ରଣଜୀ କ୍ବାର୍ଟର ଫାଇନାଲ୍‌: ବେଙ୍ଗଲ ଓ ମୁମ୍ବାଇ ଦୃଢ଼, ନିର୍ଣ୍ଣାୟକ ମୋଡ଼ରେ କର୍ଣ୍ଣାଟକ-ଉତ୍ତର ପ୍ରଦେଶ ମ୍ୟାଚ୍‌

ସୁଭେଦଙ୍କ ଦ୍ବିଶତକ, ସର୍ଫରାଜଙ୍କ ଶତକ: ମୁମ୍ବାଇ ପାଳି ୬୪୭/୮ରେ ଘୋଷିତ

ବେଙ୍ଗାଲୁରୁ: ରବିବାରଠୁ ଏଠାରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ ରାଉଣ୍ଡର ଦ୍ବିତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ ଓ ମୁମ୍ବାଇ ପ୍ରଥମ ପା‌ଳିରେ ବଡ଼ ସ୍କୋର୍‌ କରି ଦୃଢ଼ ସ୍ଥିତିରେ ରହିଥିଲା ବେଳେ କର୍ଣ୍ଣାଟକ-ଉତ୍ତର ପ୍ରଦେଶ ମ୍ୟାଚ୍‌ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ସେହିପରି ପଞ୍ଜାବ ବିପକ୍ଷରେ ମଧ୍ୟପ୍ରଦେଶ ପ୍ରଥମ ପାଳି ଅଗ୍ରଣୀ ପାଇଯାଇଛି। ଦ୍ବିତୀୟ ଦିବସରେ ମୁମ୍ବାଇର ସୁଭେଦ ପାର୍କର ଦ୍ବିଶତକ ଏବଂ ସର୍ଫରାଜ ଖାନ୍‌ ଶତକ, ବେଙ୍ଗଲର ଅନସ୍ତୁପ ମଜୁମଦାର ଶତକ ଜମାଇଥିଲା ବେଳେ ମଧ୍ୟପ୍ରଦେଶ ପକ୍ଷରୁ ଶୁଭମ ଶର୍ମାଙ୍କ ଅପରାଜିତ ଶତକୀୟ ପାଳି ଉଲ୍ଲେଖନୀୟ ଥିଲା।

ସୁଦୀପ-ଅନସ୍ତୁପଙ୍କ ଦ୍ବିଶତକୀୟ ଭାଗୀଦାରି: ବେଙ୍ଗଲ ୫୭୭/୫
ସୁଦୀପ କୁମାର ଘରାମୀ (୧୮୬) ଏବଂ ଅନସ୍ତୁପ ମଜୁମଦାର (୧୧୭)ଙ୍କ ଦ୍ବିଶତକୀୟ ଭାଗୀଦାରି ସାଙ୍ଗକୁ ପୂର୍ବତନ ଅଧିନାୟକ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ (୫୪*), ୱକେଟରକ୍ଷକ ଅଭିଷେକ ପୋରେଲ (୬୮), ଅଧିନାୟକ ଅଭିମନ୍ୟୁ ଈଶ୍ବରନ୍‌ (୬୫) ଏବଂ ଅଭିଷେକ ରମଣ (୬୧)ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ବେଙ୍ଗଲ ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରିନେଇଛି। ପ୍ରଥମ ଦିବସରେ ୮୯ ଓଭରରେ ୩୧୦/୧ କରିଥିବା‌ ବେଙ୍ଗଲ ଦ୍ବିତୀୟ ଦିବସରେ ଆଉ ୮୯ ଓଭର ଖେଳି ୨୬୭ ରନ୍ ଯୋଡ଼ିଥିଲା ବେଳେ ୪ ୱିକେଟ୍‌ ହରାଇଥିଲା। ଫଳରେ ଦଳ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ମୋଟ ୧୭୮ ଓଭର ଖେଳି ୫୭୭/୫ରେ ପହଞ୍ଚି ଯାଇଛି। ଦୁଇ ଦିନ ସରିଯାଇଥିଲା ବେଳେ ବେଙ୍ଗଲର ପ୍ରଥମ ପାଳି ଶେଷ ହୋଇନଥିବାରୁ ଏହି ମ୍ୟାଚ୍‌ରେ ପ୍ରତିପକ୍ଷ ଝାଡ଼ଖଣ୍ଡ ପ୍ରବଳ ଚାପରେ ରହିବ। ସୁଦୀପ ଓ ଅନସ୍ତୁପ ଦ୍ବିତୀୟ ୱିକେଟ୍‌ରେ ୨୪୩ ରନ୍ ଯୋଡ଼ିବା ପରେ ମନୋଜ ତିୱାରୀ ଓ ପୋରେଲ ପଞ୍ଚମ ୱିକେଟ୍‌ରେ ୧୦୯ ରନ୍ ଯୋଡ଼ି ଝାଡ଼ଖଣ୍ଡ ବୋଲରଙ୍କୁ ନୟାନ୍ତ କରିଛନ୍ତି।

