଏ (ପ୍ରଶାସକ ସମିତି) ମଧ୍ୟରେ ମତାନ୍ତର ଯୋଗୁଁ ଖେଳାଳିମାନେ ପାଉଣାକୁ ଅପେକ୍ଷା କରି ରହିଛନ୍ତି। ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ସିଓଏ ଦାୟିତ୍ୱ ଗ୍ରହଣ କରିବାଠାରୁ ଏପର୍ଯ୍ୟନ୍ତ ବିସିସିଆଇ ତା’ର ବାର୍ଷିକ ସାଧାରଣ ପରିଷଦ ବୈଠକ ଡାକିନାହିଁ। ଅନ୍ୟପକ୍ଷରେ ଜଷ୍ଟିସ୍‌ ଲୋଧା ସମିତିର ସଂସ୍କାରମୂଳକ ସୁପାରିସକୁ କିପରି କାର୍ଯ୍ୟକାରୀ କରିଛନ୍ତି ସେ ସଂପର୍କରେ ରାଜ୍ୟ ସଂଘମାନଙ୍କ ସ୍ପଷ୍ଟିକରଣକୁ ଅପେକ୍ଷା କରିଚାଲିଛି ସିଓଏ। ଏହି ଦୁଇ ପକ୍ଷର ମତାନ୍ତର ତୁଟୁନଥିବାରୁ ରଣଜୀ ଖେଳାଳିମାନେ ଶିକାର ହେଉଛନ୍ତି। ଖେଳାଳିମାନେ ସେମାନଙ୍କ ରାଜ୍ୟ ସଂଘ ପକ୍ଷରୁ ଆଂଶିକ ପାଉଣା ପାଇଛନ୍ତି। ହେଲେ ମ୍ୟାଚ୍‌ ପାଉଣାର ସିଂହ ଭାଗ ବିସିସିଆଇ ଦେବାକଥା। ଯାହାକି ଏପର୍ଯ୍ୟନ୍ତ ୨ ବର୍ଷ ଧରି ମିଳିନାହିଁ। ବିସିସିଆଇଠୁ ଗୋଟିଏ ବର୍ଷରେ ଜଣେ ଖେଳାଳି ୧୨ରୁ ୧୫ ଲକ୍ଷ ଟଙ୍କା ପାଉଣା ବାବଦରେ ପାଇବା କଥା। ହେଲେ ପ୍ରାୟ ୫୦୦ ପାଖାପାଖି ଘରୋଇ କ୍ରିକେଟ୍‌ ଖେଳୁଥିବା ଖେଳାଳି ନିଜ ନିଜର ପାଉଣା ପାଇଁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର