ପରାଜୟ ଆଶଙ୍କାରେ ମୁମ୍ବାଇ

ରଣଜୀ କ୍ୱାର୍ଟର୍‌ ଫାଇନାଲ୍‌

ନାଗପୁର: ସର୍ବାଧିକ ୪୧ ଥର ରଣଜୀ ଟ୍ରଫି ବିଜେତା ମୁମ୍ବାଇ ଏଥର କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେବାର ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାରଠୁ ଆରମ୍ଭ ହୋଇଥିବା ରଣଜୀ କ୍ୱାର୍ଟର୍‌ ଫାଇନାଲ୍‌ରେ ଏହି ଦଳ କର୍ଣ୍ଣାଟକ ନିକଟରୁ ପରାଜୟ ବରଣ କରିବା ଦ୍ୱାରରେ ପହଞ୍ଚିଛି। ପ୍ରଥମ ପାଳିରେ ମାତ୍ର ୧୭୩ ରନ୍‌ରେ ସଫା ହୋଇଯାଇଥିବା ମୁମ୍ବାଇ ତୃତୀୟ ଦିବସ ଶେଷରେ ଦ୍ୱିତୀୟ ପାଳିର ୩ ଓ୍ଵିକେଟ୍‌ ହରାଇ ୧୨୦ ରନ୍‌ କରିଛି। ଏହା ପୂର୍ବରୁ କର୍ଣ୍ଣାଟକ ତା’ର ପ୍ରଥମ ପାଳିରେ ୫୭୦ ରନ୍‌ର ବଡ଼ ସ୍କୋର୍‌ କରି ୩୯୭ ରନ୍‌ର ଅଗ୍ରଣୀ ପାଇଥିଲା। ଦ୍ୱିତୀୟ ଦିବସ ସୁଦ୍ଧା ୬ ଓ୍ଵିକେଟ୍‌ ହରାଇ ୩୯୫ ରନ୍‌ କରିଥିବା କର୍ଣ୍ଣାଟକ ଶନିବାର ଅବଶିଷ୍ଟ ୪ ଓ୍ଵିକେଟ୍‌ ହରାଇବା ପୂର୍ବରୁ ୧୭୫ ରନ୍‌ ଯୋଡ଼ି ନେଇଥିଲା। ସତୀଶ ଗୋପାଳ ୧୫୦ ରନ୍‌ରେ ଅପରାଜିତ ରହିଥିଲେ। ଆଉ ଦୁଇ ଦିନ ଖେଳ ବାକିଥିଲା ବେଳେ ମୁମ୍ବାଇ ହାତରେ ୭ ଓ୍ଵିକେଟ୍‌ ଥାଇ ୨୭୭ ରନ୍‌ ପଛରେ ରହିଛି। ସୂର୍ଯ୍ୟକୁମାର ଯାଦବ ୪୮ ରନ୍‌ରେ ଅପରାଜିତ ରହି ଆଶଙ୍କା ଟାଳିବାକୁ ସଂଘର୍ଷ କରୁଛନ୍ତି।