ସୁଭେଦଙ୍କ ଦ୍ବିଶତକ, ସର୍ଫରାଜଙ୍କ ଶତକ: ମୁମ୍ବାଇ ପାଳି ୬୪୭/୮ରେ ଘୋଷିତ
ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ର ପ୍ରଥମ ଦିବସରେ ଅପରାଜିତ ଶତକ ଜମାଇଥିବା ସୁଭେଦ ପାର୍କର ମଙ୍ଗଳବାର ଏହାକୁ ଦ୍ବିଶତକରେ ରୂପାନ୍ତରିତ କରିଥିଲେ। ତେବେ ସେ ୨୫୨ ରନ୍‌ରେ ରନ୍‌ଆଉଟ୍‌ ହେବା ପୂର୍ବରୁ ସର୍ଫରାଜ ଖାନ୍‌ (୧୫୩)ଙ୍କ ସହ ଚତୁର୍ଥ ୱିକେଟ୍‌ରେ ୨୬୭ ରନ୍ ଯୋଡ଼ି ମୁମ୍ବାଇକୁ ମଜ୍‌ବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ପ୍ରଥମ ଦିବସରେ ସୁଭେଦ ୧୦୪ ରନ୍‌ରେ ଅପରାଜିତ ଥିଲା ବେଳେ ସର୍ଫରାଜ ୬୮ ରନ୍‌ରେ କ୍ରିଜ୍‌ରେ ରହିଥିଲେ। ଏହି ଦୁଇ ଜଣ ବିଦାୟ ନେବା ପରେ ମଧ୍ୟ ମୁମ୍ବାଇର ରନ୍‌ ଭୋକ ମେଣ୍ଟିନଥିଲା। ସାମ୍‌ସ ମୁଲାନି ସପ୍ତମ ସ୍ଥାନରେ ଆସି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୫୯ ରନ୍‌ କରିଥିଲେ। ଫଳରେ ପ୍ରଥମ ଦିବସ ସ୍କୋର୍‌ ୩୦୪/୩ରୁ ଖେଳିଥିବା ମୁମ୍ବାଇ ଦ୍ବିତୀୟ ଦିନ ୩୪୩ ରନ୍ ଯୋଡ଼ି ୫ ୱିକେଟ୍‌ ହରାଇଥିଲା ବେଳେ ପ୍ରଥମ ପାଳିକୁ ଘୋଷଣା କରିଦେଇଥିଲା। ମୋଟ ୧୬୬.୪ ଓଭରରେ ୬୪୭/୮ରେ ପାଳି ଘୋଷଣା କରିବା ପରେ ମୁମ୍ବାଇ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଉତ୍ତରାଖଣ୍ଡର ୨ ୱିକେଟ୍‌ ୩୯ ରନ୍‌ରେ ଖସାଇ ଦେଇଛି। ଫଳରେ ୮ ୱିକେଟ୍‌ ଥାଇ ଉତ୍ତରାଖଣ୍ଡ ୬୦୮ ରନ୍‌ରେ ପଛୁଆ ରହିଛି।

ଦ୍ବିତୀୟ ପାଳିରେ କର୍ଣ୍ଣାଟକର ସଂଘର୍ଷ
କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ତୃତୀୟ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏହି ୫ ଦିନିଆ ମ୍ୟାଚ୍‌ର ମଙ୍ଗଳବାର ଦ୍ବିତୀୟ ଦିବସ ଶେଷ ସୁଦ୍ଧା ଉଭୟ ଦଳର ୨୮ ୱିକେଟ୍‌ ପତନ ଘଟିସାରିଲାଣି। ପ୍ରଥମ ପାଳିରେ ୨୫୩ ରନ୍‌ କରିଥିବା କର୍ଣ୍ଣାଟକ ବୋଲରମାନଙ୍କ ବଳରେ ଉତ୍ତର ପ୍ରଦେଶ ପ୍ରଥମ ପାଳିକୁ ୧୫୫ ରନ୍‌ରେ ରୋକି ଦେଇଥିଲା। ଫଳରେ ୯୮ ରନ୍‌ର ଅଗ୍ରଣୀ ପାଇଯାଇଥିଲା। ହେଲେ ଦ୍ବିତୀୟ ପାଳିରେ କର୍ଣ୍ଣାଟକ ବିପର୍ଯ୍ୟୟ ମୁହାଁ ହୋଇଛି। ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ବେଳକୁ ଏହି ଦଳ ୩୪ ଓଭର ଖେଳି ୧୦୦ ରନ୍‌ରେ ୮ ୱିକେଟ୍‌ ହରାଇଦେଇଛି। ଉତ୍ତର ପ୍ରଦେଶ ପକ୍ଷରୁ ପ୍ରଥମ ପାଳିରେ ୪ ୱିକେଟ୍‌ ନେଇଥିବା ସୌରଭ କୁମାର ଦ୍ବିତୀୟ ପାଳିରେ ୩ ୱିକେଟ୍‌ ଦଖଲ କରିସାରିଛନ୍ତି। ଫଳରେ ଆଉ ୩ ଦିନ ଖେଳ ବାକିଥିଲା ବେଳେ କର୍ଣ୍ଣାଟକ ହାତରେ ୨ ୱିକେଟ୍‌ ଥାଇ ମୋଟ ଉପରେ ୧୯୮ ରନ୍‌ର ଅଗ୍ରଣୀ ପାଇଛି।

ମଧ୍ୟପ୍ରଦେଶକୁ ଅଗ୍ରଣୀ ଦେଲେ ଶୁଭମ
ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ଦମ୍‌ଦାର ଅପରାଜିତ ଶତକ ହାସଲ କରି ଶୁଭମ ଶର୍ମା ମଧ୍ୟପ୍ରଦେଶକୁ ପଞ୍ଜାବ ବିପକ୍ଷରେ ପାଳି ଅଗ୍ରଣୀ ଦେଇଛନ୍ତି। ପୁନିତ ଦାତେ (୩/୪୮), ଅନୁଭବ ଅଗ୍ରୱାଲ (୩/୪୦) ଏବଂ ସାରାଂଶ ଜୈନ (୨/୪୫) ମିଳିତ ଭାବେ ଚମତ୍କାର ବୋଲିଂ କରି ପଞ୍ଜାବ ପ୍ରଥମ ପାଳିକୁ ୨୧୯ରେ ସଫା କରିଦେବା ପରେ ମଧ୍ୟପ୍ରଦେଶ ମଙ୍ଗଳବାର ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୯୯ ଓଭର ଖେଳି ୨ ୱିକେଟ୍‌ ବିନିମୟରେ ୨୩୮ ରନ୍‌ କରିନେଇଛି। ଓପ୍‌ନର ତଥା ୱିକେଟ୍‌ରକ୍ଷକ ହିମାଂଶୁ ମନ୍ତ୍ରୀ (୮୯) ଅର୍ଦ୍ଧଶତକ ହାସଲ କରି ପାଭିଲିୟନ ଫେରିଯାଇଥିଲା ବେଳେ ଶୁଭମ ୧୦୨ ରନ୍‌ରେ ଅପରାଜିତ ରହିଛନ୍ତି। ଏଥି ସହିତ ହାତରେ ୮ ୱିକେଟ୍‌ ଥାଇ ମଧ୍ୟପ୍ରଦେଶ ୧୯ ରନ୍‌ରେ ଆଗୁଆ ହୋଇଛି। ପତନ ଘଟିଥିବା ଦୁଇଟିଯାକ ୱିକେଟ୍‌ ମୟଙ୍କ ମାର୍କଣ୍ଡେକୁ ମିଳିଛି।

ସମ୍ବନ୍ଧିତ ଖବର