ଦିଲ୍ଲୀକୁ ପାଳି ଅଗ୍ରଣୀ

ଆନ୍ଧ୍ରପ୍ରଦେଶର ମୁଲାପଡ଼ୁରେ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମ ପାଳି ଅଗ୍ରଣୀ ପାଇଗଲା। ମଧ୍ୟପ୍ରଦେଶର ପ୍ରଥମ ପାଳିକୁ ୩୩୮ ରନ୍‌ରେ ଅଟକାଇ ଦେଇଥିବା ଦିଲ୍ଲୀ ଶନିବାର ତୃତୀୟ ଦିବସରେ ୪୦୫ ରନ୍‌ କରି ପ୍ରଥମ ପାଳି ଶେଷ କରିଥିଲା। ମଧ୍ୟପ୍ରଦେଶ ପକ୍ଷରୁ ହିର୍‌ଓ୍ଵାନୀ ୫ ଓ୍ଵିକେଟ୍‌ ସଫଳତା ପାଇବା ସତ୍ତ୍ୱେ ଦିଲ୍ଲୀ ୬୭ ରନ୍‌ର ଅଗ୍ରଣୀ ପାଇଥିଲା। ଜବାବରେ ମଧ୍ୟପ୍ରଦେଶ ତୃତୀୟ ଦିବସ ସୁଦ୍ଧା ଦ୍ୱତୀୟ ପାଳିର ୨ ଓ୍ଵିକେଟ୍‌ ହରାଇ ୪୭ ରନ୍‌ କରିଛି। ଏଥି ସହିତ ମଧ୍ୟପ୍ରଦେଶ ୮ ଓ୍ଵିକେଟ୍‌ ଥାଇ ଏବେ ବି ୨୦ ରନ୍‌ ପଛରେ ରହିଛି।

ବେଙ୍ଗଲ ୩୦୭ ରନ୍‌ରେ ଆଗୁଆ

ରାଜସ୍ଥାନର ଜୟପୁରରେ ଗେୁଜରାଟ ବିପକ୍ଷ ମ୍ୟାଚ୍‌ରେ ବେଙ୍ଗଲକୁ ବଡ଼ ଅଗ୍ରଣୀ ମିଳିଯାଇଛି। ପ୍ରଥମ ପାଳିରେ ୩୫୪ ରନ୍‌ କରିଥିବା ବେଙ୍ଗଲ ଅଶୋକ ଦିଣ୍ଡା (୩/୪୮), ପୋରେଲ୍‌ (୩/୬୪) ଓ ଅମିତ (୩/୫୩)ଙ୍କ ଚମତ୍କାର ବୋଲିଂ ବଳରେ ଗୁଜରାଟ ପ୍ରଥମ ପାଳିକୁ ୨୨୪ ରନ୍‌ରେ ଶେଷ କରିଦେଇଥିଲା। ଏଥି ସହିତ ବେଙ୍ଗଲ ୧୩୦ ରନ୍‌ର ଅଗ୍ରଣୀ ପାଇଥିଲା। ଏହାପରେ ଦ୍ୱିତୀୟ ପାଳି ଖେଳିଥିବା ବେଙ୍ଗଲ ତୃତୀୟ ଦିନ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା ବେଳେ ମୋଟ ଉପରେ ୩୦୭ ରନ୍‌ରେ ଆଗୁଆ ହୋଇଯାଇଛି। ପ୍ରଥମ ପାଳିର ଶତକ ହାସଲକାରୀ ଅଭିମନ୍ୟୁ ଈଶ୍ୱରନ୍‌ ୯୩ ରନ୍‌ରେ ଅପରାଜିତ ରହିଛନ୍ତି।

ସ୍ଥିତି ଦୃଢ଼ କଲା ବିଦର୍ଭ

ଗୁଜରାଟର ସୁରତ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କେରଳ ବିପକ୍ଷରେ ବିଦର୍ଭ ନିଜର ସ୍ଥିତି ଦୃଢ଼ କରିଛି। ପ୍ରଥମ ପାଳିରେ ୨୪୬ ରନ୍‌ କରିଥିବା ବିଦର୍ଭ ଦ୍ୱିତୀୟ ପାଳିରେ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୭୭ ରନ୍‌ କରିଛି। ଫୈଜ ଫଜଲ୍‌ ୫୧ ରନ୍‌ରେ ଅପରାଜିତ ରହିଛନ୍ତି। ଏହା ପୂର୍ବରୁ ବିଦର୍ଭ ଗୁର୍‌ବାନୀଙ୍କ ୫ ଓ୍ଵିକେଟ୍‌ ଦଖଲ ବଳରେ କେରଳ ପ୍ରଥମ ପାଳିକୁ ୧୭୬ ରନ୍‌ରେ ସଫା କରିଦେଇଥିଲା।

ସମ୍ବନ୍ଧିତ ଖବର